କୃଷି ଆଇନ୍ ବାତିଲ ଦାବିରେ ଭାରତ ବନ୍ଦରେ ସାମିଲ୍ ହେଲା ଫରୱାର୍ଡ଼ ବ୍ଲକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସବ୍କା ସାଥ- ସବ୍କା ବିକାଶର ସ୍ଲୋଗାନ ଦେଇ କେନ୍ଦ୍ରରେ ସରକାର ଗଠନ କରିଥିବା ନରେନ୍ଦ୍ର ମୋଦୀ ସରକାର ଦେଶରେ ବିଭିନ୍ନ ଜନବିରୋଧି ଆଇନକୁ କାର୍ଯ୍ୟକାରୀ କରାଇ ସାଧାରଣ ମଣିଷର ଜୀବନଯାତ୍ରାକୁ ଦୁର୍ବିଶୟ କରିପକାଇଛନ୍ତି । ଦେଶରେ କୃଷି ବ୍ୟବସ୍ଥାକୁ କର୍ପୋରେଟ ହାତକୁ ଟେକିଦେବା ପାଇଁ କୃଷି ଆଇନ-୨୦୨୦, କଣ୍ଟ୍ରାକ୍୍ଟ ପାର୍ମିଙ୍ଗ ଆକ୍ଟ -୨୦୨୦, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ- ୨୦୨୦ ଏବଂ ବିଦ୍ୟୁତ ବିଲ୍ ବୃଦ୍ଧି ଆଇନ-୨୦୨୦ କୁ ଗତ ସଂସଦ ଅଧିବେଶନ ସମୟରେ ଧ୍ୱନି ମତରେ ପାରିତ କରାଇଛନ୍ତି । ଭାରତ ବର୍ଷର ପ୍ରତିଷ୍ଠିତ କୃଷି ଅର୍ଥନୀତିକୁ ସଂପୂର୍ଣ୍ଣ ରୂପେ ଧ୍ୱଂସ କରିଦେବା ପାଇଁ ଯୋଜନାବଦ୍ଧ ଭାବରେ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ କୃଷକ ବିରୋଧୀ ଆଇନ୍କୁ କାର୍ଯ୍ୟକାରୀ କରାଉଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ସଂଶୋଧନ ଫଳରେ ଦରଦାମ ଆକାଶଛୁଆଁ ହୋଇଛି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକୁ ଶାଗ ମାଛ ଦରରେ ଦେଶୀ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ବିକ୍ରି କରିବାରେ ଲାଗିଛନ୍ତି ନରେନ୍ଦ୍ର ମୋଦି ସରକାର । ଯାହା ବିରୁଦ୍ଧରେ ଭାରତ ବର୍ଷର ତମାମ କୃଷକ ସଂଗଠନମାନେ ଏକାଠି ହୋଇ ସଂଯୁକ୍ତ କୃଷକ ମୋର୍ଚ୍ଚା ଗଠନ କରି ଏଭଳି କୃଷି ଓ ଜନ ବିରୋଧୀ କଳା ଆଇନ୍କୁ ବାତିଲ କରିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ନୂତନ କୃଷି ଆଇନ୍ ପ୍ରତିବାଦରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୨୭ ସେପ୍ଟେମ୍ବର ଭାରତ ବନ୍ଦର ଡ଼ାକରା ଦିଆଯାଇଥିଲା । ଏହି ବନ୍ଦ ଡ଼ାକରାକୁ ଅନ୍ୟାନ୍ୟ ରାଜନୈତିକ ଦଳମାନଙ୍କ ସମେତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଓ ଏହାର ଗଣସଂଗଠନମାନେ ସମର୍ଥନ ଘୋଷଣା କରିଥିଲେ । ଆଜି ଏହି ଭାରତ ବନ୍ଦକୁ ସମର୍ଥନ କରି ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଓ ଏହାର କୃଷକ ସଂଗଠନ ଅଲ ଇଣ୍ଡିଆ ଅଗ୍ରଗାମୀ କିଷାନ ସଭା, ଶ୍ରମିକ ସଂଗଠନ ଟ୍ରେଡ଼ ୟୁନିୟନ କୋର୍ଡ଼ିନେସନ ସେଣ୍ଟର (ଟିୟୁସିସି) ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟ ତମାମ ପିକେଟିଂ କରାଯାଇଥିଲା । ଆଜି ଭୋର ସମୟ ପ୍ରାୟ ୫ ଘଟିକା ୫୦ ମିନିଟ ସମୟରୁ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର, ଶ୍ରମିକ ନେତା ବିଜୟ କୁମାର ସାହୁ, ବିକାଶ ମହାପାତ୍ର, ପୃଥ୍ୱୀରାଜ ମଲ୍ଲିକ, ସୌମ୍ୟରଞ୍ଜନ ସ୍ୱାଇଁ, ବିଜୟ କୁମାର ବାରିକ, ରଞ୍ଜନ ପ୍ରଧାନ, ରମେଶ ବେହେରା, ଉତ୍ତମ ବେହେରା, ଧରୁଆ ବେହେରା ପ୍ରମ୍ମୁଖଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ôଚ ରେଳରୋକ ଆନ୍ଦୋଳନ ସଂଗଠିତ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଜନଶତାଦ୍ଦି ଏକ୍ସପ୍ରେସ୍, ବଲାଙ୍ଗିର ଇଟଂର ସିଟି, ସାଲିମାର ଏକ୍ସପ୍ରେସ୍ ସମେତ ମାଲ୍ ପରିବାହି ରେଳ ଗାଡ଼ିଗୁଡ଼ିକ ଅଟକି ରହିଥିଲା । ପ୍ରାୟ ଦେଢଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ରେଳ ରୋକ ଆନ୍ଦୋଳନ ଫଳରେ ଭୁବନେଶ୍ୱର ରେଳ ଷ୍ଟେସନ ଅଚଳ ହୋଇପଡ଼ିଥିଲା । ପରେ ଆନ୍ଦୋଳନକାରୀମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ବିଭିନ୍ନ କେନ୍ଦ୍ର ସରକାରଙ୍କ ଦପ୍ତରଗୁଡ଼ିକ ସମ୍ମୁଖରେ ମଧ୍ୟ ପିକେଟିଂ କରିଥିଲେ । ଏହାପରେ ଫରୱାର୍ଡ଼ ବ୍ଲକ ଓ ଅଗ୍ରଗାମୀ କିଷାନ ସଭାର କର୍ମକର୍ତ୍ତାମାନେ ମାଷ୍ଟର କ୍ୟାଣ୍ଟିନ ଗୋଲେଇ ଛକକୁ ଅବରୋଧ କରି ଦୀର୍ଘ ସମୟ ଧରି ବସି ରହିବା ଫଳରେ ଯାନବାହାନ ଚଳାଚଳ ବ୍ୟାଘାତ ହୋଇଥିଲା । ମଧ୍ୟାହ୍ନରେ ଫରୱାର୍ଡ଼ ବ୍ଲକ ଏବଂ ଏହାର ଗଣ ସଂଗଠନମାନଙ୍କ ସମେତ ଅନ୍ୟାନ୍ୟ କୃଷକ ସଂଗଠନ ଓ ରାଜନୈତିକ ଦଳମାନଙ୍କ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ôଚବା ପରେ ପୋଲିସ୍ କର୍ଡ଼ନ ଭାଙ୍ଗି ଶତାଧିକ କର୍ମକର୍ତ୍ତା ଗିରଫ ହୋଇଥିଲେ । ଅନୁରୂପ ଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ମଧ୍ୟ ଫରୱାର୍ଡ଼ ବ୍ଲକ, ଅଗ୍ରଗାମୀ କିଷାନ ସଭା ଏବଂ ଟିୟୁସିସି ପକ୍ଷରୁ ମିଳିତ ଭାବରେ ଭାରତ ବନ୍ଦ ସପକ୍ଷରେ ପିକେଟିଂ ସଂଗଠିତ କରାଯାଇଅଛି ।


