ଦୂତୀଙ୍କ ଅଡ଼ୁଆ ବଢ଼ିଲା
ଭୁବନେଶ୍ୱର, (ୱାଇଏନ୍ଏସ୍):ଏକ ମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରି ବିବାଦକୁ ଠେଲି ହୋଇଛନ୍ତି ଆଥ୍ଲେଟ୍ ଦୂତୀ ଚାନ୍ଦ । ଏକ ୱେବ୍ ପୋର୍ଟାଲ ପ୍ରତିନିଧିଙ୍କୁ ଦୂତୀଙ୍କ ଧମକ ମାମଲାର ଶୁଣାଣିକରି ହାଇକୋର୍ଟ ବିଚାରପତି ବିଶ୍ୱଜିତ୍ ମହାନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶଙ୍କୁ ଏହି ଘଟଣାର ତଦନ୍ତ କରି ଶୀଘ୍ର ଦୂତୀଙ୍କ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୩ ତାରିଖରେ ଦୂତୀଙ୍କ ବିରୋଧରେ ତାଙ୍କ ବାପା, ମା, ବଡ ଭଉଣୀ ପ୍ରେସ୍ ବିବୃତି ମାଧ୍ୟମରେ ଅଭିଯୋଗ କରିଥିଲେ। ଏନେଇ ୪ ତାରିଖ ସନ୍ଧ୍ୟାରେ ଉକ୍ତ ପୋର୍ଟାଲର ଖବରଦାତା ଦୂତୀଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରିଥିଲେ। ହେଲେ ଦୂତୀ ତାଙ୍କୁ ଗାଳିଗୁଲଜ କରିବା ସହ ମିଛ କେସ୍ରେ ଜେଲ୍ରେ ପୂରାଇଦେବେ ବୋଲି କହିଥିଲେ। ସେହିପରି ମୋବାଇଲ ହ୍ବାଟ୍ସଆପ୍ ଚାଟ୍ ମାଧ୍ୟମରେ ମଧ୍ୟ ଧମକ ଦେଇଥିଲେ। ଦୂତୀ ଜଣେ ପ୍ରତିଷ୍ଠିତ ଆଥ୍ଲେଟ୍ ହୋଇଥିବାରୁ ପୋର୍ଟାଲର କାର୍ଯ୍ୟକର୍ତ୍ତାମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଯଦି ସେମାନଙ୍କର କିଛି ହୁଏ, ତେବେ ଦୂତୀ ଦାୟୀ ରହିବେ ବୋଲି ୪ ତାରିଖରେ ସୁଧାଂଶୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ଗତ ୭ ତାରିଖରେ ସେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାସତ୍ତ୍ୱେ କିଛି ପଦକ୍ଷେପ ନିଆ ନ ଯିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


