ଅନିର୍ଦ୍ଦିଷ୍ଟ କାଳ ଲାଗି ଲିଙ୍ଗରାଜ ମନ୍ଦିର ବନ୍ଦ
ଭୁବନେଶ୍ୱର (ୱାଇଏନ୍ଏସ୍) : ବଢୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିର । କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ସାଧାରଣ ଦର୍ଶନାର୍ଥୀଙ୍କ ଲାଗି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି ସମୟରେ ସେବାୟତଙ୍କ ଦ୍ୱାରା ମନ୍ଦିରରେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ବିଧି ଅନୁସାରେ କରାଯିବ । ସେହିଭଳି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କୋଭିଡ୍ ଗାଇଡ୍ ଲାଇନ ଭିତରେ ହେବ ଏ ନେଇ ବିଏମସି ପକ୍ଷରୁ ଗତ ୯ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ ପାଇସାରିଥିବାରୁ ସେହି ଅନୁସାରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ଗତ ଜାନୁଆରୀ ୬ରେ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଥିଲା । ସବୁ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଲାଗି ଭୁବନେଶ୍ୱର ମହାନଗର ନିଗମ ଅନୁମତି ପ୍ରଦାନ କରିଥିଲା । ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଥିଲେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଥିଲା ।


