ସ୍ତ୍ରୀକୁ ଯୌତୁକ ନିର୍ଯାତନା, ସ୍ୱାମୀକୁ ଏକ ବର୍ଷ କାରାଦଣ୍ଡାଦେଶ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ସ୍ତ୍ରୀକୁ ଯୌତିକ ନିର୍ଯାତନା ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ପ୍ୟାଲେସ ଷ୍ଟ୍ରିଟ୍ର ଅଭିଯୁକ୍ତ ପ୍ରିୟତମ ବେହେରାଙ୍କୁ ମହିଳା ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ୮ ଜଣ ସାକ୍ଷୀଙ୍କ ବୟାନ ଓ ଦସ୍ତାବିଜ୍କୁ ଆଧାର କରି ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରା ଜଜ୍ (ମହିଳା ଅଦାଲତ) ରଶ୍ମିତା ସାହୁ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୪୯୮ (କ) ଏବଂ ୩୨୩ ଅନୁଯାୟୀ ଅଭିଯୁକ୍ତକୁ ୫ ହଜାର ଟଙ୍କା ଜୋରିମାନା ସହ ଏକ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ପ୍ୟାଲେସ ଷ୍ଟ୍ରିଟ୍ର ସସ୍ମିତା ବେହେରା ୧୬ ମାର୍ଚ୍ଚ ୨୦୨୧ ସକାଳୁ ଶାଶୁଘରକୁ ଯାଇ ନିଜ ପୁଅର ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ ଓ ନିଜର ସୁନାଗହଣା ମାଗିଥିଲେ। ଏହାକୁ କେନ୍ଦ୍ର କରି ଶାଶୁଘର ଲୋକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କୁ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ ହୋଇଥିଲା। ପୂର୍ବରୁ ମଧ୍ୟ ଅଧିକ ଯୌତୁକ ଦାବି କରି ସସ୍ମିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ଶାଶୁଘରୁ ବାହାର କରିଦିଆଯାଇଥିବା ଅଭିଯୋଗ ହୋଇଥିଲା। ସେହିଦିନ ଠାରୁ ସେ ନିଜ ପୁଅ ସହ ବାପଘର ଚନ୍ଦ୍ରଗିରିରେ ରହୁଥିଲେ। ଘଟଣାକୁ ନେଇ ସସ୍ମିତା ୧୬ ମାର୍ଚ୍ଚ ୨୦୨୧ ରାତି ୧୦ଟାରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ସରକାରଙ୍କ ପକ୍ଷରୁ ଏପିପି ସୌମ୍ୟ ସୌରଭ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।


