ଛାତ୍ରୀବାସ ମରାମତିରେ ଅହେତୁକ ବିଳମ୍ବ : ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରିଲେ ସହାୟକ ସେବିକା ପ୍ରଶିକ୍ଷାର୍ଥୀ

ବାଲେଶ୍ୱର, (ସରୋଜ ପଣ୍ଡା): ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ସହାୟକ ସେବିକା ପ୍ରଶିକ୍ଷଣ କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଛାତ୍ରୀମାନେ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ବୁଧବାର ଘେରାଓ କରିଥିଲେ । ଦୁଇ ବର୍ଷିଆ ଏଏନଏମ ପାଠ୍ୟକ୍ରମରେପ୍ରଶିକ୍ଷଣ ନେଉଥିବା ଛାତ୍ରୀମାନଙ୍କ ରହିବା ପାଇଁ ବ୍ୟବହୃତ ଛତ୍ରୀବାସ ଦୁଇବର୍ଷ ପୂର୍ବରୁ ବିପଦସଙ୍କୁଳ ଘୋଷଣା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଏହାର ମରାମତି ନହେବା କିମ୍ବା ଛାତ୍ରୀବାସ ପାଇଁ ନୂଆ ଗୃହ ବ୍ୟବସ୍ଥା ନ ହେବାକୁ ନେଇ ଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଦୀର୍ଘଦିନ ଧରି ଘରେ ରହି ଅନଲାଇନ କ୍ଲାସ କରି ଆସୁଥିବା ଛାତ୍ରମୀନଙ୍କୁ ଏବେ ଅଫଲାଇନ କ୍ଲାସ ପାଇଁ ନିର୍ଦ୍ଦେଶ ହୋଇଥିବା ସେମାନେ କହିଛନ୍ତି । ଶେଷବର୍ଷ ଛାତ୍ରୀଙ୍କ ପରୀକ୍ଷାକୁ ଆଉ ମାତ୍ର ତିନି ମାସ ରହିଥିବା ବେଳେ ଏ ଯାବତ ସେମାନେ କୌଣସି ପ୍ରକାର ବ୍ୟବହାରିକ ପାଠପଢ଼ା ‘ପ୍ରାକ୍ଟିକାଲ କ୍ଲାସ) କରି ନଥିବା ଅଭିଯୋଗ ଉଠାଇଛନ୍ତି । ପ୍ରଥମ ବର୍ଷର ପରୀକ୍ଷା ସମୟରେ ସାମୟିକ ଭାବେ ଛାତ୍ରୀବାସରେ ରହିବାକୁ କର୍ତ୍ତୃପକ୍ଷ ଅନୁମତି ଦେଇଥିବା ବେଳେ ଦ୍ୱିତୀୟ ବର୍ଷର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏଠାରେ ରହିବାକୁ ବାରଣ କରାଯାଇଥିବା ସେମାନେ କହିଛନ୍ତି । ସହାୟକ ସେବିକା ପ୍ରଶିକ୍ଷଣରେ ପ୍ରାକ୍ଟିକାଲ କ୍ଲାସ ମୁଖ୍ୟ ଉପାଦାନ ହୋଇଥିବା ବେଳେ କେବଳ ଅନଲାଇନ ପାଠପଢାରେ ସେମାନେ କିପରି ପ୍ରଶିକ୍ଷଣ ପାଇବେ ବୋଲି ଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷା ଛାତ୍ରୀମାନଙ୍କ ସହ ଆଦୌ ସହଯୋଗ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ସେମାନଙ୍କ ପାଇଁ ଛାତ୍ରୀବାସ ବ୍ୟବସ୍ଥା ସହ ସଠିକ ଢଙ୍ଗରେ ଶିକ୍ଷାଦାନ ଜାରି ରଖିବା ପାଇଁ ପଦକ୍ଷେପ ନେବାକୁ ଧାରଣାରତ ଛାତ୍ରୀମାନେ ଦାବି କରିଛନ୍ତି । ତେବେ ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦ୍ଦେବଙ୍କୁ ପଚାରିବାରୁ ଛାତ୍ରୀମାନଙ୍କ ସମସ୍ୟା ସମ୍ପର୍କରେ ସେ ଅବଗତ ଥିବା କହିଥିଲେ । ଉଭୟ ପ୍ରଶିକ୍ଷଣ କେନ୍ଦ୍ର ଓ ଛାତ୍ରୀବାସ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୪ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ବେଳେ ଏହାର କାର୍ଯ୍ୟ ଏବେ ଜାରି ରହିଥିବା ସେ ସୂଚନା ଦେଇଥିଲେ । ଅବାଶ୍ୟକ ପଡ଼ିଲେ ଅନ୍ୟ ଏକ ଭଡା ଘରେ ତୁରନ୍ତ ଛାତ୍ରୀବାସ ଭାବେ ବ୍ୟବହାର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମତି ଲୋଡ଼ା ଯାଇଥିବା ଡାକ୍ତର ଜଗଦ୍ଦେବ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ