ଅମର୍ଦ୍ଦାରୋଡ଼ ରେଳପୋଲ ଓ ରାସ୍ତା ନିର୍ମାଣରେ ଅଣଆବାସିକ ସ୍ଥାନ ନିରୂପଣ ପାଇଁ ଗୁହାରୀ
ବାଲେଶ୍ୱର, (ସରୋଜ ପଣ୍ଡା) : ଅମର୍ଦ୍ଦାରୋଡ଼ଠାରେ ପ୍ରସ୍ତାବିତ ରେଳ ଉଡ଼ନ୍ତା ବ୍ରିଜ ଓ ରାସ୍ତା ନିର୍ମାଣରେ ପ୍ରଭାବିତ ହେବାକୁ ଯାଉଥିବା ଲୋକଙ୍କ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ସ୍ଥାନୀୟ ବାସିନ୍ଦାମାନେ ଜିଲାପାଳଙ୍କୁ ବୁଧବାର ଗୁହାରୀ କରିଛନ୍ତି । ସେମାନଙ୍କ ଆପତ୍ତି ଅନୁସାରେ ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଅମର୍ଦ୍ଦାରୋଡଠାରେ ବାରିପଦା ରୋଡ଼ ଏବଂ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାକୁ ରେଳ ଓଭର ବ୍ରିଜ୍ ସହିତ ଯୋଡ଼ି ଉଚ୍ଚ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆବଶ୍ୟକୀୟ ସର୍ଭେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ତେବେ ଅଟକଳ ଅନୁସାରେ ପ୍ରସ୍ତାବିତ ପୋଲ ଓ ରାଜ୍ୟ ରାଜପଥ ଅମର୍ଦ୍ଦା ରୋଡ଼ ଆବାସିକ ଅଞ୍ଚଳ ମଧ୍ୟଦେଇ ନିର୍ମାଣ କରାଯିବାର ଯୋଜନା ରହିଛି । ଏହା ଦ୍ୱାରା ଦୁଇ ତିନୋଟି ଅଟ୍ଟାଳିକା, ଦୁଇଟି ମନ୍ଦିର ଏବଂ ଅନେକ ଛୋଟ ବଡ଼ ଦୋକାନ ସମେତ କିଛି ଆଦିବାସୀଙ୍କ ଘର ପ୍ରଭାବିତ ହେବା ନେଇ ଆଶଙ୍କା ଦେଖାଯାଇଛି । ଅନ୍ୟପକ୍ଷରେ ପ୍ରସ୍ତାବିତ ରାଜପଥ ଗାଁ ମଧ୍ୟଭାଗ ଦେଇ ଯାଉଥିବାରୁ ଭବିଷ୍ୟତରେ ଦୁର୍ଘଟଣା ଘଟି ଜୀବନ ଜୀବନ ହାନୀର ସମ୍ଭାବନା ସାଙ୍ଗକୁ ଏହି ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧିକୁ ମଧ୍ୟ ଏଡ଼େଇ ଦିଆଯାଇ ନପାରେ । ଏହି ପ୍ରକଳ୍ପ ଦ୍ୱାରା ବହୁ ମୂଲ୍ୟବାନ ଅଟ୍ଟାଳିକା ଏବଂ ବାଣିଜ୍ୟିକ ଦୋକାନଗୁଡିକ ଭାଙ୍ଗିବା ସହ ଅନେକ ଲୋକ ସେମାନଙ୍କ ଆୟର ଉତ୍ସ ମଧ୍ୟ ନଷ୍ଟ ହେବ । ଏହିଭଳି ସ୍ଥିତିରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଅଣ ଆବାସିକ ସ୍ଥାନ ନିରୂପଣ ନିମନ୍ତେ ଗ୍ରାମବାସୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ସ୍ୱୟଂ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ ପରିଦର୍ଶନ ସହ ପ୍ରଭାବିତ ହେଉଥିବା ପରିବାରଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ପାଇଁ ସେମାନେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏନେଇ ଗ୍ରାମବାସୀମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।


