ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ ୧୭୦ ବିଧାୟକଙ୍କ ସମର୍ଥନ ହାସଲ ଦାବି କଲା ଶିବସେନା
ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସସ୍ପେନସ୍ ଜାରି ରହିଛି । ବିଜେପି-ଶିବସେନା ମଧ୍ୟରେ ସରକାର ଗଠନକୁ ନେଇ ଆଦୌ ସହମତି ହୋଇପାରୁ ନଥିବା ବେଳେ ବିଜେପିକୁ ବାଦ୍ ଦେଇ ଶିବସେନା ସରକାର ଗଠନ କରିବ ବୋଲି ଆଜି ଦୃଢ଼ୋକ୍ତି ପ୍ରକାଶ କରିଛି । ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ ଏବେ ସରକାର ଗଠନ ପାଇଁ ଆମ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି, ଯାହାକି ପରବର୍ତ୍ତୀ ସମୟରେ ୧୭୫ରେ ପହଞ୍ଚିବ । ଶିବସେନାର ୫୬ ବିଧାୟକ ଥିବା ବେଳେ କଂଗ୍ରେସର ୪୪, ଏନସିପିର ୫୪ ଏବଂ ଅନେକ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ଆମ ସହିତ ରହିଛି ବୋଲି ରାଉତ କହିଛନ୍ତି । ମୁମ୍ବାଇରେ ଏନସିପି ମୁଖ୍ୟାଳୟରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଶିବସେନାର ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇଛି । ଏନସିପି ବିଧାୟକ ଦଳ ନେତା ଅଜିତ ପାୱାର କହିଛନ୍ତି ଯେ, ରାଜ୍ୟରେ ବିଜେପିକୁ ବାଦ୍ ଦେଇ ମଧ୍ୟ ଶିବସେନାର ସରକାର ସମ୍ଭବ ହୋଇପାରିବ । ଏନସିପି ନେତା ନବାବ୍ ମଲିକ୍ କହିଛନ୍ତି ଶିବସେନା ମୁଖ୍ୟମନ୍ତ୍ରୀ ପଦ ହାସଲ କରିବାକୁ ଯେଉଁ ପ୍ରୟାସ କରୁଛି ତାହା ସମ୍ଭବ ହେବ ଏବଂ ଏଥିପାଇଁ ଶିବସେନାକୁ ପ୍ରଥମେ ବିଜେପି ସହ ସଂପର୍କ ତୁଟାଇବାକୁ ହେବ । ତେବେ ଜନସାଧାରଣ ଆମକୁ ବିରୋଧୀ ଦଳରେ ବସିବା ପାଇଁ ଭୋଟ୍ ଦେଇଥିବାରୁ ଆମେ ଜନମତକୁ ସମ୍ମାନ ଦେଇ କାମ କରୁଛୁ ବୋଲି ସେ କହିଛନ୍ତି । ଶିବସେନା ନିଜ ମୁଖପତ୍ର ସାମ୍ନାରେ ବିଜେପିକୁ କଡ଼ା ସମାଲୋଚନା କରିଛି । ବିଜେପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ପୁଲିସ, ଅର୍ଥବଳ ଦ୍ୱାରା ଅନ୍ୟ ଦଳର ବିଧାୟକଙ୍କୁ ନିଜ ପଟକୁ ନେବାପାଇଁ ଯୋଜନା କରୁଛି ବୋଲି ଶିବସେନା କହିଛି । ସେନା ସୁପ୍ରିମୋ ଉଦ୍ଧବ ଠାକରେ କହିଛନ୍ତି ମହାରାଷ୍ଟ୍ରରେ ଖୁବ୍ଶୀଘ୍ର ସେନାର ସରକାର ଗଠନ ହେବ ଏବଂ ଏଥର ବିଜେପିକୁ ଶିକ୍ଷା ମିଳିବ । ବିଜେପି ମଧ୍ୟ ଶିବସେନାକୁ କଡ଼ା ଜବାବ ଦେଇ କହିଛି ଯେ ଦଳ କେବଳ କ୍ଷମତା ପାଇଁ ପାଗଳ ନ ହୋଇ ଜନମତକୁ ସମ୍ମାନ ଦେଇ ମେଣ୍ଟ ଧର୍ମ ପାଳନ କରିବା ଆବଶ୍ୟକ ।


