ଏନଏଚ୍ରେ ଘାଇ, ଡୁବୁରୀ-ତାଳଚେର ଯୋଗାଯୋଗ ବିଚ୍ଛିନ୍ନ
ଭୁବନେଶ୍ୱର, (ୱାଇଏନ୍ଏସ୍): ଲଗାଣ ବର୍ଷା ରାଜ୍ୟର ବହୁ ଜିଲ୍ଲାର ପରିସ୍ଥିତି ବେହାଲ ହୋଇପଡିଛି । ବହୁ ସ୍ଥାନରେ ପାଣି ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି, ଘର ଭିତରେ ପାଣିର ସୁଅ ଚାଲିଥିବା ବେଳେ ବାହାରିବା ମୁସ୍କିଲ ହୋଇପଡ଼ୁଛି। ବ୍ରାହ୍ମଣୀରେ ବନ୍ୟା ଜଳ ଯୋଗୁ କାମାକ୍ଷାନଗରର ବହୁ ରାସ୍ତା ପାଣିରେ ବୁଡ଼ି ଯାଇଛି। କାମାକ୍ଷାନଗର ଥାନା ସିଆରିମାଳିଆଠାରେ ପେରପେରିଆ ନାଳରେ ବନ୍ୟାଜଳ ଯୋଗୁଁ ଏନ୍ଏଚ-୫୩ରେ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି । ଏନ୍ଏଚ-୫୩ରେ ଘାଇ ଯୋଗୁଁ ଡୁବୁରୀ-ତାଳଚେର ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଛି । ବଲାଙ୍ଗିର ଜିଲ୍ଲାରେ ରାତି ସାରା ଲାଗି ରହିଛି ଲଗାଣ ବର୍ଷା । ପୁଇଁତଳା ବ୍ଲକ ଉତ୍ତରବାହାଲ ଗାଁ କାଲସାଏପଡ଼ା ଲୋକେ ଜଳ ବନ୍ଦୀ ଅବସ୍ଥାରେ ଥିବା ବେଳେ କାଲସାଏପଡ଼ାରେ ଲୋକଙ୍କ ଘରେ ପଶିଲା ବର୍ଷା ପାଣି ।