ଟଙ୍କପାଣି ରୋଡ଼ର ନାମ ପରିବର୍ତ୍ତନକୁ ବିରୋଧ କରି ବିକ୍ଷୋଭ:
ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜଧାନୀର ପୁରାତନ ରବିଟକିଜ-ବ୍ରହ୍ମେଶ୍ୱର ପାଟଣା-ପୁରୀ ବାଇପାଶ୍ ଛକ ଟଙ୍କପାଣି ରୋଡ଼ର ନାମ ପରିବର୍ତ୍ତନ କରାଯାଇ ସହିଦ ଦିବାକର ମାର୍ଗ ନାମ ଦିଆଯାଇଛି । ଏହି ନୁଆ ନାମକୁ ବିରୋଧ କରି ସୋମବାର ପୂର୍ବାହ୍ନରେ ଅଞ୍ଚଳବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରବିଟକିଜ ରାସ୍ତାର – ଚିଲ୍ଲୀ ପୋଖରୀ ନିକଟ ଦୟା ୱେଷ୍ଟ କେନାଲ ବ୍ରିଜ ଉପରେ ବିକ୍ଷୋଭକାରୀମାନେ ଏକ ପ୍ରତିବାଦ ସଭା କରିବା ସହ ରାଜ୍ୟସରକାର ଏହି ନାମକୁ ପରିବର୍ତ୍ତନ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବାଭଳି ବିଭିନ୍ନ ନାରାବାଜି ଦେଇଥିଲେ । ଟଙ୍କପାଣି ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମା’ ଟଙ୍କପାଣିଙ୍କ ନାମ ଅନୁସାରେ ଏହି ରାସ୍ତାର ନାମ ରହିଅଛି । ଏହି ରାସ୍ତା ବ୍ରହ୍ମେଶ୍ୱର, ବଡ଼ଗଡ଼, ବାସୁଆଘାଇ, ଗ୍ରା.ପ., ବାଙ୍କୁଆଳ ଗ୍ରା.ପ., ରାଜାରାଣୀ ନଗର, ରତ୍ନାକର ବାଗ, ଶିବନଗର, ଆଦି ଅଞ୍ଚଳକୁ ସଂଯୋଗ କରୁଛି । ଯାହା ୧୦୦ବର୍ଷର ପୁରୁଣା ନାଁବୋଲି ପ୍ରତିବାଦ ସଭାରେ କୁହାଯାଇଛି । ଅତ୍ୟାଧୁନିକ ଏବଂ ସ୍ମାଟସିଟି ନାମରେ ଏଭଳି ନାମ ପରିବର୍ତ୍ତନ ଗ୍ରାମବାସୀଙ୍କର ଭାବନାକୁ ଆଘାତ ଦେଉଥିବା ଆନ୍ଦୋଳନକାରୀମାନେ କହିଛନ୍ତି । ଆମର ବୀର ସହିଦ ଦିବାକରଙ୍କ ପ୍ରତି ସମ୍ମାନ ରହିଛି ତେଣୁ ସହରର ଅନ୍ୟ କେଉଁ ରାସ୍ତାକୁ ତାଙ୍କର ନାମରେ ନାମିତ କରାଯାଉବୋଲି ଟଙ୍କପାଣିରୋଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଗୋଲକ ଦାସ କହିଛନ୍ତି । କମିଶନରେଟ ପୋଲିସର ଜୋନ-୪ର ଏ.ସି.ପି. ରଜତ ରାୟ ଏବଂ ବଡ଼ଗଡ଼ ଥାନା ଏବଂ ଲକ୍ଷ୍ମୀସାଗର ଆଇ.ଆଇ.ସି. ବିଶ୍ୱରଞ୍ଜନ ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ôଚ ବିକ୍ଷୋଭକାରୀମାନଙ୍କୁ ବୁଝାସୁଝା କରିଥିଲେ । ୭ଦିନ ମଧ୍ୟରେ ଘଟଣାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାପରେ ବିହିତ ପଦକ୍ଷେପ ନିଆଯିବବୋଲି ପ୍ରତିଶୃତି ପାଇବାପରେ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ଓହରି ଥିଲେ । ବିକ୍ଷୋଭରେ ଜ୍ୟେତିଷ୍କର ପଟ୍ଟନାୟକ, ସଞ୍ଜିବ କୁମାର କର, ପୁପୁନ୍ ଭଦ୍ର, ବିଶ୍ୱନାଥ ପଣ୍ଡା, ତାପସ ଦାସ, ଲକ୍ଷ୍ମୀଧର ପଣ୍ଡାଙ୍କ ସମେତ ବ୍ରହ୍ମେଶ୍ୱର ପାଟଣା ପ୍ରମୁଖ ଗ୍ରାମବାସୀ, ମା’ ଟଙ୍କପାଣି ରୋଡ଼ ବ୍ୟବସାୟୀ ସଂଘ, ଟଙ୍କପାଣି ଗାଁ, ଜଗନ୍ନାଥ କଲୋନୀ, ରାଜାରାଣୀ କଲୋନୀ, ରତ୍ନାକର ବାଗର ଅନେକ ଜନସାଧାରଣମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।


