ଦିଗପହଣ୍ଡି ଦୁଇଗୋଷ୍ଠୀ ବିବାଦ ମାମଲାରେ ୫ ଜଣ ଗିରଫ : ପିସ୍ତଲ ସମେତ ମାରଣାସ୍ତ୍ର ଜବତ
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ଦିଗପହଣ୍ଡି ଥାନା ଗ୍ରୀଡକୋ ସମ୍ମୁଖ ରାଜରାସ୍ତାରେ ଦୁଇଗୋଷ୍ଠୀ ବିବାଦ ମାମଲାରେ ବୁଧବାର ଦିଗପହଣ୍ଡି ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବ୍ୟବହୃତ ପିସ୍ତଲ ସମେତ ଦୁଇଟି ଜୀବନ୍ତ ଗୁଳି ଓ ମାରଣାସ୍ତ୍ର ଜବତ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ସମସ୍ତଙ୍କ ଘର ପାଟପୁର ଥାନା ଡେଙ୍ଗାଓସ୍ତା ଗ୍ରାମ ହୋଇଥିବା ବେଳେ ସେମାନେ ହେଲେ ଗଣେଶ ଦୋରା (୨୪) , ସୁଶାନ୍ତ କୁମାର ସାହୁ (୨୫) , ଏସ୍ . ମିଲନ ଦୋରା (୨୪) , ଆର୍ . ସୁଶାନ୍ତ ଦୋରା (୨୬) ଓ କୁରେଶୁ ସେଠୀ (୨୬) ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୧୦ ତାରିଖ ଶୁକ୍ରବାର ଦିନ ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ କିଛି ଯୁବଗୋଷ୍ଠୀ ପକ୍ଷରୁ ସାହି ଗଳିକନ୍ଦିରେ ଗଣେଶ ପୂଜାକୁ ଧୁମଧାମରେ ପାଳନ କରିଥିଲେ । ଏହାପରେ ଦିଗପହଣ୍ଡି ଓ ନିକଟସ୍ଥ ଡେଙ୍ଗାଓସ୍ତା ଗ୍ରାମର କିଛି ଯୁବକ ଏହି ଉତ୍ସବକୁ ଖୁସି ମନାଇବା ପାଇଁ ଦିଗପହଣ୍ଡି ପୋଡାମାରୀ ରାସ୍ତା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଚାଙ୍ଗୁଡିଦେବୀ ପାହାଡ ରାସ୍ତା ପାର୍ଶ୍ବରେ ପ୍ରଚୁର ମଦ୍ୟପାନ କରିଥିଲେ । ତେବେ କିଛି କଥା କଟାକଟିକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଏହାର କିଛି କ୍ଷଣକ ମଧ୍ୟରେ ଅର୍ଥାତ ସନ୍ଧ୍ୟା ସାଢ଼େ ୭ ଘଣ୍ଟା ସମୟରେ ଆକ୍ରମଣ ପ୍ରତି ଆକ୍ରମଣରେ ରାଜରାସ୍ତା ପାଲଟି ଯାଇଥିଲା ରଣକ୍ଷେତ୍ର । ଏହି ମରଣାନ୍ତକ ଆକ୍ରମଣରେ ଦିଗପହଣ୍ଡି ଅଞ୍ଚଳର କିଷାନ ବେହେରା , ସୁରେଶ ବେହେରା , ସୁଶାନ୍ତ ଦାସ , କ୍ଷିରୋଦ ରେଡ୍ଡୀ ଓ ଡେଙ୍ଗାଓସ୍ତାର କୁରେଶୁ ସେଠୀ ଆହତ ମଧ୍ୟ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ ମଧ୍ୟ ଗୁରୁତର କିଷାନ ଓ ସୁରେଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ହେତୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରିଥିଲେ । ଏନେଇ ପରଦିନ ଦିଗପହଣ୍ଡି ସାହାଣୀ ସାହିର ସେକ ଲିଟୁ ନାମକ ଯୁବକ ଥାନାରେ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତି କରି ଦିଗପହଣ୍ଡି ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ ପିସ୍ତଲ , ଦୁଇଟି ଜୀବନ୍ତ ଗୁଳି , ଛୁରୀ , ରୂପା ଚେଇନ୍ ଓ ୫ ଗୋଟି ବାଇକ ଜବତ ମଧ୍ୟ କରିଥିବା ଜଣାପଡ଼ିଛି । ତେବେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଥାନା ମାମଲା ନଂ ୨୩୨/୨୧ , ଆଇପିସି ଧାରା ୧୪୭/୧୪୮ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତମାନଙ୍କୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ତେବେ ଏହି ମାମଲାରେ ଅନ୍ୟ ୪ ରୁ ୫ ଯୁବକ ମଧ୍ୟ ସାମିଲ ରହିଥିବା ବେଳେ ସେମାନଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିବା ଜଣାପଡିଛି ।


