ମହେନ୍ଦ୍ରତନୟା ନଦୀରେ ଖସି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଅତ୍ୟନ୍ତ ଲୋକପ୍ରିୟ ମହେନ୍ଦ୍ରଗିରି ପର୍ଯ୍ୟଟନ କେନ୍ଦ୍ରକୁ ଯିବାବେଳେ ଅଘଟଣ ଘଟି ବିପଦ ସଂକୁଳ ପୋଲ ଉପରୁ ଖସି ମହେନ୍ଦ୍ରତନୟା ନଦୀରେ ପଡିବା ଯୋଗୁଁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗତକାଲି ଅପରାହ୍ନରେ ମହେନ୍ଦ୍ରଗିରିରେ ଯାଉଥିବା ବେଳେ ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ କଇଁପୁର ଗ୍ରାମ ନିକଟରେ ଥିବା ଏକ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ପୋଲ ତଳକୁ ଖସି ମହେନ୍ଦ୍ରତନୟା ନଦୀରେ ପଡି ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଦୁଇ ପର୍ଯ୍ୟଟକ ଓଡି ୩୨ଏମ୍ ୪୦୯୦ ନମ୍ବର ବିଶିଷ୍ଟ ଏକ ବାଇକ ଯୋଗେ ଗତକାଲି ଠାରୁ ଗଜପତି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ଭ୍ରମଣ ପାଇଁ ଆସିଥିଲେ । ସେମାନେ ପବିତ୍ର ମହେନ୍ଦ୍ରଗିରି ପର୍ବତ ଅଭିମୁଖେ ବାରହାରିଥିବା ବେଳେ କଇଁପୁର ଗ୍ରାମ ନିକଟସ୍ଥ ଏକ ପୁରୁଣା ପୋଲ ନିକଟର ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ପୋଲତଳକୁ ମହେନ୍ଦ୍ରତନୟା ନଦୀକୁ ଖସିଯାଇଥିଲା । ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ବାଇକରେ ବସିଥିବା ଅନ୍ୟ ଜଣେ ଯୁବକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମୃତ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ମଙ୍ଗଳପୁର ଗ୍ରାମର ରାଜକୁମାର ଆପଟ (୨୬) । ରାଜ କୁମାର ନିଜ ବାଇକ ଯୋଗେ ତାଙ୍କ ସାଙ୍ଗ ଗଣେଶ ନାୟକ (୨୩) ଙ୍କୁ ନେଇ ଗଜପତି ଜିଲ୍ଲା ସ୍ଥିତ ମହେନ୍ଦ୍ରଗିରି ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଆସିଥିଲେ । ତେବେ କୌଣସି କାରଣରୁ ଭାରସାମ୍ୟ ହରାଇ କଇଁପୁର ଗାଁ ନିକଟରେ ଥିବା ପୋଲ ତଳକୁ ଖସି ପଡ଼ିଥିଲା । ପୋଲ ତଳେ ଗାଧୋଉ ଥିବା ଲୋକ ମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଓ ଆହତଙ୍କୁ ଗାରାବନ୍ଧ ପୁଲିସ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ମୁଖ୍ୟଚିକିତ୍ସାଳୟରେ ଶବବ୍ୟବଚ୍ଛେଦ ପରେ ତାଙ୍କ ପରିବାରବର୍ଗଙ୍କୁ ଆଜି ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି.


