ବିଦ୍ୟୁତ ଉତ୍ପାଦନ, ବଂଟନ ଓ ଉନ୍ନତିକରଣ ପାଇଁ ସରକାରଙ୍କୁ ପରାମର୍ଶ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ବିଦ୍ୟୁତ୍ ଉତ୍ପାଦନ, ବଂଟନ ଓ ଉନ୍ନତିକରଣ ଉପରେ ଗୃହ କମିଟି ବୈଠକ ଗୁରୁବାର ବିଧାନସଭା ପ୍ରକୋଷ୍ଠ ୫୯ରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ ବଂଟନ ଓ ଉନ୍ନତିକରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଓଡ଼ିଶା ରାଜ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇଥିବା ଦୃଷ୍ଟିରୁ ରାଜ୍ୟର ଗରିବ ଜନସାଧାରଣଙ୍କୁ ସୁଲଭ ଦରରେ ବିଦ୍ୟୁତ୍ ଯୋଗାଣ ପାଇଁ ଏବଂ ପ୍ରତ୍ୟେକ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ପାଇଁ ବାଚସ୍ପତି ଡ଼ଃ ପାତ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ଗଠିତ ଚାରୋଟି ବିଧାନସଭା ସବ୍‌-କମିଟି ସଦସ୍ୟମାନେ ସମ୍ପୃକ୍ତ ଅଂଚଳକୁ ଗସ୍ତରେ ଯାଇ ବାସ୍ତବ ସ୍ଥିତି ଆକଳନ କରିବା ଓ ବିଧାନସଭାକୁ ରିପୋର୍ଟ ପ୍ରଦାନ କରିବା ପାଇଁ ବାଚସ୍ପତି ଡ଼ଃ ପାତ୍ର ପରାମର୍ଶ ଦେଇଥିଲେ । ବିଧାୟକ ଅମର ପ୍ରସାଦ ଶତପଥୀ ବ୍ୟବସ୍ଥାଗତ ଉନ୍ନତି ପାଇଁ ଏବଂ ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ପାଇଁ ବିଦ୍ୟୁତ୍ ଦର କମାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ବିଧାୟକ କିଶୋର ମହାନ୍ତି ଗ୍ରାମାଂଚଳରେ ବିଦ୍ୟୁତ୍ ସଂଯୋଗ ସ୍ଥିତିର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ପୂର୍ବରୁ ଓଡ଼ିଶା ଶକ୍ତି ଉତ୍ପାଦନ କ୍ଷେତ୍ରରେ ନିଅଂଟିଆ ରାଜ୍ୟ ହୋଇଥିବା ଦୃଷ୍ଟିରୁ ଅନେକ ରାଜ୍ୟ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ଏବଂ ଅବଧି ପୁରିନଥିବାରୁ ସେହି ରାଜିନାମାଗୁଡିକ କାର୍ଯ୍ୟକାରୀ ହେଉଛି । ଫଳତଃ ଶକ୍ତି ବିତରଣ ଅପେକ୍ଷାକୃତ ଭାବେ ଅଧିକ ପଡୁଥିବା ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦର୍ଶାଇଥିଲେ । ଇ – ଟେଣ୍ଡର ବ୍ୟବସ୍ଥା ମାଧ୍ମରେ ବୃହତ୍ ଶିଳ୍ପ ସଂସ୍ଥା ଓ ଉଦ୍ୟୋଗ ଗୁଡିକୁ ବିଦ୍ୟୁତ୍ ବଂଟନ କରାଯାଉଛି ଏବଂ ଏଥିରେ କୌଣସି ସନ୍ଦେହ ପ୍ରକାଶ କରିବା ଉଚିତ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଦ୍ୟୁତ୍ ବିତରକ ଟାଟା କମ୍ପାନୀ ବ୍ୟାପକ କର୍ମଚାରୀ ଛଟେଇ କରୁଥିବାରୁ ଘୋର ଉଦବେଗ ପ୍ରକାଶ କରିଥିଲେ । ବିଧାୟକ ନୃସିଂହ ଚରଣ ସାହୁ ପରଜଙ୍ଗ ଅଂଚଳରେ ବ୍ୟପକ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ କରିବା ସହ ଅବିଳମ୍ୱେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ଉନ୍ନତି ପାଇଁ ଏକ ଗ୍ରୀଡ୍ ପ୍ରତିଷ୍ଠା କରିବା ପାଇଁ ଦାବୀ ଉପସ୍ଥାପନ କରିଥିଲେ । ବିଧାୟକ ଅନନ୍ତ ଦାଶ କେନ୍ଦୁଝର, ମୟୁରଭଞ୍ଜ, ଉଦ୍ରକ, ବାଲେଶ୍ୱର ପ୍ରଭୃତି ଜିଲ୍ଲାର ବିଭିନ୍ନ ଗ୍ରାମରେ ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରି ବିଦ୍ୟୁତ୍ ଯୋଗାଣ କରିବାକୁ ପରାମର୍ଶ ଦେଇଥିଲେ । ଭାରତୀୟ ଜନତା ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅର୍ଥ ବ୍ୟବସ୍ଥା ଥିବା ସତ୍ୱେ ପୁରୁଣା ତାରଗୁଡିକୁ ବଦଳା ଯାଉନଥିବା ଏବଂ ଏଥିପାଇଁ ବିଭିନ୍ନ ସମୟରେ ମନୁଷ୍ୟ ଏବଂ ହାତୀମାନେ ମୃତ୍ୟୁମୁଖରେ ପଡୁଥିବା ଦର୍ଶାଇଥିଲେ । ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ନିୟୋଜନ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ବରଗଡ ଜିଲ୍ଲାରେ ବିଜୁ କୃଷକ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଟାଟା କମ୍ପାନୀ ତୁରନ୍ତ କୃଷକମାନଙ୍କୁ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଗୃହ କମିଟି ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂ, ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ,ବିଧାୟକ ସନ୍ତୋଷ ସିଂ ସାଲୁଜା,ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ