ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍ଙ୍କ ମୃତଦେହ ମିଳିବା ଘଟଣା : ଓଏସ ବାବୁଙ୍କ ମିଳୁନି ପତ୍ତା
କଟକ (ଓ୍ବାଇଏନଏସ): କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତଦେହ ମିଳିବା ଘଟଣାରେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମୃତଦେହ ମିଳିବା ଖବର ୪ ତାରିଖ ସକାଳୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଏଏସ୍ ତାଲିମ ନେଉଥିବା ଚନ୍ଦ୍ରିକାଙ୍କ ପ୍ରେମିକ ହଠାତ୍ କେଉଁଆଡ଼େ ପଳାଇଛନ୍ତି । ସେ ଭୁବନେଶ୍ୱରରେ ରହି ଓଏଏସ୍ ତାଲିମ ନେଉଥିଲେ । ମାମଲା ରୁଜୁ ପରେ ବାରଙ୍ଗ ଥାନା ପୁଲିସ ଉକ୍ତ ତାଲିମ୍ ସେଣ୍ଟର୍କୁ ଯାଇ ଖୋଜାଖୋଜି କରିଥିଲା । ମାତ୍ର ସେଠାରୁ ପ୍ରେମିକଙ୍କୁ ନପାଇ ଖାଲିହାତରେ ଫେରିଛି । ତାଙ୍କ ଫୋନ୍ ବନ୍ଦ ରହିଛି । ଚନ୍ଦ୍ରିକାଙ୍କ ମା’ ହୀରାମଣି ହାଂସଦାଙ୍କ ଏତଲା ପରେ ବାରଙ୍ଗ ଥାନା ପୁଲିସ ବିଏନ୍ଏସ୍ର ଧାରା ୧୦୮ରେ ମାମଲା ରୁଜୁ କରିଛି । ଏହା ଜାମିନ ବିହୀନ ଧର୍ତ୍ତବ୍ୟ ଅପରାଧ ଶ୍ରେଣୀର ଓ ଏଥିରେ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ଓ ଜରିମାନାର ବ୍ୟବସ୍ଥା ରହିଛି । ବିନା ୱାରେଣ୍ଟ୍ରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିବ । ଅନ୍ୟପଟେ ପୁଲିସ ଆଉ ଏକ ବିଷୟ ଜାଣିବାକୁ ପାଇଛି । ଓଏଏସ୍ ତାଲିମ୍ ନେଉଥିବା ଚନ୍ଦ୍ରିକାଙ୍କ ପ୍ରେମିକ ଅନ୍ୟ ଜଣେ ଝିଅର ପ୍ରେମରେ ପଡ଼ିଥିଲେ । ଉକ୍ତ ଝିଅ ପ୍ରଶାସନିକ ସେବାର ତାଲିମ ନେଉଛନ୍ତି । ତାଙ୍କ ଘର ଭୁବନେଶ୍ୱର । ସେହି ଝିଅଙ୍କ ରଙ୍ଗ ଗୋରା ଓ ଚନ୍ଦ୍ରିକାଙ୍କ ରଙ୍ଗ ଶ୍ୟାମଳ ଥିଲା । ତେଣୁ ପ୍ରେମିକ ଚନ୍ଦ୍ରିକାଙ୍କୁ ଅଣଦେଖା କରୁଥିଲେ । କଥା ଆଳରେ ପ୍ରେମିକ ଏକାଧିକ ବାର ଚନ୍ଦ୍ରିକାଙ୍କ ରଙ୍ଗକୁ ନେଇ ତାଙ୍କୁ ଟିପ୍ପଣୀ କରିଥିଲେ । ଚନ୍ଦ୍ରିକା ମଧ୍ୟ ଖୋଳତାଡ଼ କରି ଜାଣିବାକୁ ପାଇଲେ ଯେ, ତାଙ୍କ ପ୍ରେମିକ ଯେଉଁ ଝିଅ ପଛରେ ପଡ଼ିଛି ସେ ସଫା ବର୍ଣ୍ଣର । ତେଣୁ ସେ ନିଜର ବର୍ଣ୍ଣ ସଫା କରିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଥିଲେ ।


