ମେୟର ଓ ପୌରାଧ୍ୟକ୍ଷ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ
ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟ ସରକାର ଶେଷରେ ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ମହାନଗର ନିଗମ ମେୟର, ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଏଣିକି ପ୍ରତ୍ୟକ୍ଷ ନିର୍ବାଚନ ହେବ। ଏମାନେ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ। ୱାର୍ଡ ସୀମା ନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନାକୁ ନେଇ ଏହି ସଂଶୋଧିତ ଆଇନ ଜାରି କରି ସରକାର ଆଜିଠୁ ୩୦ ଦିନ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଆହ୍ୱାନ କରିଛନ୍ତି। ଏହି ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ-୧୯୯୪ର ଅଧ୍ୟାୟ ୩ରେ ସଂଶୋଧନ କରିଛନ୍ତି। ପୌରାଂଚଳ ଓ ବିଜ୍ଞପିତ ପରିଷଦର ଅଧ୍ୟକ୍ଷ ଏଣିକି ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ। ଏଥିପାଇଁ ନିର୍ବାଚନ ସମୟରେ କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ଦୁଇଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ୍ ପେପର ରହିବ। ପୌରାଂଚଳର ଜନସଂଖ୍ୟା ଆଧାରରେ ଅଧ୍ୟକ୍ଷ ପଦବୀ କେଉଁ ବର୍ଗର ହେବେ ତାହା ସ୍ଥିର ହେବ। ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୋଟିଏ ଓ ୱାର୍ଡର କାଉନସିଲର ନିର୍ବାଚନ ପାଇଁ ଅନ୍ୟ ଗୋଟିଏ, ଏହିପରି ଦୁଇଟି ଭିନ୍ନ ଭିନ୍ନ ଭୋଟବାକ୍ସ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ରହିବ। ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କ ନିମନ୍ତେ ସାଧାରଣ ଭାବେ ଏହା ବ୍ୟବହାର କରାଯିବ। ଏହି ସଂଶୋଧିତ ଚିଠା ଆଇନ ଓଡ଼ିଶା ଗେଜେଟରେ ପ୍ରକାଶ ପାଇବାର ୩୦ଦିନ ମଧ୍ୟରେ ଯେକୌଣସି ନାଗରିକ ନିଜର ଆପତ୍ତି ଅଭିଯୋଗକୁ ବିଭାଗୀୟ ସଚିବଙ୍କ ନିକଟରେ ଦାଖଲ କରିପାରିବେ ।


