ଆଜି ଜାତୀୟ କ୍ରୀଡ଼ା ଦିବସ, ଜୀବନ ପ୍ରତିପୋଷଣ ପାଇଁ ସଂଘର୍ଷ କରୁଛନ୍ତି ପ୍ରତିଭାଶାଳି ଖେଳାଳି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଆଜି ଜାତୀୟ କ୍ରୀଡ଼ା ଦିବସ । ସବୁଠାରେ ଖେଳାଳୀଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ । ମାତ୍ର ଏହା ଭିତରେ ଆସିଛି କେତେକ ବ୍ୟଥିତ କଲା ଭଳି ଚିତ୍ର । ନିଜର ଜୀବନ ପ୍ରତିପୋଷଣ ପାଇଁ କେଉଁଠି ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି ତ ଆଉ କେଉଁଠି ଛେଳି ଚରାଇ ଦିମୁଠା ଖାଦ୍ୟ ସଂଗ୍ରହରେ ଜୀବନକୁ ବାଜି ଲଗାଇଛନ୍ତି ରାଜ୍ୟର ପ୍ରତିଭାବାନ ଖେଳାଳି । ରାଜ୍ୟ ସରକାର ଏବେ କ୍ରୀଡା ପାଇଁ ସାରା ଦେଶରେ ଚର୍ଚ୍ଚିତ ଥିବା ବେଳେ ଖୋଦ୍ ରାଜ୍ୟରେ ଥିବା ବହୁ ପ୍ରତିଭା ଖେଳାଳି ଏବେ ଦିମୁଠା ଖାଇବା ପାଇଁ ସଂଘର୍ଷ ଚଳାଇଛନ୍ତି । ଏହା ଓଡ଼ିଶା ସରକାରଙ୍କ ରାଜନୈତିକ ଖେଳୁଆଡ଼ ମନୋଭାବକୁ ପଦାରେ ପକାଇଛି । ଅଲମ୍ପିକ୍ସ ହକି ପାଇଁ ବେଶ୍ ଅର୍ଥ ଖର୍ଚ୍ଚ କରି ଆଜି ଓଡ଼ିଶା ସରକାର ପ୍ରଶଂସା ସାଉଟୁଥିବା ବେଳେ ଖୋଦ୍ ରାଜ୍ୟରେ ଥିବା ପ୍ରତିଭାଶାଳୀ ଖେଳାଳୀଙ୍କ ଦୂରାବସ୍ତା ବୁଦ୍ଧିଜୀବୀଙ୍କୁ ବଥିତ କରୁଛି । ଓଡ଼ିଶା ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ​‌େ​‌ବଳେ ପ୍ରତିଭାଶାଳୀ ଖେଳାଳିଙ୍କୁ ସରକାରୀ ନିଯୁକ୍ତି ସକାଶେ ମଧ୍ୟ ରାଜ୍ୟ ସରକାରଙ୍କ ଯୋଜନା ରହିଛି। ତେବେ ରାଜ୍ୟର ଏକାଧିକ ଜାତୀୟ ସ୍ତରର ଖେଳାଳି ନିଯୁକ୍ତିରୁ ବଞ୍ଚିିତ ହୋଇ ଦୁଃଖ କଷ୍ଟରେ ଚଳୁଛନ୍ତି । ଏମିତି ଜାତୀୟ ସ୍ତରର ଫୁଟବଲ ଖେଳାଳି ହେଉଛନ୍ତି ଝାରସୁଗୁଡ଼ା ସହର ବାସିନ୍ଦା ନବୀନ ସୁନା ଓ ପଙ୍କଜ ସୋନା। ନବୀନ ସନ୍ତୋଷ ଟ୍ରଫି ବରିଷ୍ଠ ଜାତୀୟ ଦଳରେ ମନୋନୀତ ହୋଇ ୨୦୧୭ରୁ ୨୦୧୯ ମଧ୍ୟରେ ସିକ୍କିମ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଜାତୀୟ ସ୍ତରର ମ୍ୟାଚ ଖେଳିଛନ୍ତି । ଓଡ଼ିଶା​‌ ଫୁଟବଲ ସଂଘ(ଫାଓ)ର ପ୍ରଥମ ଶ୍ରେଣୀ ଦଳରେ ଓଡ଼ିଶାକୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ପ୍ରତିନିଧିତ୍ବ କରିଛନ୍ତି। ତା ଛଡ଼ା କଳିଙ୍ଗ କପ ଫୁଟବଲ ପ୍ରତିଯୋଗିତା ଆଦିରେ ପ୍ରଶଂସନୀୟ ଖେଳ ପ୍ରଦର୍ଶନ କରି ଦର୍ଶକୀୟ ଶ୍ରଦ୍ଧା ଓ ପ୍ରଶଂସା ହାସଲ କରିଛନ୍ତି। ୨୭ବର୍ଷ ବୟସ୍କ ନବୀନ ଚାକିରି ଖୋଜି ଖୋଜି ନିରାଶ ହେବା ପରେ ଏକ ଶିଳ୍ପ ସଂସ୍ଥାର ଠିକାଦାର ପାଖରେ ଶ୍ରମିକ ଭାବେ କାମ କରୁଛନ୍ତି। ଏହି ଭଳି ଆଉ ଜଣେ ପ୍ରତିଭାଶାଳୀ ଫୁଟବଲ ଖେଳାଳି ହେଉଛନ୍ତି ଝାରସୁଗୁଡ଼ା କବରସ୍ଥାନ ପଡ଼ା ନିବାସୀ ପଙ୍କଜ ସୋନା । ୨୮ବର୍ଷ ବୟସ୍କ ପଙ୍କଜ ୧୯ବର୍ଷରୁ କମ୍ ଜାତୀୟ ଦଳରେ ସାମିଲ ହୋଇ ଚୀନ ଠାରେ ଆଇ-ଲିଗ୍‌ରେ ଖେଳିଛନ୍ତି। ଏହାବ୍ୟତୀତ ସନ୍ତୋଷ ଟ୍ରଫି, ଫେଡ଼େରେସନ କପ୍, ଡୁରାଣ୍ଡ କପ୍ ଆଦିରେ ଜାତୀୟ, ରାଜ୍ୟ ସ୍ତରରେ ଖେଳି ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି। ଗରିବ ପରିବାରର ପଙ୍କଜ ଅନେକ ବର୍ଷ ହେଲା ନିଯୁକ୍ତି ସନ୍ଧାନରେ ଥିଲେ ହେଁ ଚୁକ୍ତିଭିତ୍ତିକ ନିଯୁକ୍ତି ମଧ୍ୟ ପାଇପାରୁନାହାନ୍ତି। ଏବେ ବି ରୋଜଗାରର ସନ୍ଧାନ ଜାରି ରହିଛି ବୋଲି ପଙ୍କଜ କହିଛନ୍ତି। ଅନୁରୂପ ଭାବେ ୨୫ବର୍ଷୀୟ ତରଣୀ ସା କ୍ରିକେଟରେ ଚମତ୍କାର ଖେଳ ପ୍ରଦର୍ଶନ କରି ସୟଦ ମୁସ୍ତାକ ଅଲି, ବିଜୟ ହଜାରେ ଟ୍ରଫି ଦଳରେ ସାମିଲ ହୋଇ ବ୍ୟାଟ ଓ ବଲରେ କମାଲ ଦେଖାଇଛନ୍ତି। କନକତୋରା ନିବାସୀ ତରଣୀ ମଧ୍ୟ ରୋଜଗାର ସନ୍ଧାନରେ ରହିଛନ୍ତି। ଏଭଳି ଅନେକ ଖେଳାଳି ଦେଶ ଓ ରାଜ୍ୟ ପାଇଁ ଖେଳି ରାଜ୍ୟବାସୀଙ୍କୁ ଗର୍ବିତ କରିଥିଲେ ହେଁ କ୍ରୀଡ଼ା ପ୍ରତି ସେମାନଙ୍କ ଅବଦାନ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଜାତୀୟ ସ୍ତରରେ ଜିଲା ତଥା ରାଜ୍ୟର ନାଁ ରଖିବା ପାଇଁ ଖେଳାଳି ଦିନରାତି ଏକ କରି ଦେଉଥିଲେ। ହେଲେ ସମୟ ବଦଳି ଯାଇଛି। କିଛି ବର୍ଷ ପୂର୍ବରୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ପ୍ରତିନିଧିତ୍ୱ କରୁଥିବା ଖେଳାଳି ଆଜି ମୁଠାଏ ଦାନା ପାଇଁ ସଂଘର୍ଷ କରୁଛନ୍ତି। ବଲାଙ୍ଗିର ଜିଲା ଅଙ୍କରିଆ ପଦର ଗାଁର ଲେକୃ ସନ୍ୟାସୀଙ୍କ ଦୁଇ ଝିଅ ରୀତା ଓ ଗୀତା। ଦୁଇ ଝିଅ କିଛି ବର୍ଷ ପୂର୍ବରୁ ଖୋ ଖୋ ଖେଳରେ ଜାତୀୟସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି। ବଡ଼ ଭଉଣୀ ରୀତା ୫ ଥର, ଗୀତା ୪ ଥର ଓଡିଶାରୁ ଜାତୀୟ ଖୋ-ଖୋ ଖେଳିଛନ୍ତି। ରୀତା ବଲାଙ୍ଗିର ଜିଲାର ୧୨ ଜଣିଆ ଖୋ-ଖୋ ଦଳର ଅଧିନାୟିକା ରହିଛନ୍ତି। ହେଲେ ଏହି ଖେଳାଳିଦ୍ୱୟ ଏବେ ଖୋ ଖୋଠାରୁ ବହୁ ଦୂରରେ। ଗତ ୨ ବର୍ଷ ହେଲା ପଡ଼ିଆ ମାଡ଼ୁନାହାନ୍ତି। ଏହାର ପ୍ରମୁଖ କାରଣ ହେଲା ପରିବାରରେ ଆର୍ଥିକ ଅନଟନ। ଦୁଇ ଭଉଣୀ ମା’ଙ୍କୁ ଛୋଟ ସମୟରେ ହରେଇଥିବା ବେଳେ ବାପାଙ୍କୁ ନେଇ ପରିବାର। ବାପା ସିଲେଇ କରି ଦୁଇ ପଇସା ରୋଜଗାର କରୁଥିବା ବେଳେ ପରିବାର ପ୍ରତିପୋଷଣ କଷ୍ଟକର ହୋଇ ପଡ଼ିଥିଲା। ଫଳରେ ଦୁଇ ମୁଠା ଖାଇବା ପାଇଁ ଦୁଇ ଝିଅ ବାଧ୍ୟ ହୋଇ ପର ଜମିରେ କାମ କରୁଛନ୍ତି ରୀତା। ବହୁ କଷ୍ଟରେ ଯୁକ୍ତ ଦୁଇ ଯାଏଁ ଉଭୟ ପଢିଥିଲେ। ଆର୍ଥିକ ଅଭାବ ଯୋଗୁଁ ୨ ବର୍ଷ ହେଲା ପାଠ ପଢ଼ାରେ ଡୋରି ଲାଗିଥିବା ବେଳେ ଜୀବନ ଦୁର୍ବିସହ ହୋଇପଡିଛି।   ଚାଷ ସମୟରେ ଦୁଇ ଭଉଣୀ ଦିନକୁ ୩ ଶହ ଟଙ୍କା ରୋଜଗାର । ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲେ ତାହା ମିଳେ ନାହିଁ ବୋଲି କୁହନ୍ତି ରୀତା। କେବଳ ଏହି ଦୁଇ ଖେଳାଳି ନୁହେଁ; ଓଡ଼ିଶାର ବହୁ ଉପାନ୍ତ ଅଂଚଳରେ ଅନେକ ଖେଳାଳି ପ୍ରୋତ୍ସାହନ ଅଭାବରୁ ବଣ ମଲ୍ଲୀ ବଣରେ ଝରି ହଜିଯାଉଥିବା ଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ରାଜନୀତି ଠାରୁ ଦୂରରେ ରହି ରାଜ୍ୟରେ ଥିବା ପ୍ରତିଭାଶାଳୀ ଖେଳାଳୀଙ୍କ ଦୂରାବସ୍ତା ବୁଝିବା ଉଚିତ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।ସେହିପରି ଆଉ ଜଣେ ଦକ୍ଷ ଖେଳାଳୀ ହେଉଛନ୍‌ତି ଜାତୀୟସ୍ତରୀୟ ଖେଳାଳି ବସନ୍ତ, ଦିନେ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ରାଜ୍ୟ ପାଇଁ ଗୌରବ ଆଣିଥିବା ଜାତୀୟସ୍ତରର ଖେଳାଳି ଆଜି ପରିବାର ବୋଝ ମୁଣ୍ଡାଇବାକୁ ଯାଇ ପ୍ରତିଭା ସମ୍ପନ୍ନ ଖେଳାଳି ଜଣଙ୍କ ଡାକ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଛନ୍ତି। ସେ ହେଲେ ରାୟଗଡ଼ା ଜିଲା ତାଡମା ପଞ୍ଚାୟତ ତାଡମ ଗ୍ରାମର ବସନ୍ତ ମେଲକ। ସେ ଜମ୍ମୁକାଶ୍ମୀର ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିସହ ପଞ୍ଜାବ, ଛତିଶଗଡ଼, ବିହାର, କୋଲକାତା, ଉତ୍ତର ପ୍ରଦେଶ, ଅରୁଣାଚଳ, ଅଗରତାଲାରେ ଅୟୋଜିତ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ। ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିଲା ନାହିଁ ବୋଲି  ବସନ୍ତ ପ୍ରକାଶ କରିଛନ୍ତି। ପାରିବାରିକ ଅନଟନ ପାଇଁ ଭବିଷ୍ୟତକୁ ସେ ବଳି ପକାଇଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ