ଚୈତ୍ର ତୃତୀୟ ମଙ୍ଗଳବାର : ଶତାଧିକ ଶିଶୁଙ୍କ ମୁଣ୍ଡନ
ମାନଲେନି ପ୍ରଶାସନିକ କଟକଣା, ରହିଲାନି ସାମାଜିକ ଦୂରତ୍ୱ ରକ୍ଷା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଚୈତ୍ର ମାସ ତୃତୀୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ନିକଟସ୍ଥ ଶକ୍ତିପୀଠ ମା ଶ୍ୟାମଳାଇ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ ଓ ସମସ୍ତ ଦେବୀନୀତି ସମାପନ ପରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା । ବହୁ ଦୁର ଦୂରାନ୍ତରରୁ ଭକ୍ତ ମାନେ ସୋମବାର ରତିରୁ ଆସି ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ । ମହାମାରୀ କରୋନା ଭୁତାରୁ ସଂକ୍ରମଣର ଦ୍ୱିତୀୟ ଲହରୀ ଆତଙ୍କ ସୃଷ୍ଟି କରୁଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନୁତନ ଏସଓପି ଜାରି କରାଯାଇଛି । ମଙ୍ଗଳବାର ସ୍ଥାନୀୟ ଅଂଚଳରେ ଜିଲ୍ଲା ପ୍ରଶାସନର କଟକଣାକୁ ବହୁ ଶ୍ରଦ୍ଧାଳୁ ଅମାନ୍ୟ କରିଥିବାର ଦେଖିବାକୁ ମିଳିଥିଲା । ଦୂରଦୁରାନ୍ତରରୁ ଭକ୍ତ ମାନେ ସେମାବାର ରାତିରୁ ଆସି ମନ୍ଦିର ପରିସରରେ ଭିଡ଼ ଜମାଇବା ସହ ମନ୍ଦିର ପ୍ୱାଶ୍ୱର୍ରେ ମାନସିକ ଧାରୀ ମାନେ ନିଜ ନିଜ ଶିଶୁ ମାନଙ୍କୁ ମୁଣ୍ଡନ କରାଉଥିବାର ଦେଖିବାକୁ ମିଳିଥିଲା । ଏପରିକି ମନ୍ଦିର ପରିସରରେ ଭକ୍ତ ମାନଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା । ବହୁ ଭକ୍ତ ମୁହଁରେ ମାସ୍କ ନଥିବାର ବେଳେ ସାମାଜିକ ଦୂରତା ରକ୍ଷା ହୋଇ ପାରିନଥିଲା । ମନ୍ଦିର ଚର୍ତୁପ୍ୱାର୍ଶରେ ବିଭିନ୍ନ ରକମର ଖେଳଣା, ବାରମଜା, ଥଣ୍ଡାପାନୀୟ ଦୋକାନର ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ୱେଛାସେବୀ ମାନଙ୍କ ପକ୍ଷରୁ ପାନୀୟ ଜଳ ବଂଟନ କରାଯାଇଥିଲା । ମଙ୍ଗଳବାର ଭୋରରୁ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟଞୁ ଦାସଙ୍କ ତତ୍ୱାବଧାନରେ ଥାନା ଏସ.ଆଇ. ଗୋପାଳ କୃଷ୍ଣ ଆଗୁ ପାତ୍ର ଓ ତାଙ୍କ ଟିମ୍ ସହ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ବୁରୁପୋଡ଼ା ରାଜସ୍ୱ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ ସଂପୃକ୍ତ ମନ୍ଦିରରେ ପଂହଚି ଭକ୍ତଙ୍କ ଭିଡ଼ ହଟାଇବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ଭକ୍ତ ମାନଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନୁରୁପ ଭାବେ ସ୍ଥାନୀୟ ବ୍ଳକ ଖରିଡ଼ା ଗ୍ରାମରେ ଅଧିଷ୍ଠିତ ମା’ କରେଇଶୁଣୀଙ୍କ ପୀଠରେ ମଧ୍ୟ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବହୁ ମାନସିକ ଧାରୀ ନିଜ ନିଜ ଶିଶୁଙ୍କ ମୁଣ୍ଡନ କରାଇବା ସହ ମନ୍ଦିର ଚର୍ତୁପ୍ୱାଶ୍ୱର୍ରେ ଭୋଜିଭାତର ଆୟୋଜନ କରିଥିବାର ଦେଖିବାକୁ ମିଳିଥିଲା ।


