ଗଞ୍ଜାମ ଜିଲ୍ଲାରେ ଜେଲ ଅନ୍ତେଃବାସୀଙ୍କୁ ଦକ୍ଷତା ବିକାଶ ତାଲିମ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ଛତ୍ରପୁର ସବଜେଲ ପରିସରରେ ରହୁଥିବା ଅନ୍ତେଃବାସୀଙ୍କ ଦକ୍ଷତା ବିକାଶ ପାଇଁ ଓରମାସ ଓ ମିସନ ଶକ୍ତି ପକ୍ଷରୁ ତାଲିମ ଶିବିର ଆୟୋଜନ କରାଯାଉଛି । ଜିଲ୍ଲାରେ ପ୍ରଥମ ଥର ପାଇଁ ଛତ୍ରପୁର ସବ ଜେଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତେଃବାସୀଙ୍କୁ ଫୁଲ ଝାଡୁ ତିଆରି ସହ ଆଳୁ, କନ୍ଦମୂଳ ଓ କଦଳୀ ଚିପ୍ସ ତିଆରି କରିବା ଶିକ୍ଷା ଦିଆ ଯାଉଛି। ମଙ୍ଗଳବାର ପୂର୍ବାହ୍ନ ଏଗାରଟା ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ତାଲିମ ଶିବିରକୁ ଉଦଘାଟନ କରିବା ସହ ଏହି ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ। ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏଥିପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇ ଦିଆଯାଉଥିବା ବେଳେ ଓରମାସ ପକ୍ଷରୁ ମିସନ ଶକ୍ତି ଜରିଆରେ ସମସ୍ତ ଉତ୍ପାଦିତ ସାମଗ୍ରୀର ସୁବ୍ୟବସ୍ଥିତ ବିକ୍ରୀ ପାଇଁ ବନ୍ଦୋବସ୍ତ କରାଯିବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଓ ସାହେବ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ସାତ ତାରିଖରୁ ଆରମ୍ଭ ହୋଇଥିବା ଏହି ତିନି ଦିନିଆ ତାଲିମ ଶିବିରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଶମ୍ଭୁ ପାତ୍ର ଫୁଲ ଝାଡୁ ତିଆରି କରିବା ଶିକ୍ଷା ପ୍ରଦାନ କରୁଥିବା ବେଳେ ଭୂବନେଶ୍ବର ଆଇଟିଆଇ ର କନିଷ୍ଠ ତାଲିମ ଅଧିକାରୀ ନିବେଦିତା ଓ ମୋଜେସ ଚିପ୍ସ ତିଆରି କରିବା ଶିକ୍ଷା ପ୍ରଦାନ କରୁଛନ୍ତି। ଛତ୍ରପୁର ଜେଲରେ ଏବେ ୧୭୫ ଜଣ ଅନ୍ତେବାସୀ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪ ଜଣ ପୁରୁଷ ଓ ୬ ଜଣ ମହିଳାଙ୍କୁ ଏହି ତାଲିମ ପ୍ରଦାନ କରାଯିବ ବୋଲି ଜେଲ ଅଧିକ୍ଷୀକା ଶୁଭସ୍ମିତା ବିଶ୍ୱାଳ କହିଛନ୍ତି। ପୂର୍ବରୁ ଛତ୍ରପୁର ସବ ଜେଲ ର ବନ୍ଦୀ ଚିଟିଙ୍କ ଦ୍ୱାରା ଅଙ୍କିତ ମାଟି ପାତ୍ର ଗୁଡିକ ମିଶନ ଶକ୍ତି ପକ୍ଷରୁ ପ୍ରସ୍ତୁତ ଗୁଡ ହାଣ୍ଡି ପାଇଁ ବ୍ୟବହୃତ ହୋଇ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ଏବେ ଗଞ୍ଜାମ ହାଟ ଜରିଆରେ ଛତ୍ରପୁର ଜେଲ ଅନ୍ତେଃବାସୀଙ୍କ ତିଆରି ଫୁଲ ଝାଡୁ, ଆଳୁ, କନ୍ଦମୂଳ ଓ କଦଳୀ ଚିପ୍ସ ମଧ୍ୟ ବିକ୍ରି କରାଯିବ। ଏହା ଫଳରେ ବନ୍ଦୀ ଜୀବନ ଯାପନ କରୁଥିବା କଏଦୀଙ୍କୁ କିଛି ଉପାର୍ଜନ ମିଳିବା ସହ ମୁକ୍ତ ହେବା ପରେ ସେମାନେ ପରବର୍ତ୍ତୀ କାଳରେ ଏହାକୁ ଜୀବିକାରେ ପରିଣତ କରି ପାରିବେ ବୋଲି ଓରମାସର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ରଞ୍ଜନ ମହାନ୍ତି ଓ ମିସନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାଶ୍ୱତ କୁମାର ସାହୁ କହିଛନ୍ତି । ଏହିକାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଉପଜିଲ୍ଲାପାଳ ୱ. କୀର୍ତ୍ତିୱାସନ ଏବଂ ଛତ୍ରପୁର ସବ ଜେଲ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ