ଆଗକୁ ଆସିକା ପୌର ପରିଷଦ ନିର୍ବାଚନ : ଗଡ ରକ୍ଷା ପାଇଁ ଏବେଠୁ ଆସିକା ବିଜେଡି ଶିବିରରେ ତତ୍ପରତା ବୃଦ୍ଧି

ଆସିକା (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ପକ୍ଷରୁ ଆସିକା ପୌର ପରିଷଦକୁ ମ୍ୟୁନିସିପାଲଟି ଘୋଷଣା ହେବା ପରେ ଆଉ କେଇଟା ମାସ ପରେ କର୍ପୋରେଟର୍‍ ଓ ମେୟର୍‍ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ୧୯୫୭ ମସିହା ନଭେମ୍ବର ମାସ ୧୫ ତାରିଖରେ ଗଠିତ ହୋଇଥିବା ଆସିକା ଏନ୍‍ଏସିର ପରିସର ବୃଦ୍ଧି ପାଇଛି । ପୂର୍ବରୁ ୧୮ଟି ୱାର୍ଡରେ ସୀମିତ ଥିବା ଆସିକା ପୌରପାଳିକା ଘୋଷଣା ହେବା ପରେ ୱାର୍ଡସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଆଗାମୀ କିଛି ମାସ ପରେ ପ୍ରଥମ କରି ଆସିକା ପୌର ପରିଷଦର ନିର୍ବାଚନ ହେବାକୁ ଥିବା ବେଳେ ବର୍ତ୍ତମାନ ଠାରୁ ବହୁ ଯୁବ ଭୋଟରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । କାରଣ ଭୋଟରମାନେ ସେମାନଙ୍କ ମନ ପସନ୍ଦର କର୍ପୋରେଟର୍‍ ଓ ମେୟର୍‍କୁ ବାଛିବେ । ଆସନ୍ତା ଆସିକା ପୌର ପରିଷଦ ନିର୍ବାଚନ କେବେ ହେବ ସେ ସଂକ୍ରାନ୍ତରେ ସ୍ପଷ୍ଟ ଭାବେ କୌଣସି ସୂଚନା ମିଳିପାରିନଥିଲେ ମଧ୍ୟ ଆସିକା ପୌର ପରିଷଦକୁ ହତେଇବା ପାଇଁ ଏବେଠୁ ବିଜେଡି ତାର ରଣନୀତି ଆରମ୍ଭ କରିଦେଇଥିବା ସାଙ୍ଗକୁ ଗଡ ରକ୍ଷା ପାଇଁ ସଜବାଜ ହେଉଥିବା ସଚେତନ ନାଗରିକ ମହଲରେ ଆଲୋଚନା ହେଉଛି । ବିଜୁ ଜନତା ପାଇଁ ଆସନ୍ତା ଆସିକା ପୌର ପରିଷଦର ନିର୍ବାଚନ ସମ୍ମାନ ଓ ସ୍ୱାଭିମାନର ପ୍ରଶ୍ନ ଥିବାରୁ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ କରିବା ଲାଗି ଦଳର ହେବିୱେଟ୍‍ ମାନେ ବିଚାରବିମର୍ଶ ଜାରି ରଖିଥିବା ଦେଖିବାକୁ ମିଳୁଛି । ଗତ ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ବିଜୁ ଜନତା ଦଳର କାଉନସିଲରମାନେ ସର୍ବାଧିକ ୧୪ଟି ୱାର୍ଡରେ ବିଜୟଲାଭ କରିଥିଲା ବେଳେ ୨ଟି ୱାର୍ଡରେ ବିଜେପି ଏବଂ ଆଉ ୨ଟି ୱାର୍ଡରେ ସ୍ୱାଧୀନ କାଉନସିଲରମାନେ ବିଜୟଲାଭ କରିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଆସିକା ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁଙ୍କ ହାତମୁଠାକୁ ଆହୁରି ଟାଣ କରିବା ପାଇଁ ଦଳୀୟ ନେତା ଓ କର୍ମୀମାନେ ଏକ ମନ ଏକ ପ୍ରାଣରେ ଏକାଠି ହୋଇ କାର୍ଯ୍ୟକଲେ ଆସନ୍ତା ଆସିକା ପୌରପାଳିକା ନିର୍ବାଚନରେ ବିଜେଡି ପୁଣି ବିଜୟର ଟିକା ନିଶ୍ଚିତ ଭାବେ ପିନ୍ଧିବ ଏବଂ ଗଡ ରକ୍ଷା କରିବାରେ ସକ୍ଷମ ହୋଇପାରିବ ବୋଲି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ନଚିକେତା ସ୍ୱାଇଁ ଏବଂ ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା ଓ ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ସୂଚନା ଦେଇଛନ୍ତି । ଆଗାମୀ ଆସିକା ପୌର ପରିଷଦ ନିର୍ବାଚନକୁ ନେଇ ଏବେଠୁ ରାଜନୈତିକ ପାଣିପାଗ ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଆସିକା ପୌର ପରିଷଦର ମେୟର୍‍ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ନା ଅନ୍ୟ କେଉଁ ବର୍ଗର ପାଇଁ ସଂରକ୍ଷିତ ରହିବ ଏବଂ କେଉଁ ୱାର୍ଡ କେଉଁ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ ଓ ମେୟର୍‍ ନିର୍ବାଚନ ନିର୍ବାଚନ ପ୍ରତ୍ୟେକ୍ଷ ଭାବେ ହେବ କି ପରୋକ୍ଷ ଭାବେ ହେବ ସେ ସଂକ୍ରାନ୍ତରେ କୌଣସି ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇନଥିଲା ବେଳେ ସହରର ସାହିବସ୍ତିରେ ଆଗାମୀ ନିର୍ବାଚନକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଜୋର୍‍ ଧରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ପରାମର୍ଶକ୍ରମେ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ତଥା ଭେଟେରାନ୍‍ ବିଜେଡି ନେତା ନଚିକେତା ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବିଜେଡି ନେତା ପ୍ରସନ୍ନ କୁମାର ତ୍ରିପାଠୀ ଓ ଦିଲୀପ କୁମାର ପାଣିଗ୍ରାହୀ, ଆସିକା ନଗର ବିଜେଡି ସଭାପତି ତାରିଣୀ ସେନାପତି, ଆସିକା ନଗର ବିଜେଡିର ମହିଳା ସଭାନେତ୍ରୀ ଏମ୍‍.ରଶ୍ମିତା ସେନାପତି, ବିଜେଡି ନେତା ଇଂ ସଚ୍ଚିଦାନନ୍ଦ ରାଉତ, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ, ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ, ଯୁବ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା, କେଶବ ଦାଶ, ଶିବ ପ୍ରସାଦ ଶତପଥୀଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଆଗାମୀ ଆସିକା ପୌର ପରିଷଦ ନିର୍ବାଚନରେ ବିଜେଡି ଯେପରି ପୁଣି କ୍ଷମତା ଦଖଲ କରିବ ସେଥିପାଇଁ ରଣନୀତି ନିର୍ଦ୍ଧାରଣରେ ଲାଗି ପଡିଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଆସିକା ପୌର ପରିଷଦ ନିର୍ବାଚନ ବିଜେଡି ପାଇଁ ଅଗ୍ନି ପରୀକ୍ଷାର ବେଳ ହୋଇଥିଲା ବେଳ ବୋଲି ଆଲୋଚିତ ହେଉଛି । ଗତ ୨୦୨୨ ରେ ଅନୁଷ୍ଠିତ ଆସିକା ପୌର ନିର୍ବାଚନର ସଫଳତାକୁ ପୁଣି ଦୋହରାଇବାକୁ ବିଜେଡି ପ୍ରାକ୍‍ ପ୍ରସ୍ତୁତି ଏବେଠୁ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ