ଭାରତ ସ୍କାଉଟ ଏଣ୍ଡ ଗାଇଡ଼ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଜବାହର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ବଡ଼କୋଦଣ୍ଡା ଠାରେ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଭାରତ ସ୍କାଉଟ ଏଣ୍ଡ ଗାଇଡ଼ ସମ୍ପାଦକ ସ୍ୱର୍ଗତ ରାମମୂର୍ତି ଦୋରାଙ୍କ ଏକାଦଶାହ ଶ୍ରାଦ୍ଧ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ସ୍କାଉଟ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ, ବାହାଡ଼ାପଦର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଶିକ୍ଷକ ହୃଷିକେଶ ନାୟକ, ଶିକ୍ଷକ ସନ୍ତୋଷ କୁମାର ବେହେରା ଯୋଗଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ ସହ ସ୍ୱର୍ଗତ ରାମମୂର୍ତି ଦୋରାଙ୍କ ଫୋଟ ଚିତ୍ର ଉପରେ ପୁଷ୍ପ ପ୍ରଦାନ କରିବା ପରେ ସମସ୍ତ ଅତିଥି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଅତିଥିମାନେ ସ୍ୱର୍ଗତ ଦୋରାଙ୍କ ସ୍ମୃତି ଚାରଣ କରିଥିଲେ । ଭାରତ ସ୍କାଉଟ ଏଣ୍ଡ ଗାଇଡ଼ ସ୍ୱର୍ଗତ ଦୋରାଙ୍କ ନିଃସ୍ୱାର୍ଥ ପର ସେବା ସହ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ନୀତି ଆଦର୍ଶ ପାଇଁ ଗଞ୍ଜାମ ଜିଲ୍ଲା ସାରା ରାଜ୍ୟରେ ସମ୍ମାନ ଓ ପ୍ରଶଂସା ପାଇଥିବା ଅତିଥିମାନେ କହିଥିଲେ । ଗଞ୍ଜାମ ଜିଲ୍ଲାର ବହୁ ସ୍କୁଲରେ ସ୍କାଉଟ୍ ଏଣ୍ଡ ଗାଇଡ଼ ଟ୍ରୁପ ରହି ଅସମୟରେ ଲୋକଙ୍କୁ ସେବା ଯୋଗାଇ ଜିଲ୍ଲା ପାଇଁ ଗୌରବ ଆଣି ପାରିଛି । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଗଣେଶ ଚନ୍ଦ୍ର ପଣ୍ଡା, ସାଜନ ସ୍ୱାଇଁ, ମନୋରଞ୍ଜନ ପଣ୍ଡା, ରାଜଲକ୍ଷ୍ମୀ ସାହୁ, ରଶ୍ମିତା ସାହୁ, ନୀଳାଂଚଳ ପ୍ରଧାନ, ସୁରଭି କୁସୁମଲତା, ପ୍ରଶାନ୍ତ ପଣ୍ଡା ଓ ସୁଜାତା ଦାସ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହା ସହିତ ଓଷ୍ଟା ଜିଲ୍ଲା ସଭାପତି ହିମାଂଶୁ କୁମାର ପଟ୍ଟନାୟକ, ସମ୍ପାଦକ ବିଜୟ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଡ଼ଃ ବିଜୟ ଚନ୍ଦ୍ର ମହାରଣା, ଉପସଭାପତି ଭିକାରୀ ଗୌଡ଼, ଅଶୋକ ଦଳେଇ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଶେଷରେ ବରିଷ୍ଠ ଶିକ୍ଷକ ଗଣେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।


