ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ: ପାରଳା ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାରେ ଚାପା ଉତ୍ତେଜନା, ୬ଘଣ୍ଟା ଘେରାଉ, ଥାନାରେ ମାମଲା ରୁଜୁ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳାକୁ ନେଇ ଡାକ୍ତରଖାନାକୁ ୬ଘଣ୍ଟା ଘେରାଉ କରାଯାଇଥିଲା । ଘଟଣା ନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ଘଟଣା ନେଇ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପାରଳା ଥାନାରେ ମାମଲା ରୁଜୁ ହୋଇଛି । ଏ ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଗତକାଲି ମଧ୍ୟରାତ୍ର ୧ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସହରର ନାଇଡୁସାହିର ନାକ୍କା ଲକ୍ଷ୍ମଣ ରାଓଙ୍କ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେତେବେଳେ ଡାକ୍ତରଖାନାରେ ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ଶାନ୍ତନୁ କୁମାର ପାଢୀ ଡ୍ୟୁଟିରେ ଥିଲେ । ରୋଗୀ ଲକ୍ଷ୍ମଣଙ୍କୁ ସେ ତୁରନ୍ତ ଆଡ୍‌ମିଶନ କରାଇ ଚିକିତ୍ସା ଆରମ୍ଭ କରି ଔଷଧପତ୍ର ଦେଇ ଚାଲିଯାଇଥିଲେ । ତେବେ ଲକ୍ଷ୍ମଣଙ୍କ ପେଟ ବ୍ୟଥା କମି ନଥିବାରୁ ତାଙ୍କ ପୁତୁରା ନାକ୍କା ଚିନ୍ନା ରାଓ (୨୬) ପୁଣି ଡାକ୍ତର ଶାନ୍ତନୁ ପାଢୀଙ୍କୁ ଡାକିବା ପାଇଁ ଯାଇଥିଲେ ମଧ୍ୟ ଡାକ୍ତର ଜଣକ ଖାମଖିଆଲି ମନୋଭାବ କରି ଔଷଧକୁ ଜଣେ ଜଗୁଆଳି ତଥା ସିକ୍ୟୁରିଟିଗାର୍ଡ ହାତରେ ପଠାଇ ଦେଇ ନିଜ ବିଶ୍ରାମକକ୍ଷକୁ ଚାଲିଯାଇ କହିଥିଲେ ଯେ, ପେଟ ସେମିତି ହିଁ ଯନ୍ତ୍ରଣା ହେବ ଏହି ଔଷଧ ଦେଇ ଦିଅ ପରେ ଆପେ ଭଲ ହୋଇ ଯିବ । ତେବେ ଜଗୁଆଳିଙ୍କ ହାତରେ ପଠାଇ ଥିବା ଔଷଧ ଖାଇଥିଲେ ମଧ୍ୟ ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିନଥିଲା । ପୁଣି ତାଙ୍କ ପୁତୁରା ଚିନ୍ନା ରାଓ କର୍ତ୍ତବ୍ୟରତ ଡାକ୍ତରଙ୍କ ବିଶ୍ରାମକକ୍ଷକୁ ଡାକିବାକୁ ଗଲେ । ହେଲେ ସେତେ ବେଳେ ଡାକ୍ତର ଜଣକ ନିଜ କକ୍ଷର କବାଟ ଖୋଲିଲେ ନାହିଁ କି କୌଣସି ଉତ୍ତର ଦେଲେ ନାହିଁ । ଏପରି ଚିନ୍ନା ବାରମ୍ବାର ଡାକ୍ତରଙ୍କ କକ୍ଷକୁ ଯାଇ କବାଟ ବାଡେଇ ଡାକ ଛାଡିଥିବାର ଜଣାଇଛନ୍ତି । ଇତି ମଧ୍ୟରେ ଲକ୍ଷ୍ମଣ ପେଟ ବ୍ୟଥାର ଯନ୍ତ୍ରଣା ସହ୍ୟ ନକରି ପାରି ଚିତ୍କାର କରିଥିଲେ ମଧ୍ୟ ଡାକ୍ତରଖାନାର କେହିବି ଶୁଣିଲେ ନାହିଁ ବୋଲି ଅଭିଯୋଗ ହୋଇଛି । ଶେଷରେ ରାତି ପାଇଗଲେ ମଧ୍ୟ ଚିକିତ୍ସା ସେବା ମିଳିଲା ନାହିଁ । ତେବେ ଆଜି ସକାଳ ୭ଘଣ୍ଟା ସମୟରେ ଲକ୍ଷ୍ମଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ଆଜି ସକାଳ ସମୟରେ ପ୍ରଘଟ ହେବା ପରେ ନାଇଡୁସାହି ବାସୀନ୍ଦାଙ୍କ ସମେତ ଅଞ୍ଚଳର ଶତାଧିକ ଲୋକେ ଚିକିତ୍ସାରେ ଅବହେଳା କରିଥିବାର ଅଭିଯୋଗ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ପଶି ଡାକ୍ତର ଶାନ୍ତନୁ ପାଢୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଡି ବସିବା ସହ ଦୀର୍ଘ ୬ଘଣ୍ଟା ଧରି ଚିକିତ୍ସାଳୟ ପରିସରରେ ଧାରଣା ଦେଇଥିଲେ । ଏହା ସହ ଚାପା ଉତ୍ତେଜନା ମଧ୍ୟ ଲାଗି ରହିଥିଲା । ଘଟଣା ସମ୍ପର୍କେ ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ଏସ୍‌ଆଇ ବିନାୟକ ମନ୍ତ୍ରୀ ପ୍ରମୁଖ ସଦଳବଳେ ପହଞ୍ôଚ ଡାକ୍ତରଖାନାରେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ପଡିନଥିଲା । ଶେଷରେ ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ପ୍ରମୁଖ ପହଞ୍ôଚ ଉତ୍ତେଜିତ ଲୋକଙ୍କୁ ବହୁ ବୁଝା ସୁଝା କରିବା ସହ ସେମାନଙ୍କ ଦାବିକୁ ପୁରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ଏବଂ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଏନେଇ ପାରଳା ଆଦର୍ଶ ଥାନାରେ କେସ ନଂ୧୬୯/୨୧ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀସ୍ୱାଇଁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ