ଗ୍ୟାସ ସାଙ୍ଗକୁ ସବୁ ମହଙ୍ଗା ମାଡ଼
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ରନ୍ଧନ ଗ୍ୟାସ ଦର ଆକାଶଛୁଆଁ ହେବା ପରେ କେବଳ ରୋଷେଇ ଘର ନୁହେଁ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାର ହେଉ କୁ ଗ୍ରାମାଞ୍ଚଳ ରେ ଛୋଟ ଛୋଟ ଜଳଖିଆ ଦୋକାନ ଉପରେ ବି ପଡିଛି ସିଧା ପ୍ରଭାବ। ଗୋଟିଏ ପଟେ ତେଲ, ଡାଲି, ପିଆଜ ଠାରୁ ଆରମ୍ଭ କରି ପ୍ରତିଟି ସଉଦା ଦର ବୃଦ୍ଧି, ଅନ୍ୟ ପଟେ ଗ୍ୟାସ ସିଲିଣ୍ଡର ଦରରେ ଲଗାତାର ବୃଦ୍ଧି ମଧ୍ୟବିତ୍ତ ପରିବାର ସହ ପେଟପାଟଣା ପାଇଁ ଜଳଖିଆ ଦୋକାନ କରି ଚଳୁଥିବା ସହ ସହ ପରିବାର ଙ୍କ ଚିନ୍ତା ବଢ଼ାଇ ଦେଇଛି। ଅସ୍ତରଙ୍ଗ ବଜାର ଅଞ୍ଚଳର ଗୃହିଣୀ ଶକୁନ୍ତଳା ଦାସ କୁହନ୍ତି, ପୂର୍ବରୁ ଗୋଟେ ସିଲିଣ୍ଡର ୨ମାସ ଚଳୁଥିଲା, ଏବେ ୯୮୦ଟଙ୍କା ଦେଲେ ବି ମାସେ ଯାଉନି। ଦରମା ଅଥବା ସ୍ୱାମୀର ରୋଜଗାର ସମାନ କିନ୍ତୁ ଖର୍ଚ୍ଚ ଦୁଇଗୁଣ। ପ୍ରତ୍ୟେକ ଦିନ ପିଲାଙ୍କ ଟିଫିନ ସାମଗ୍ରୀ କମାଇବାକୁ ପଡୁଛି। ଯାହାକି ମଧ୍ୟବିତ୍ତ ଙ୍କ ବଜେଟ ବିଗିଡି ଗଲାଣି। ଅସ୍ତରଙ୍ଗ ବଜାର ରେ ଦୀର୍ଘ ୧୫ବର୍ଷ ରୁ ଉର୍ଦ୍ଧ ହେବ ବରା -ପିଆଜି ଦୋକାନ କରିଥିବା ରମେଶ ସାହୁ କହିବା କଥା “ଦିନକୁ ୨ଟା ସିଲିଣ୍ଡର ଲାଗେ। କିଛି ଦିନ ପୂର୍ବେ ଦର ବୃଦ୍ଧି ପାଇବାରୁ ଆମେ ଗ୍ୟାସ ୩ହଜାର ରୁ ଅଧିକ ଦାମ୍ ରେ କିଣୁ। କିନ୍ତୁ ପୁନର୍ବାର ଦର ବୃଦ୍ଧି ଚିନ୍ତାରେ ପକାଇଛି। ତେଲ, ବେସନ, ଆଳୁ ଦର ବି ବଢିଛି। କିନ୍ତୁ ଗୋଟିଏ ପ୍ଲେଟ ବରା ର ଦାମ୍ ୫ଟଙ୍କା ବଢ଼ାଇଲେ ଗ୍ରାହକ ଆସିବେନି। ଯାହାକି ପୂର୍ବ ଅପେକ୍ଷା ଜଳଖିଆ ଦୋକାନୀ ଙ୍କ ଦୁଃଖ ଦୁଇ ଗୁଣା ହୋଇଛି।ଚା ଵ୍ୟବସାୟୀ ଶିବ କୁହନ୍ତି, ଆଗରୁ ୪ଶହ ରୁ ୫ଶହ ଟଙ୍କା ଲାଭ ହେଉଥିଲା। ଏବେ ଗ୍ୟାସ, ଚିନି, କ୍ଷୀର ଦର ବଢିଲା ପରେ ୨ଶହ ଟଙ୍କା ମିଳିବା କଷ୍ଟ। ପିଲାଙ୍କ ପାଠ ପଢା, ଔଷଧ ଖର୍ଚ୍ଚ ସବୁ ଏଇଥିରୁ। ଏ ନେଇ ଅସ୍ତରଙ୍ଗ ବଜାର କମିଟି ସଭାପତି ଦୁଷ୍ମନ୍ତ କୁମାର ପରିଡା କହିଛନ୍ତି ଗ୍ୟାସ ଦର ବୃଦ୍ଧିର ସିଧା ପ୍ରଭାବ ଖାଦ୍ୟ ସାମଗ୍ରୀ, ଉତ୍ପାଦନ ଓ ପରିବହନ ଉପରେ ପଡୁଛି। ହୋଟେଲ, ଠେଲା ଦୋକାନୀ ସେମାନଙ୍କ ଖର୍ଚ୍ଚ ଭରଣା ପାଇଁ ଜିନିଷ ଦାମ୍ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଶେଷରେ ବୋଝ ପଡୁଛି ସାଧାରଣ ଖାଉଟି ଉପରେ।ସରକାର ଛୋଟ ଦୋକାନୀ ଙ୍କ ପାଇଁ ସ୍ୱତନ୍ତ୍ର ଗ୍ୟାସ ସବସିଡ଼ି କିମ୍ବା କମର୍ଷିଆଲ ସିଲିଣ୍ଡର ଦର ନିୟନ୍ତ୍ରଣ କରିବାକୁ ଦାବୀ କରିଛନ୍ତି।


