ଘୋଡାହଡ ନଦୀରେ ଭିନ୍ନକ୍ଷମ ମହିଳା ନିଖୋଜ : ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପୁରୁଣା ମୌଳାଭଞ୍ଜା ଗ୍ରାମ ନିକଟସ୍ଥ ଘୋଡାହଡ ନଦୀରେ ମଙ୍ଗଳବାର ସକାଳୁ ଜଣେ ଭିନ୍ନକ୍ଷମ ବିଧବା ମହିଳା ନିଖୋଜ ରହିଥିବା ଜଣାପଡିଛି । ତେବେ ସାନଖେମୁଣ୍ଡି ଓ ,ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମହିଳାଙ୍କୁ ଉଦ୍ଧାର କରିବା ଦୀର୍ଘ ଆଠ ଘଣ୍ଟା ନଦୀର ପ୍ରଖର ସ୍ରୋତରେ ଅନୁସନ୍ଧାନ କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ମହିଳାଙ୍କ କୈାଣସି ସନ୍ଧାନ ମିଳିନଥିବା ସୂଚନା ମିଳିପାରିଛି । ମହିଳାଙ୍କ ଜଣକ ହେଲେ ଉକ୍ତ ଗ୍ରାମର ରୀତା ଗୈାଡ ( ୩୨) ବୋଲି ଜଣାପଡିଛି । ଭିନ୍ନକ୍ଷମ ରୀତା ଛତ୍ରପୁର ଗ୍ରାମରେ ବାହା ହୋଇଥିଲେ । କିନ୍ତୁ ଗତ ଏକ ବର୍ଷ ପୂର୍ବେ ସ୍ବାମୀଙ୍କ ମୃତ୍ୟୁ ପରେ ରୀତା ମାଆ ଘର ମୌଳାଭଞ୍ଜାରେ ରହୁଥିଲେ । ପ୍ରତ୍ୟେକ ଦିନ ଭଳି ମଙ୍ଗଳବାର ସକାଳ ୫ ଟାରେ ରୀତା ନିକଟସ୍ଥ ଘୋଡାହଡ ନଦୀକୁ ଗାଧୋଇବାକୁ ଯାଇଥିବା ମାଆ ପ୍ରକାଶ କରିଥିଲେ । ତେବେ ଦୁଇଦିନ ଧରି ଲଘୁଚାପ ବର୍ଷା ପ୍ରଭାବରେ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ସକାଳ ସାଢେ଼ ୮ ଘଣ୍ଟା ପର୍ଯ୍ୟନ୍ତ ରୀତା ଘରକୁ ନ ଫେରିବା ଦେଖି ନଦୀକୁ ମାଆ ଯାଇଥିଲେ । ତେବେ ନଦୀର ପ୍ରଖର ଜଳସ୍ରୋତରେ ରୀତା ଭାସି ଯାଇଥିବା ଅନୁମାନ କରି ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ଦଳବେହେରା ନିକଟସ୍ଥ ସାନଖେମୁଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ସୁଶାନ୍ତ କୁମାର ମହାପାତ୍ର ଓ ଦିଗପହଣ୍ଡି ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତ୍ବରେ କର୍ମୀମାନେ ଲାଇଫ ଜାକେଟ ପରିଧାନ କରି ପାୱାର ବୋଟ୍ ସହାୟତାରେ ଦୀର୍ଘ ସମୟ ଧରି ନଦୀର ୭ କିମି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ମହିଳାଙ୍କ ପତ୍ତା ମିଳିପାରିନଥିଲା । ତେବେ ଆଜି ସନ୍ଧ୍ୟା ହୋଇଥିବା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବା ବେଳେ ଗତକାଲି ସକାଳୁ ପୁଣିଥରେ କାର୍ଯ୍ୟ ଜାରି ରଖାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


