ଶ୍ରୀଜଗନ୍ନାଥ ସର୍ଭିସ ଷ୍ଟେସନରେ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ସହର ଉପକଣ୍ଠ ଶେରଗଡ଼ସ୍ଥିତ ଶ୍ରୀଜଗନ୍ନାଥ ସର୍ଭିସ ଷ୍ଟେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସର୍ଭିସ ଷ୍ଟେସନ ପରିସରରେ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ)ର ମୁଖ୍ୟ ଆଞ୍ଚଳିକ ପରିଚାଳକ ଭାନୁଶଙ୍କର ସାହୁ ଉଦଘାଟନ କରିବା ସହିତ ବ୍ୟବସାୟ ଓ ସମାଜମଙ୍ଗଳ କାର୍ଯ୍ୟରେ ଶ୍ରୀଜଗନ୍ନାଥ ସର୍ଭିସ ଷ୍ଟେସନର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ଏହିଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ ମତ ଦେଇଥିଲେ । ଏଚପିସିଏଲର ବାଲେଶ୍ୱର ଏରିଆ ସେଲ୍ସ ମ୍ୟାନେଜର ରଂଜନ ଚୌରାସିଆ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ଶ୍ରୀଜଗନ୍ନାଥ ସର୍ଭିସ ଷ୍ଟେସନର ସାମାଜିକ ଦାୟିତ୍ୱବୋଧତାକୁ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀଜଗନ୍ନାଥ ସର୍ଭିସ ଷ୍ଟେସନର ପରିଚାଳନା ନିର୍ଦ୍ଦେଶକ ଯୁବ ଉଦ୍ୟୋଗୀ ଲକ୍ଷ୍ମୀନାରାୟଣ ମହାନ୍ତି ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବା ସହିତ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କେବଳ ରକ୍ତଦାନ ଶିବିର ନୁହେଁ ବରଂ ଅନ୍ୟାନ୍ୟ ସମାଜସେବା ମୂଳକ କାର୍ଯ୍ୟରେ ଶ୍ରୀଜଗନ୍ନାଥ ସର୍ଭିସ ଷ୍ଟେସନ ତା’ର ଦାୟିତ୍ୱ ବୋଧତା ସୁଚାରୁ ରୂପେ ନିର୍ବାହ ଜାରି ରଖିଛି ବୋଲି ଶ୍ରୀ ମହାନ୍ତି କହିଥିଲେ । ଏଚପିସିଏଲର ପରିଚାଳକ ଇଂ. ଶିବ ଦତ୍ତଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ ଶ୍ରୀଜଗନ୍ନାଥ ସର୍ଭିସ ଷ୍ଟେସନ ପରିସରରେ ବୃକ୍ଷରୋପଣ କରିଥିଲେ । ଜିଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ମହେଶ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଶୁଭେନ୍ଦୁ କୁମାର ପଟ୍ଟନାୟକ, ଦର୍ପନାରାୟଣ ଦାସ, ଜଗନ୍ନାଥ ପଣ୍ଡା, ଅଚ୍ୟୁତ କୁମାର ପଣ୍ଡା, ଦିବାକର ମହାନ୍ତି, ସନ୍ତୋଷ ଦାସ, ଚିନ୍ତାମଣି ନାୟକ, ଦାମୋଦର ସାମଲ ପ୍ରମୁଖଙ୍କ ସମେତ ଶ୍ରୀଜଗନ୍ନାଥ ସର୍ଭିସ ଷ୍ଟେସନର କର୍ମଚାରୀମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।


