କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବକୁଳ ବନ ବିଦ୍ୟାଳୟ ଗସ୍ତ : ଓଡ଼ିଆ ନବଜାଗରଣର ମୂଳ କେନ୍ଦ୍ର ଥିଲା ବକୁଳ ବନ ବିଦ୍ୟାଳୟ – ଧର୍ମେନ୍ଦ୍ର ପ୍ରଧାନ

ସାକ୍ଷୀଗୋପାଳ/ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀର ବକୁଳ ବନ ବିଦ୍ୟାଳୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଆ ନବଜାଗରଣର ମୂଳ  କେନ୍ଦ୍ର ଥିଲା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁବାର କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ଓଡ଼ିଶାର ସାମାଜିକ, ଶିକ୍ଷା ଏବଂ ରାଜନୈତିକ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଐତିହାସିକ ବକୁଳ ବନ ବିଦ୍ୟାଳୟ ପରିଦର୍ଶନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ନୂଆ ଦାୟିତ୍ୱ ନେବା ପରେ ପ୍ରଥମ ଓଡ଼ିଶା ଗସ୍ତରେ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିବା ସହ ନୂଆ ଓଡ଼ିଶା ଗଢ଼ିବାର ଏନ୍ତୁଡ଼ିଶାଳ ତଥା ୧୦୦ ବର୍ଷ ପୂର୍ବେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବକୁଳ ବନ ବିଦ୍ୟାଳୟ ପରିଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେକରୁଛି । ନୂଆ ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିବା ଦିନରୁ ହିଁ ଓଡ଼ିଶାର ପ୍ରଥମ ଗସ୍ତରେ ଏହି ଶିକ୍ଷାନୁଷ୍ଠାନକୁ ଆସିବା ନେଇ ମୋର ପ୍ରବଳ ଆଗ୍ରହ ଥିଲା । ବିଶେଷତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂତନ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ବେଳେ ଏହି ପବିତ୍ର ସ୍ଥାନକୁ ଆସିବା ମୋତେ ଅପୂର୍ବ ଆନନ୍ଦ ଦେଇଛି ।ପରାଧିନ ଭାରତକୁ ସ୍ୱାଧୀନତା ଦେବା ପାଇଁ ଦେଶର ଆବାଳବୃଦ୍ଧବନିତା ସ୍ୱତନ୍ତ୍ରତା ସଂଗ୍ରାମରେ ଝାସ ଦେଉଥିଲେ । ସେ ସମୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାରେ ସ୍ୱତନ୍ତ୍ରତା ସଂଗ୍ରାମର ନେତୃତ୍ୱ ନେବା ସହ ଦେଶ ସ୍ୱାଧୀନତା ପାଇଁ ଯୋଜନା ଓ ପରିକଳ୍ପନା ଏହି ଠାରୁ ହିଁ ଆରମ୍ଭ କରିଥିଲେ । ତା’ର ପ୍ରୟୋଗଶାଳା ହୋଇଥିଲା ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ । ମୌଳିକ ଶିକ୍ଷା ସହ ରୋଜଗାର ଦେବା ଭଳି ଶିକ୍ଷା ତଥା ଆତ୍ମନିର୍ଭରର ଆଭିମୁଖ୍ୟ ଶିକ୍ଷା ଏଠାରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିଲା । ବକୁଳ ବନର ସବୁଜିମା ମଧ୍ୟରେ ଛାତ୍ରଛାତ୍ରୀଙ୍କ ମନରେ ନୂଆ ଆଶା ଓ ଆକାଂକ୍ଷା ଜନ୍ମ ନେଇଥିଲା । ପ୍ରାକୃତିକ ମନୋରମ ପରିବେଶରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ଗଢ଼ି ଉଠିଥିବା ଏହି ବିଦ୍ୟାଳୟ ସ୍ୱାଧୀନତା ସଂଗ୍ରାମ ସମୟରେ ମଣିଷ ତିଆରି ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠିତ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତିା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ ଐତିହାସିକ ବକୁଳ ବନ ବିଦ୍ୟାଳୟ ନିକଟସ୍ଥ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ସହ ଦୀର୍ଘ ଦିନ ପରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ବେଶ୍ ଉତ୍ସାହିତ ଥିବା ଜାଣି ଖୁସି ଅନୁଭବ କରିଥିବା କହିଥିଲେ । ସେହିପରି ବିଦ୍ୟାଳୟ ପରିସରରେ ଅବସ୍ଥାପିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ସହ ଜଡ଼ିତ ବିଭିନ୍ନ ବିଷୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ