ଓଡିଶାରେ ଆରମ୍ଭ ହେଲା “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କୃଷି ପ୍ରଧାନ ଦେଶ ଭାରତବର୍ଷର କୃଷି ଜମିକୁ ରାସାୟନିକ ସାର ଓ ଔଷଧର ବିଷାକ୍ତ ପ୍ରଭାବରୁ ମୁକ୍ତ ସହ ସଂପୂର୍ଣ୍ଣ ସମାଜକୁ ସୁସ୍ଥ ଏବଂ ରୋଗମୁକ୍ତ କରିବା ପାଇଁ ଆଜି ଠାରୁ ଆରମ୍ଭ ହୋଇଛି “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ । ପୁରୀ, ଖୋର୍ଦ୍ଧା, କଟକର ପୂର୍ବକଚ୍ଛ, ବାଲେଶ୍ୱରର ବଡକିଆ, ଦୁର୍ଗାଦେବୀ, ଜଳେଶ୍ୱର, ଭୋଗରାଇ, ଭଦ୍ରକର ତିହିଡି, ବିନ୍ଧା, ଘଂଟେଶ୍ୱର, ମୟୁରଭଂଜର ହରିଶ୍ଚନ୍ଦ୍ରପୁର, ଓସ୍ତପୁର, ରାଇରଙ୍ଗପୁରର ଆହରବନ୍ଧ, ଢେଙ୍କାନାଳର କଂକଡାହାଡ, ଗଂଜାମର ପିତଳ ଆଦି ଓଡିଶାର ଅନେକ ସ୍ଥାନରେ ଏହି ଅଭିଯାନ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଏହାର ଗତିବିଧି ଯଥା ଗ୍ରାମବିକାଶ, ଗୋସେବା, ପର୍ଯ୍ୟାବରଣ ଓ ଅନ୍ୟ ୪୦ ଟି ଆନୁସଙ୍ଗିକ ତଥା ସହଯୋଗୀ ଆଧ୍ୟାତ୍ମିକ ସଂଗଠନମାନଙ୍କ ଦ୍ୱାରା ଭୂମିର ସୁପୋଷଣ ତଥା ସଂରକ୍ଷଣ ପାଇଁ ଚୈତ୍ର ଶୁକ୍ଳ ପ୍ରତିପଦା ତଥା ଏପ୍ରିଲ୍ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ ରାଷ୍ଟ୍ରୀୟ ସ୍ତରରେ ଗୁରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଓଡିଶାରେ ଏହି ଅଭିଯାନ ୧୭ ଜୁନ୍ ୨୦୨୧, ବସୁମତୀ ସ୍ନାନ ଦିବସ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯିବ । “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନକୁ ପରିଚାଳନା କରିବା ପାଇଁ ଭୁବନେଶ୍ୱର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଏକ ପ୍ରସ୍ତୁତି ବୈଠକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର, କ୍ଷେତ୍ର ସେବାପ୍ରମୁଖ ଜଗଦୀଶ ପ୍ରସାଦ ଖାଡଙ୍ଗା, ପ୍ରାନ୍ତ ପ୍ରଚାରକ ବିପିନ ବିହାରୀ ନନ୍ଦଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଓଡିଶା ପୂର୍ବ ପ୍ରାନ୍ତର ୧୮ଟି ଜିଲ୍ଲାକୁ ନେଇ ଏକ ସଂଚାଳନ ସମିତି ଗଠନ କରାଯାଇଛି । ଏହି ସମିତିର ସଂଯୋଜକ ଭାବେ ଭାରତୀୟ କିଷାନ ସଂଘର ସାଧାରଣ ସଂପାଦକ ଜାନକୀ ବଲ୍ଲଭ ସ୍ୱାଇଁ ଓ ସହ ସଂଯୋଜକଭାବେ ସ୍ୱଦେଶୀ ଜାଗରଣ ମଂଚର ଆଶୁତୋଷ ମୁର୍ଖାଜୀ, ପ୍ରାନ୍ତ ଗ୍ରାମବିକାଶ ପ୍ରମୁଖ ଅବିନାଶ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ବୈଠକରେ ଆର୍ ଏସ୍ ଏସ୍ ର ସହ ପ୍ରାନ୍ତ କାର୍ଯ୍ୟବାହ, ସହ ପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳ, ସ୍ୱଦେଶୀ ଜାଗରଣ ମଂଚର ଅନ୍ନଦା ପ୍ରସନ୍ନ ପାଣିଗ୍ରାହୀ, ବନବାସୀ କଲ୍ୟାଣ ଆଶ୍ରମର ମହିରାମ ମହାନ୍ତ, ପତଞ୍ଜଳୀର ସ୍ୱୟଂ ପ୍ରକାଶଜୀ, ଏକଲ ବିଦ୍ୟାଳୟର ଚିନ୍ତାମଣୀ ସାହୁ, ପର୍ଯ୍ୟାବରଣର ବଳରାମ ଦାସ, ଗୋସେବାର ପ୍ରକାଶ ନାୟକ, ଶିକ୍ଷା ବିକାଶ ସମିତି, ସହକାର ଭାରତୀ, ଲଘୁ ଉଦ୍ୟୋଗ ଭାରତୀ, ଭାରତ ବିକାଶ ପରିଷଦ, ବିଶ୍ୱହିନ୍ଦୁ ପରିଷଦ, ଭାରତୀୟ କିଷାନ ସଂଘ, ଇତ୍ୟାଦି ସଂଗଠନର ୧୫୦ରୁ ଅଧିକ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ । ଅଭିଯାନରେ ଗ୍ରାମସ୍ତରରେ କୃଷକମାନେ ନିଜ ନିଜ ଜମିର ଭୂମି ସଂଗ୍ରହ କରି ଗୋଟିଏ ସ୍ଥାନରେ ଏକାଠି କରି ଏହାକୁ ପୂଜନ ସହ ରାସାୟନିକ ସାର ଓ ଔଷଧର ପ୍ରୟୋଗ ନକରିବାକୁ ସଂକଳ୍ପ ନେବେ ।


