ଗଞ୍ଜେଇ ଚାଷୀଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ କରି ଅନ୍ୟ ଲାଭଜନକ ଚାଷରେ ସଂପୃକ୍ତ କରାଯାଉ – ଜିଲ୍ଲାପାଳ

ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାରେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୁମ୍ ଆଭାସୀରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଭାସୀରେ ଜିଲ୍ଲାପାଳ ଜଣାଇଥିଲେଯେ, ଗଞ୍ଜେଇ ଚାଷରୁ ଏଣିକି ଲୋକଙ୍କୁ ନିବୃତ୍ତ କରାଯିବ । ତତ୍ ସହିତ ସେହି ଚାଷୀଙ୍କୁ ଅନ୍ୟଏକ ଲାଭ ଜନକ ଚାଷ ସହିତ ସଂପୃକ୍ତ କରି ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ । ଗଞ୍ଜେଇ ଚାଷ କରୁଥିବା ଚାଷୀ ଅନ୍ୟ ଚାଷ ପ୍ରତି ଆଗ୍ରହୀ ହୋଇ ଅଧିକ ଲାଭ ବାନ୍ ହେଲେ ସେମାନେ ଗଞ୍ଜେଇ ଚାଷ ଠାରୁ ନିଜକୁ ଦୂରେଇ ରଖିବେ । ଜଙ୍ଗଲ ଅଞ୍ଚଳରେ କୌଣସି ଠାରେ ଯେପରି ବେଆଇନ୍ ଭାବେ ଗଞ୍ଜାଇ ଚାଷ ହେବ ନାହିଁ ସେହି ଦିଗ ପ୍ରତି ଜଙ୍ଗଲ ବିଭାଗ ତରଫରୁ ଦୃଷ୍ଟି ଦିଆଯାଉ । ପୋଲିସ୍, ଅବକାରୀ, ଜଙ୍ଗଲ ବିଭାଗ, ମାଜିଷ୍ଟ୍ରେଟଙ୍କ ଦ୍ବାରା ଏକ ଦଳ ଗଠନ କରି ମିଳିତ ଚଢାଉ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବିଗତ 4 ବର୍ଷରେ ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ତରଫରୁ 112 ଏକର ଏବଂ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ 45 ଏକର ଏଭଳି ସମୁଦାୟ 157 ଏକର ଚାଷ ଜମିରେ ଗଞ୍ଜେଇ ଚାଷ ହୋଇଥିଲା । ତାହାକୁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ନଷ୍ଟ କରିଦିଆଯାଇଥିବା ତଥ୍ୟରୁ ଜଣା ପଡିଛି । ଗଜପତି, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ସୀମାବର୍ତ୍ତୀ ସ୍ଥାନରେ ରହୁଥିବା ବଡଗଡ ଥାନା ଅଞ୍ଚଳରେ ବିଶେଷ ଭାବେ ଏହି ଗଞ୍ଜେଇ ଚାଷ ହେଉଛି । ଏହି ସମସ୍ତ ଅଞ୍ଚଳରେ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ସେଠାକାର ସ୍ଥାନୀୟ ଲୋକ ପ୍ରତିନିଧି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମାନଙ୍କୁ ସଂପୃକ୍ତ କରି ଏହି ସଚେତନତା କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି । ସେମାନେ ଗଞ୍ଜେଇ ଚାଷରୁ ନିବୃତ୍ତ କରାଇ ଚାଷୀମାନଙ୍କୁ ଅନ୍ୟ ଚାଷ କରିବା ଦିଗରେ ପ୍ରୋତ୍ସାହନ ଦେବା ସହିତ ଅନ୍ୟ ଲାଭ ଜନକ ଚାଷ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରିବାକୁ କୃଷି ବିଭାଗକୁ କହିଥିଲେ ଏବଂ ସମସ୍ତ ପ୍ରକାର ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଯଦ୍ବାରା ଗଞ୍ଜେଇ ଚାଷ ପରିବର୍ତ୍ତେ ଚାଷୀକୁଳ ଭଲବାଟରେ ଆସିପାରିବେ ଏବଂ ସେମାନେ ଥଇଥାନ ହୋଇ ପାରିବେ । ଏଥି ସକାଶେ ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଆଭାସୀ ବୈଠକରେ ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେଶ୍ ବୋତ୍ରା, ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ରମେଶ ନାୟକ, ପୋଲିସ୍ ବିଭାଗ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି.କେ.ଦଳେଇ, ଉଦ୍ୟାନ କୃଷି ଡିନ୍ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ