ମାଲକାନଗିରିରେ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (ୱାଇଏନ୍ଏସ୍): ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ । ଆଜି ମାଲକାନଗିରି ରେ ସ୍ମାର୍ଟ ହେଲଥ କାର୍ଡ ବଂଟନ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ୍ୱିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ପ୍ରଥମ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ରୁ ସ୍ୱାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ସେ ଚାଷୀ ହେଉ ବା ମୂଲିଆ, ଛୋଟ ଦୋକାନୀ ହେଉ, ବା ରିକ୍ସା ବାଲା, ଟ୍ରଲି ବାଲା କିମ୍ବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇ ଭଉଣୀ, ବା ସାଧାରଣ ଲୋକ, ସେ ଗାଁ ରେ ରହୁ ବା ସହରରେ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବାଧକ ନ ହେଉ । ସମସ୍ତେ ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ । ପ୍ରତି ପରିବାରର ଉନ୍ନତି ରେ ହିଁ ରାଜ୍ୟର ଉନ୍ନତି ବୋଲି ସେ କହିଥିଲେ ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷ ଟଙ୍କାକୁ କିପରି ବୃଦ୍ଧି ହେଲା ସେ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ “୨୦୧୮ ମସିହାରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା । ମୁଁ ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେ ସଭାରେ ଝିଅଟିଏ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଲା । ଝିଅ ଟିର ସାହସ ଓ ବୁଦ୍ଧିକୁ ସମସ୍ତେ ସେ ଦିନ ତାରିଫ କରିଥିଲେ । ଝିଅଟି ଥିଲା ଆମ ମାଲକାନଗିରିର ମମତା ପଡିଆମୀ । ତାଙ୍କ ପ୍ରସ୍ତାବଟି ମୋତେ ବହୁତ ଭଲ ଲାଗି ଥିଲା ଏବଂ ମୁଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଥିଲି ।”ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆମେ ନୂଆ ରୂପରେ କାର୍ଯ୍ୟକାରୀ କରିବାକୁ ଯାଉଛୁ । ଏହି କାର୍ଯ୍ୟକ୍ରମ ମୁଁ ମାଲକାନଗିରିରୁ ଆରମ୍ଭ କରିବା ପାଇଁ ନିଷ୍ପତି ନେଲି । ଆଗାମୀ ସେପ୍େଟମ୍ବର ପହିଲାରୁ ଏହା ଲାଗୁ ହେବ ।ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ ବୋଲି ପ୍ରକାଶ କରି ସେ କହିଲେ ଯେ ରାଜ୍ୟର ସାଢେ ତିନି କୋଟି ଲୋକ ଉପକାର ପାଇବେ । ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ ହସ୍ପିଟାଲରେ କିଛି ଡକ୍ୟୁମେଂଟ ଦେବା ଦରକାର ହେବ ନାହିଁ ବୋଲି ସେ କହିଥିଲେ । କେବଳ ଏହି ସ୍ମାର୍ଟ ହେଲ୍ଥ କାର୍ଡ ସାଥିରେ ନେଇ ହସପିଟାଲ ଯିବାକୁ ହେବ । ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇପାରିବେ ।ଏହି କାର୍ଡରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବା ରେ ସାରା ଦେଶରେ ଓଡିଶା ପ୍ରଥମ ।ଆପଣଙ୍କ ରାଜ୍ୟ ସରକାର ପ୍ରଥମ । ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ସେ କହିଥିଲେ ।ସ୍ୱାସ୍ଥ୍ୟ ସହିତ ଅର୍ଥନୀତିର ନିବିଡ ସଂପର୍କ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ୱାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ । ତେଣୁ ପରିବାରରେ କେହି ଅସୁସ୍ଥ ହୋଇପଡିଲେ, ଆମର ଚିନ୍ତା ବଢିଯାଇଥାଏ । ସବଠୁ ବଡ ଚିନ୍ତା ଥାଏ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା । ଏଥିପାଇଁ କିଏ ଜମି ବିକିଥାଏ, କିଏ ସୁନା ବିକିଥାଏ, କିଏ ଋଣ କରିଥାଏ । କେହି କେହି ଚିକିତ୍ସା ଖର୍ଚ୍ଚ ପାଇଁ ପିଲାମାନଙ୍କ ପାଠପଢା ମଧ୍ୟ ବନ୍ଦ କରିଦେଇଥାନ୍ତି । କେହି କେହି ମଧ୍ୟ ଧାର କରଜ କରିଥାନ୍ତି ।“ ଏ ଖବର ମୁଁ ଯେତେବେଳେ ଶୁଣେ, ମୋତେ ବହୁତ ଦୁଃଖ ଲାଗେ । ଆମର ଏହି ସ୍ମାର୍ଟ ହେଲ୍ଥ କାର୍ଡ ଆପଣଙ୍କର ଏ ଦୁଃଖ ଲାଘବ କରିବ । ଚିକିତ୍ସା ବୋଝ କମ୍ କରିବାରେ ସାହାଯ୍ୟ କରିବ । ଆପଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି । ତେଣୁ ଏ ବାବଦ ଟଙ୍କାକୁ ଆପଣ ସଞ୍ଚୟ କରିପାରିବେ । ନିଜ ପିଲାଙ୍କ ପାଠପଢା ପାଇଁ, ପରିବାରର ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ ।”ରାଜ୍ୟର ସବୁ ସରକାରୀ ହସ୍ପିଟାଲ ଗୁଡିକରେ ସମସ୍ତ ସ୍ୱାସ୍ଥ୍ୟ ସେବା ମାଗଣାରେ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ସରକାରୀ ହସ୍ପିଟାଲରେ ଓଡିଶାବାସୀଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଆମର ସରକାରୀ ହସ୍ପିଟାଲରେ ଡ଼ାଇଲିସିସ୍ ଠାରୁ ଆରମ୍ଭ କରି କେମୋ ଥେରାପୀ, ସିଟି ସ୍କାନ, ଏମଆରଆଇ ବିଭିନ୍ନ ପାଥୋଲୋଜୀ ଟେଷ୍ଟ ସୁବିଧା ମିଳୁଛି । ମୁଁ ବହୁତ ଖୁସି ଯେ ଆମର ଲକ୍ଷ ଲକ୍ଷ ରୋଗୀ ସରକାରୀ ହସ୍ପିଟାଲରେ ଏ ସୁବିଧା ନେଉଛନ୍ତି ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ବିକାଶ ଉପରେ ଆଲୋକପାତ କରିଥିଲେ ।ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ମୁଖ୍ୟମନ୍ତ୍ରୀ ସାରା ଦେଶରେ ଆଦର୍ଶ ହୋଇଛନ୍ତି । ଏମ୍ ପି ଶ୍ରୀ ରମେଶ ମାଝି ସ୍ୱାଗତ ଭାଷଣ ଦେଇ ଥିଲେ । କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ଧନ୍ୟବାଦ ଜଣାଇଥିଲେ ।ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ରେ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିବା ମମତା ପତିଆମୀ ମଧ୍ୟ ସଭାରେ ଯୋଗଦେଇ ତାଙ୍କ ମତାମତ ଦେଇ ଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।ଏହି ସ୍ମାର୍ଟ ହେଲ୍ଥ କାର୍ଡ ରେ ୬୪କେବି ର ଚିପ୍ସ ରହିଛି ।ଏଥିରେ ହିତାଧିକାରୀଙ୍କ ସମସ୍ତ ତଥ୍ୟ ରହିଛି । ହିତାଧିକାରୀ ଚାହିଁଲେ ମୋ ସେବା କେନ୍ଦ୍ର କୁ ଯାଇ ନୂଆ ତଥ୍ୟ ଯୋଗ କରି ପାରିବେ ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ର ସଭ୍ୟ ବୃନ୍ଦ ,ଏମ ପି ଏମ୍ ଏଲ୍ ଏ ପ୍ରମୁଖ ଉପସ୍ଥିତ ଥିଲେ ।


