ବାଲି ଟ୍ରକ ଜବତ
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ତହସିଲ ଅଧିନରେ ବେଆଇନ ବାଲି ଚାଲାଣ କାର୍ଯ୍ୟ ଏକ ନିତିଦିନିଆ ଘଟଣା ହୋଇଗଲାଣି । ସ୍ଥାନୀୟ ବୈତରଣୀ ନଦୀରୁ ବର୍ଷବର୍ଷ ଧରି ବାଲି ଉତ୍ତୋଳନ ହୋଇ ବେଆଇନ ଭାବେ ବିକ୍ରୟ ହେଉଥିବାବେଳେ କୌଣସି ଘାଟକୁ ପ୍ରଶାସନ ପକ୍ଷରୁ ଏଯାଏଁ ନିଲାମ କରାଯାଇପାରୁନାହିଁ । ନିକଟରେ ଯଦିଓ ଜଗନ୍ନାଥପ୍ରସାଦ ଓ ଝୁଟୁଣା ଦୁଇଗୋଟି ବାଲି ଘାଟକୁ ନିଲାମ ଡକାଯାଇଥିଲା ତାହା ଏବେ ଆଇନଗତ ଜାଲରେ ବନ୍ଧା ପଡିଛି । ଏହାର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର ବାଲି ମାଫିଆମାନେ ବେଆଇନ ଭାବେ ବୈତରଣୀ ଗର୍ଭକୁ ଖନନ କରି ଚାଲିଛନ୍ତି । ଫଳରେ ଶହଶହ ଟ୍ରିପ ବାଲି ଦିବାଲୋକରେ ଚାଲାଣ ହେଉଥିବା ଜଣାପଡିଛି । ତହସିଲ ପକ୍ଷରୁ ସପ୍ତାହର ଦିନେ ଦୁଇଦିନ ଏହା ଉପରେ ଚଢାଉ ହେଉଥିଲେ ସୁଦ୍ଧା ଅନେକ ବାଲି ଗାଡି ଖସିଯାଉଥିବାବେଳେ ହାତଗଣତି କେତେଗୋଟି ଧରାପଡୁଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଆଜି ତହସିଲଦାର କ୍ଷିରୋଦ କୁମାର ପଣ୍ଡା ବେଆଇନ ବାଲି ପରିବହନ କରୁଥିବା ଦୁଇଗୋଟି ଗାଡିକୁ ସନ୍ଦେହରେ ଅଟକ ରଖିଥିଲେ । ଗୋଟିଏ ଗାଡି ବାଲି ପରିବହନର ଉପଯୁକ୍ତ କାଗଜପତ୍ର ଦେଖାଇ ଖସିଯାଇଥିବାବେଳେ ଅନ୍ୟଟ୍ରକଟି ଠାରୁ ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି । ବେଆଇନ ଲଘୁଖଣିଜ ଦ୍ରବ୍ୟ ପରିବହନ କରୁଥିବା ଅଭିଯୋଗରେ ରାଜସ୍ୱ ବାବଦରେ ୧୫ହଜା ଟଙ୍କା ଆଦାୟ ହୋଇଥିବା ସୂଚନା ଦିଆଯାଇଛି ।