ହରିଜନ ଆନ୍ଦୋଳନ ଓ ଗାନ୍ଧୀଙ୍କର ଓଡ଼ିଶାରେ ପଦଯାତ୍ରା

ବିପିନ ବିହାରୀ ମହାନ୍ତି
୧୯୨୧ ମସିହାରେ ଗାନ୍ଧୀ ଅସହଯୋଗ ଆନ୍ଦୋଳନ କରିଥିଲେ । ଉଦ୍ଦେଶ୍ୟଥିଲା ଇଂରେଜ ସରକାରଙ୍କୁ କୌଣସି ପ୍ରକାର ଶାସନ ବା ଅନ୍ୟକ୍ଷେତ୍ରରେ ସହଯୋଗ କରିବେ ନାହିଁ । ସେମାନେ ଭାରତ ଛାଡ଼ନ୍ତୁ । ଏଥିପାଇଁ ନୀତିଥିଲା ବିଦେଶୀ ବର୍ଜନ ଓ ସ୍ୱଦେଶୀ ଗ୍ରହଣ କର । ପରେ ପରେ ଏଥି ସହିତ କଂଗ୍ରେସର ସ୍ୱରାଜ୍ୟ ପାଇଁ ଗାଠନିକ କାର୍ଯ୍ୟ, ଖଦଡ଼ ବା ଚରଖା ଆନ୍ଦୋଳନ ଓ ସଦ୍ୟାଗ୍ରହ ଆନ୍ଦୋଳନ ଇତ୍ୟାଦି ଚାଲିଲା । ୧୯୩୨ ବେଳକୁ ସତ୍ୟାଗ୍ରହ ଆନ୍ଦୋଳନ ବନ୍ଦହୋଇ ହରିଜନ ଆନ୍ଦୋଳନ ଗାନ୍ଧୀଙ୍କ ନେତୃତ୍ୱରେ ତେଜି ଉଠିଲା । ସେ ୧୯୩୪ରେ ହରିଜନ ଗ୍ରସ୍ତରେ ଭାରତ ଭ୍ରମଣରେ ବାହାରିଲେ । ଏ ଗ୍ରସ୍ତରେ ଅସ୍ପୃଶ୍ୟତା ଉଠାଇବା ବାର୍ତ୍ତା ପ୍ରଚାର କରିବା ଓ ହରିଜନଙ୍କ ପାଇଁ ଅର୍ଥ ସଂଗ୍ରହ କରିବା ଥିଲା ତାଙ୍କର ପ୍ରଧାନ କାମ ।
୧୯୩୪ ମସିହା ମେ’ ମାସରେ ଗାନ୍ଧୀ ଉତ୍କଳ ବା ଓଡ଼ିଶାକୁ ଏହିକାର୍ଯ୍ୟରେ ଆସିଥିଲେ । ଆଗରୁ ଓଡ଼ିଶା ପାଇଁ ମାତ୍ର ଆଠଦିନ ସମୟ ରଖା ଯାଇଥିଲା ଅଥଚ ଗାନ୍ଧୀ ଓଡ଼ିଶାରେ ମାସକରୁ ଅଧିକ ସମୟ ରହିଗଲେ । ସେ ବିହାର ଗ୍ରସ୍ତରୁ ସିଧା ସଳଖ ସମ୍ବଲପୁରଆସି ସେଠୁ ମଟର ଯୋଗେ ଅନୁଗୋଳ ଓ ସେଠାରୁ ରେଳଯୋଗେ ପୁରୀ ଗଲେ । ଯଦିଓ ଏଭିତରେ ବେଶୀ ଯାଗା ବୁଲିବାପାଇଁ ଗାଡ଼ି ମଟରକୁ ଆଧାର କରିଥାନ୍ତି, ୟା ଭିତରେ ସେ ନିଷ୍ପତ୍ତି ନେଇଥାନ୍ତି ଯେ, ଏଣିକି ପୁରୀଠାରୁ ହରିଜନ ଗସ୍ତରେ ପଦଯାତ୍ରା କରିବେ । ଏଥିକୁ କିଛି ସଭ୍ୟ ବିରୋଧକଲେ କାରଣ ଏହା ଦ୍ୱାରା ବେଶୀ ଅଞ୍ଚଳ ବୁଲି ହେବ ନାହିଁ । ଗାନ୍ଧୀ ଏସବୁ ଶୁଣି ଜବାବ ରଖିଲେ – ରେଳ ମଟର ଯୋଗେ ଗୁଡ଼ାଏ ଅଞ୍ଚଳ ବୁଲି ପ୍ରଚାରରେ ଯାହା ଫଳ ହେବ, ଏ ପାଦ ଯାତ୍ରାରେ ତା’ଠୁ ବେଶୀ ଫଳ ହେବ, କାରଣ ହରିଜନ ଆନ୍ଦୋଳନ ଏକ ଧର୍ମ କାମ । ଧର୍ମ ପ୍ରଚାରରୀତି ଭିନ୍ନ । ଧର୍ମ ପ୍ରଚାର ଆତ୍ମବଳରେହୁଏ; ଯାନବାହାନ ଗାଡ଼ି ଉପରେ ତାହା ନିର୍ଭର କରେ ନାହିଁ । ବରଂ ଆଧ୍ୟାତ୍ମିକ ପ୍ରଚାର ଶବ୍ଦଠାରୁ ଅଧିକ ବେଗରେ ଚାରିଆଡ଼େ ଖେଳିଯାଏ । ପୂର୍ବ କାଳରେ ସାଧୁ ସନ୍ଥମାନେ ଏହିପରି ଚାଲିଚାଲି ଯାହା ପ୍ରଚାର କରିଛନ୍ତି, ସେଥିରେ ଏଡ଼େ ଏଡ଼େ ଧର୍ମର୍ମାନ ଆଜିଯାଏ ତିଷ୍ଠି ରହିଛନ୍ତି । ପୁରୀ ଏକ ତୀର୍ଥ, ଧର୍ମର ପୀଠ, ଉତ୍କଳ ଏକ ଧର୍ମର କ୍ଷେତ୍ର ଏବଂ ଧର୍ମପ୍ରଚାର ରୀତି ଏଠାରୁ ବଦଳେଇ ଦେବା ଉଚିତ୍ ।
ଏଥିକୁ ଆଉ କାହାର ଅମଙ୍ଗ ହେବାର ନଥିଲା । ପୁରୀରୁ ବାହାରି ଜଗନ୍ନାଥ ସଡ଼କ ଦେଇ କଟକ ଅଭିମୁଖେ ଯିବାର ନିଷ୍ପତ୍ତି ହେଲା । ପ୍ରତିଦିନ ସକାଳ ଓଳି ଚାରି ପାଞ୍ଚମାଇଲ୍ ଗଲାପରେ ଗୋଟିଏ ଗାଁରେ ରହଣୀ ଓ ସଭା । ସଂଧ୍ୟାବେଳେକୁ ପୁଣି ସେଇ ଚାରି ପାଞ୍ଚମାଇଲ୍ ଗଲାପରେ କୋଉଗାଁରେ ରହଣୀ ଓ ସଭା । ଗାଁ ବାଲା ଯାହା ଦେବେ, ଖାଇବେ; ଗାନ୍ଧୀ ଫଳ ଖାଆନ୍ତି । ହେଲେ, ଏଥର ଜାହାର ଫଳ ନୁହେଁ, ଗାଁ ଗହଳିରୁ ଯାହା ମିଳିବ, ସେୟା ଖାଇବେ । କମ ଲୋକ ଦଳରେ ଯିବେ । କମ ଜିନିଷ ଯିବ । ଗାଁ ସଫେଇ ପାଇଁ ସାଙ୍ଗରେ ଝାଡ଼ୁ, ଟୋକେଇ, କୋଦାଳ ନେବାର ବ୍ୟବସ୍ଥା ହେଲା । ଜିନିଷପତ୍ର ଓ ଅସୁସ୍ଥକର୍ମୀଙ୍କୁ ବୋହିବା ପାଇଁ, ଗୋଟେ ବଳଦ ଗାଡ଼ିର ବ୍ୟବସ୍ଥା ହେଲା । ବାକିସବୁ ଜିନିଷ ରେଳ ଯୋଗେ କଟକ ପଠାଇ ଦିଆଗଲା ।
ଏହି ହରିଜନ ଗ୍ରସ୍ତ ଦଳରେ ଥିଲେ ମୋଟ ଚଉଦଜଣ । ସେଥିମଧ୍ୟରୁ ସାତଜଣ ସ୍ତ୍ରୀଲୋକ:ଶ୍ରୀମତୀ ମୀରାବେନ, ଯମୁନାଲାଲ୍ ବାଜାଜ୍‌ଙ୍କ ସାନ ଝିଅ, ଉମା, ଶ୍ରୀ ଜୟ ପ୍ରକାଶ ନାରାୟଣଙ୍କ ପତ୍ନୀ ଶ୍ରୀମତୀ ପ୍ରଭାବତୀ ଦେବୀ, ଶ୍ରୀମତୀ ସୁଶୀଳା ବାଈ ଏବଂ ଓଡ଼ିଶାରୁ ରମାଦେବୀ, ଅନ୍ନପୂର୍ଣ୍ଣ ମହାରଣା, ଓ ଗୋଦାବରୀ ଦେବୀ ଇତ୍ୟାଦି । ପରେ ପରେ ଓଡ଼ିଶାର ଅନ୍ୟ ନାରୀ ନେତ୍ରୀମାନେ ଯୋଗଦେଲେ । ପୁରୁଷମାନଙ୍କ ମଧ୍ୟରେ ଥିଲେ, ଗୋପବନ୍ଧୁ ଚୌଧୁରୀ, ତାଙ୍କ ପୁତ୍ର ମନମୋହନ ଚୌଧୁରୀ ଏବଂ ଅନ୍ୟମାନେ ।
ଏହି ପଦଯାତ୍ରା ଆରମ୍ଭ କରି ଗାନ୍ଧୀ ନିଷ୍ପତ୍ତି ନେଲେ ଯେ, ଏଣିକି ଭାରତର ବିଭିନ୍ନ ପ୍ରାନ୍ତରେହିଁ ଏହିପରି ପଦଯାତ୍ରା ହେବ, ତାଙ୍କ ମତରେ ‘ଭାରତର ଗୋଟିଏ ଆଡ଼େ ଏଭଳି ପ୍ରଚାର କଲେ ସୁଦ୍ଧା, ତାହାର ପ୍ରଭାବ ସାରା ଭାତତ ଉପରେ ପଡ଼ିବ ।’
ପଦଯାତ୍ରା ପୂର୍ବରୁ ଗାନ୍ଧୀ ପୁରୀର ଶରଧାବାଲିରେ ବିରାଟ ସାଧାରଣ ସଭା କରିଥାନ୍ତି । ସେଠାରେ ସେ ହରିଜନ ଯାତ୍ରାର ଉଦ୍ଦେଶ୍ୟ ବୁଝାଇଥାନ୍ତି । ଗାନ୍ଧୀ କାଳେ ହରିଜନମାନଙ୍କୁ ଶ୍ରୀମନ୍ଦିରରେ ପୁରାଇଦେବେ ବୋଲି ପଣ୍ଡାମାନଙ୍କର ଭୟ ଏବଂ ଆପତ୍ତି ଥାଏ । ଏଣୁ ଏ ନେଇ ସଭାରେ ଗାନ୍ଧୀ କହିଥିଲେ, “ଅନ୍ୟମାନଙ୍କର ଆପତ୍ତି ଅଛି । ଆମ ହରିଜନମାନେ ମନ୍ଦିରରେ ପଶିବେ ନାହିଁ । …. ଅର୍ଥାତ୍ ଯେଉଁ ମନ୍ଦିରକୁ ଅଛୁଆଁ ଲୋକ ଯିବାକୁ ମନା, ସେଠିକୁ ଗାନ୍ଧୀ ବା ତାଙ୍କ ସେବା ଦଳ କେହି ଯାଇପାରିବେ ନାହିଁ ।” ଏହି କାରଣରୁ କୌଣସି ହରିଜନ ସେବା ଦଳ ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିନଥିଲେ ।
୧୯୩୪ ମେ ୯ ତାରିଖ ସକାଳୁ ପୁରୀଠାରୁ ପାଦଯାତ୍ରା ଆରମ୍ଭ ହେଲା । ସକାଳ ପାଞ୍ଚଟାରୁ ଯାତ୍ରା । କଥାହେଲା ହରେକୃଷ୍ଣପୁର, ଚନ୍ଦନପୁର, ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଦାଣ୍ଡ ମୁକୁନ୍ଦପୁର, ପିପିଲି, ଶିଉଲା ଚକ, ବାଳକାଟି ସତ୍ୟଭାମାପୁର, ବାଲିଅନ୍ତା, ତେଲେଙ୍ଗା ପେଣ୍ଠ, କାଜିପାଟଣା ଦେଇ କଟକ ଯିବାକୁ ହେବ ।
ରହଣୀ ଯାଗାରେ ସକାଳେ ଓ ସଂଧ୍ୟାରେ ସଭା । ଯେଉଁଠି ହରିଜନବସ୍ତି ଥାଏ ଗାନ୍ଧୀ ତାହା ଦେଖିବାକୁ ଯାଆନ୍ତି । ବସ୍ତି ଦୂରରେ ଥିଲେ କର୍ମୀମାନେ ବିଶେଷ କରି ନାରୀ କର୍ମୀମାନେ ସେଠାକୁ ଯାଇ ସମ୍ବାଦ ଆଣି ଗାନ୍ଧୀଙ୍କୁ ଦିଅନ୍ତି । ଆଉ ଦଳେ ଗାଁ ସଫେଇରେ ଯାଆନ୍ତି । ଦି ପ୍ରହରେ ମୁଠାଏ ଖାଇ ବିଶ୍ରାମ ଓ ଲୋକଙ୍କ ସଂଗେ ଆଳାପ, ପୁଣି ଯାତ୍ରା । ଯାତ୍ରାବେଳେ ବି ଲୋକଙ୍କ ସଂଗେ କଥାରେ କଥାରେ ସମସ୍ୟା ରଫା କରନ୍ତି ଗାନ୍ଧୀ ।
ଗାନ୍ଧୀଙ୍କ ସଭାରେ ପ୍ରବଳ ଭିଡ଼ । ସଭାର ମୁଖ୍ୟ ବିଷୟବସ୍ତୁ: ଉଚ୍ଚନୀଚ ଭାବଛାଡ଼, ଅଛୁଆଁ କଥାକୁ ଉଠାଇ ଦିଅ । ଆଳସ୍ୟ ଛାଡ଼ି ସୂତାକାଟ ଓ ନିଶାଛାଡ଼ି ସ୍ୱାସ୍ଥ୍ୟ ସଂପତ୍ତି ରକ୍ଷାକର । ସେ ହିନ୍ଦି ରେ କୁହନ୍ତି । ତାକୁ ଆଉତ କେହି ଓଡ଼ିଆ ଅନୁବାଦ କରି ଲୋକଙ୍କୁ ବୁଝାଇ ଦିଅନ୍ତି । ସଭାରେ ପ୍ରାର୍ଥନା ହୁଏ । ହରିଜନ କାମପାଇଁ ଚାନ୍ଦା ଆଦାୟ ହୁଏ । ଏ ଥାଏ ନିତିଦିନିଆ ଧନ୍ଦା ।
ପଦଯାତ୍ରାବେଳେ ଗାନ୍ଧୀଙ୍କ ଜୀବନରେ ଅନେକ ଅଲିଭା କାହାଣୀ ଘଟିଥିଲା । ସେ ସବୁ ଏ କ୍ଷୁଦ୍ର କଳେବର ମଧ୍ୟରେ ଦେବା ସମ୍ଭବ ନ ହେଲେ ବି କିଛିଟା ଅବତାରଣ କରାଗଲା ।
ପ୍ରଥମ ପଦଯାତ୍ରା ଦିନ ପ୍ରଥମ ରହଣୀ ହେଲା ଚନ୍ଦନପୁରରେ । ପରବର୍ତ୍ତୀ ରହଣୀ ହେଲା କାଦୁଆ ଗୋପବଂଧୂ ସେବା ସଦନରେ ଯେଉଁଠି ତାଙ୍କୁ ଦେଖିବାକୁ ଓ ଦେଖାକରିବାକୁ ସେ ଅଞ୍ଚଳ ଓ ବନମାଳୀପୁର ଅଞ୍ଚଳରୁ ଅନେକ ଲୋକ ଓ ସ୍ତ୍ରୀଲୋକମାନେ ଆସିଥାନ୍ତି । କାଦୁଆ ରାସ୍ତାରେ ଜଣେ ବୁଢ଼ା ତନ୍ତୀ ତାଙ୍କୁ ଖଣ୍ଡିଏ କାଗଜରେ ଗୁହାରୀ ଜଣାଇ ଲେଖାଟିଏ ଦେଇଥାନ୍ତି । ସେ ତାଙ୍କ ସହିତ ବାଟ ସାରା କଥା ହେଲେ ଏବଂ ଅବଶିଷ୍ଟ କଥା ସରିଲା କାଦୁଆରେ । ବିଷୟବସ୍ତୁଥିଲା ଶସ୍ତା କଳଲୁଗା ଓ ଦାମିକା ଖଦଡ଼ ଧୋତି । ଗାନ୍ଧୀ କହିଥିଲେ; କଳ ତ ହାତ ତନ୍ତକୁ ମାରିବାକୁ ଯାଉଛି । ଯଦି ହାତତନ୍ତକୁ କେହି ବଂଚେଇବ, ସେ ଖଦଡ଼ ଆନ୍ଦୋଳନ ବଂଚେଇବ । … ଖଦି ଲୁଗାକୁ ଆଦରିଲେ ତନ୍ତୀ କୁଳ ରକ୍ଷା ପାଇବ: ଏମିତି ଅନେକ କଥା କହି ସେମାନଙ୍କୁ ପ୍ରବୋଧିଥିଲେ ।
ଦିନେ ରହଣୀରେ ଗାନ୍ଧୀ ତାଙ୍କ ବିଛଣା କିଆଭେଡ଼ ପାଖରେ ପକାଇଲେ । ସାପଭୟ ଅଛି ବୋଲି ଲୋକେ ଆପତ୍ତିକଲେ ଏବଂ ଅନ୍ୟତ୍ର ବିଛଣା ଉଠାଇ ନେବାକୁ କହିଲେ । ଏଥିକୁ ଗାନ୍ଧିକହିଲେ, ‘ମୋତେ ସାପଗୋଡ଼ାଇ ସେଠି-କାମୁଡ଼ିଲେ ମୁଁ କ’ଣ କରିବି ?” ଗାନ୍ଧୀ ସାପ କ’ଣ, ମୁତ୍ୟୁ କୁ ବି ଭୟ କରନ୍ତି ନାହିଁ । ତାଙ୍କ ପାଖେ ସାପ ସଣ ସଣ ହେଇଥିଲେ ବି ସେ ମାରନ୍ତି ନାହିଁ । ଏକଦା ସେ ସାପ ସହ ବିଛଣାରେ ଏମିତି ଦିଲ୍ଲୀରେ ଶୋଇଥିଲେ । ତାଙ୍କ ଆତ୍ମ ଜୀବନୀରେ ସେ ଲେଖିଛନ୍ତି, “ମୁଁ ସାପମରେଇନାହିଁ; କାହିଁ, କେଣସି ଆଶ୍ରମରେ କାହାକୁ ସାପ କେବେ ମାରିନାହାଁନ୍ତି ।”
ସେମିତି ବୀରପୁରୁଷୋତ୍ତମ ପୁରରେ ବ୍ରାହ୍ମଣମାନଙ୍କ ସହ କଥୋପ କଥନରେ କହିଥିଲେ, “ବ୍ରାହ୍ମଣ ଚଣ୍ଡାଳକୁ ଏକ ଦୃଷ୍ଟିରେ ଦେଖିବା ଉଚିତ୍ ଏବଂ ବ୍ରାହ୍ମଣ ଯଦି ନିଜର ବିଶ୍ୱାସ ଅନୁସାରେ କାମ କରିବାର ସାହସ ନଥାଏ, ତେବେ ସେ ବ୍ରାହ୍ମଣ ବୋଲାଇବେ ନାହିଁ । .. ମନ୍ଦିର ଗୁଡ଼ିକ ପାପୀଙ୍କ ପାଇଁ ଗଢ଼ା ହୋଇଛି । ସାଧୁଙ୍କ ପାଇଁ ଗଢ଼ା ହୋଇାନହିଁ । …. ପ୍ରାର୍ଥନାରେ ପ୍ରତିଦିନ ବୋଲା ହେଉଛି; ପାପୋଽହଂ, ପାପକର୍ମାହଂ (ମୁଁ ପାପୀ, ମୁଁ ପାପ କରୁଛି) । କେବଳ ନିଷ୍ପାପ ପାଇଁ ମନ୍ଦିର ଗଢ଼ା ହୋଇଛଥାଆନ୍ତା ତ କୌଣସି ମଣିଷ ସେଥିରେ ପଶିପାରନ୍ତେ ନାହିଁ । … ଶାସ୍ତ୍ରମତେ ବ୍ରାହ୍ମଣମାନେ ତପସ୍ୟା କରି ଧର୍ମର ସେବା କରିବା ସମାଜ ସେବା କରିବା, ବ୍ରହ୍ମ ବା ସତ୍ୟର ଅନୁସନ୍ଧାନରେ ଜୀବନ କଟାଇବା ଉଚିତ୍ । ଅଥଚ ଏଠି ବ୍ରାହ୍ମଣମାନେ ନିଜର କର୍ତ୍ତବ୍ୟ ଛାଡ଼ି ଧନୀ ହେବାରେ ଲାଗିଛନ୍ତି ।”
ଏହାପରେ ପରବର୍ତ୍ତୀ ରହଣୀଥିଲା ପିପିଲି । ପଦଯାତ୍ରା ଚାଲିଥିଲାବେଳେ ଦୈନଦିନ କାର୍ଯ୍ୟ ଠିକ୍ ଚାଲିଥାଏ । ଓଡ଼ିଶା ବନ୍ୟା ସଂପର୍କରେ ସେ କର୍ମିମାନଙ୍କ ସହିତ ଆଲୋଚନା କଲେ ଓ ଜଣେ ବିଖ୍ୟାତ ଇଞ୍ଜିନିୟର ବିଶ୍ୱେଶ୍ୱରାୟଙ୍କୁ ଚିଠି ଲେଖି ଡ଼ାକିଲେ । ସେ ସେତେବେଳ ଯୁଆଡ଼େ ଯାଆନ୍ତି ଦିନକୁ ପାରିଶ୍ରମିକ ନିଅନ୍ତି ଦଶହଜାର ଟଙ୍କା । ସେ ଚାରି ପାଞ୍ଚଦିନପାଇଁ ଆସି ରହିଲେ ଦଶଦିନ । ବନ୍ୟାଞ୍ଚଳ ବୁଲି ଦେଖିଲେ । ବିନା ଖର୍ଚ୍ଚରେ, ମାଗଣାରେ ଆସି ମାଗଣା ଗଲେ । ଇଏତ ଗାନ୍ଧୀଙ୍କ ପ୍ରଭାବ ।
ବାଟରେ ଶିଉଳାଠାରେ ଭାତ ବଳିଗଲା । ତାକୁ ଓଡ଼ିଆ କର୍ମୀମାନେ ପଖାଳକରି ଖାଇଲେ । ଗାନ୍ଧୀ ଏହାଦେଖି କହିଲେ, “ଦେଖ, ଓଡ଼ିଆ ଗରୀବ ଦେଶର ଲୋକେ କିପରି ଜିନିଷର ସଦ୍‌ବ୍ୟବହାର କରନ୍ତି ।”
ସେଠୁ ଗାନ୍ଧୀ ଭୁବନେଶ୍ୱର ନଯାଇ ବାଳକାଟିଗଲେ । ନଈବାଲିରେ ବିରାଟ ସଭା ହେଲା । ସଭାସ୍ଥଳୀକୁ ଯିବାକୁ ବାଟନାହିଁ । ଗାନ୍ଧୀ କହିଲେ, “ବାଟରୁ ଉଠ ମୁଁ ଆଗ ଭିଡ଼ଭିତରେ ଦେଇ ଚାଲିଯାଏ, ତମେ ସବୁ ପଛରେ ଆସ ।” ବାସ ଏତିକିରେ ଜନତା ଖୋଲିଦେଲେ ବାଟ ରହଣୀ ସ୍ଥାନଯାଏଁ ।
ବାଳକାଟିପରେ ସତ୍ୟଭାମାପୁରଠାରେ ବୈଶାଖ-ଜ୍ୟେଷ୍ଠ ତାତିଲା ଖରାରେ ଗୋଟେ ଆମ୍ବତୋଟାରେ ବିଶ୍ରାମନେଲେ । ମୀରା ବେନ୍ ପଙ୍ଖା ହଲାଉଥାନ୍ତି । ଗୁଡ଼ାଏ ପୋକ ଗଛ ଉପରୁ ଛାଇର ଥଣ୍ଡାକୁ ଚାଲିଆସୁଛନ୍ତି ବୋଲି ସେ ଗାନ୍ଧୀଙ୍କୁ କହିବାରୁ ସେ ଉତ୍ତରଦେଲେ, “ଭଗବାନ ମତେ ତାଙ୍କରି ପରି କରିଥିଲେ, ମୁଁ ଠିକ୍ ସେୟା କରୁଥାନ୍ତି । ଏଣୁ ତାଙ୍କୁ ଗାଳିଦେବାର ଯଥାର୍ଥତା ନାହିଁ ।
ମୌନ ଦିବସ କାରଣରୁ ବାଲିଅନ୍ତାରେ ଗାନ୍ଧି ତିନି ଓଳି ରହିଥିଲେ । ସେଠି ଲୋକେ ନଈରୁ ପାଇଥିବା କଳାକୃତ୍ତି କୃଷ୍ଣ ମୂତ୍ତିକୁ ହରିଜନଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିରରେ ସ୍ଥାପନ କଲେ । ଏ ମନ୍ଦିର ହେଲା ପିଲାଙ୍କ ଚାଟଶାଳୀ, ରୋଗୀ ସେବା କେନ୍ଦ୍ର, ପାଠାଗାର ଓ ସବୁକିଛି । ଏଠି ପୂଜାରୀ ହେଲେ ଶିକ୍ଷକ ଓ ରୋଗୀ ପାଇଁ ଡ଼ାକ୍ତର । ଏହାପରେ ତେଲଙ୍ଗା ପେଣ୍ଠ । ସେଠି କଂଗ୍ରେସ କର୍ମୀଙ୍କ ପିଲାଙ୍କୁ ଶିକ୍ଷା ନେଇ ଆଲୋଚନା ହେଲା । ଏମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାଦେଲେ ଭଲହେବ । ଏଥିପାଇଁ ସେ କହିଥିଲେ, “ଯିଏ ଦେଶର ସେବକ ହେବ, ସେ ଯାହାଙ୍କର ସେବା କରୁଛି, ସେହି ଗରୀବ ଦେଶବାସୀଙ୍କଠାରୁ ବେଶୀ ସୁବିଧା ପାଇବାର ଆଶା କରିବ ନାହିଁ । ଯେଉଁ ଶିକ୍ଷା ଗରୀବ ଲୋକମାନେ ତାଙ୍କ ପିଲାଙ୍କୁ ଦେଇପାରୁନାହାନ୍ତି, ସେଭଳି ଶିକ୍ଷା ତାଙ୍କ ସେବକର ଆପଣା ପିଲାଙ୍କୁ ଦେବାର କି ଅଧିକାର ଅଛି ?
ପ୍ରତି ଯାଗାରେ ରହଣୀରେ ତାଙ୍କୁ କିଛି ଉପହାର ମିଳୁଥିଲା । ସେ ତାକୁ ବିକି ହରିଜନ ପାଣ୍ଠିରେ ରଖୁଥିଲେ । କାଜିପାଟଣାଠି ଗୋଟିଏ ମାନପତ୍ର ସହିତ ବାଳିକାଟିଏ ତା ହାତରୁ ସୁନାକାଚକାଢ଼ି ଗାନ୍ଧୀଙ୍କୁ ଦେଇଥିଲା ଯାହା ଅନ୍ୟଙ୍କୁ ଆଚମ୍ବିତ କରିନେଲା ।
କାଜିପାଟଣା ସଭାରେ ଲୋକମାନଙ୍କର ପୂର୍ବ-ପଶ୍ଚିମ ଅର୍ଥାତ୍ ଅସ୍ପୃଶ୍ୟତା ନେଇ ଗାନ୍ଧୀଜୀ କହିଥିଲେ ଯେ, ‘ଏ ସଂପର୍କ ପୂର୍ବ-ପଶ୍ଚିମ ମଧ୍ୟରେ ସଂଘର୍ଷ ନୁହେଁ, ଏହା ଦୁଇଟି ଏକଦମ ବିରୋଧ ସଭ୍ୟତାର ସଂଘର୍ଷ । ଅସ୍ପୃଶ୍ୟତା ମଣିଷ ମଣିଷ ଭିତରେ ଭେଦଭାବର ସବୁର କଦର୍ଯ୍ୟରୂପ । ମଣିଷ ମଣିଷ ଭିତରେ ଯେ ଭେଦଅଛି, ମୁଁ ତାହା ସବୁ ଭାଙ୍ଗିବାକୁ ବସିଛି, ହରିଜନ ଆନ୍ଦୋଳନ ସେଦିଗରେ ପ୍ରଥମ ସୋପାନ ।” (୧୬.୦୫.୧୯୩୪)
ସନାତନୀମାନେ ଗାନ୍ଧୀଙ୍କ ବିରୁଦ୍ଧରେ ପ୍ରଚାର ଚଳାଇଥାନ୍ତି । କ’ଣ ନା ମନ୍ଦିର ଭିତରେ ଛୁଆଁ ଜାତି ଭର୍ତ୍ତି କରିଦେବ । ତେଣୁ ସେମାନେ ତାଙ୍କ ଉପରକୁ ଟେକା ପଥର ମାରିବାଠୁ ଯାବତୀୟ ବଦ୍‌ମାସୀ କରୁଥାନ୍ତି । ପଣ୍ଡିତ ଲାଲନାଥ ନାଁରେ ଜଣେ ସନାତନୀ କିଛି ଅନୁଗତ ସହ ଗାନ୍ଧୀଙ୍କୁ କାଜି ପାଟଣାରୁ କାଠଯୋଡ଼ିର ବାଲିଉପରେ ସଭାଯାଏଁ ଅନୁସରଣ କଲା । ସେଠି ୧୦/୧୫ ଲୋକଙ୍କୁ ଧରି କଳା ପତାକା ପ୍ରଦର୍ଶନ କଲା ଏବଂ ଗଣ୍ଡଗୋଳ ଭିଆଇ ଗାନ୍ଧୀଙ୍କ ଆଡ଼କୁ ମାଡ଼ନ୍ତେ ଲୋକେ ତାଙ୍କୁ ପ୍ରତିରୋଧ କଲେ । ଗାନ୍ଧୀକହିଲେ, “ତାଙ୍କୁ ଖରାପ ବ୍ୟବହାର ନକରି ମୋ ପାଖକୁ ଛାଡ଼ । ତାଙ୍କ କଥା ଶ୍ରଦ୍ଧାର ସହିତ ଶୁଣ । ଯଦି ତାଙ୍କ କଥା ଗ୍ରହଣୀୟ ଲୋକେ ଗ୍ରହଣ କରନ୍ତୁ ।” ସେତିକିରେ ଲୋକେ ଚୁପ୍ । ସେମାନେ ବି ଥଣ୍ଡା । ଏହାପରେ ଗାନ୍ଧୀ ରାମଚନ୍ଦ୍ର ଭବନରେ ଏକ ନାରୀ ସଭାରେ ଯୋଗଦେଇ ସେଠୁ ଭିକାରୀ ବାବୁଙ୍କ ହସ୍ତଶିଳ୍ପ କାରଖାନା ଦେଖି ସିଆଡ଼ୁ ସିଆଡ଼ୁ କଟକ ଷ୍ଟେସନରେ ପହଞ୍ôଚଲେ । ସେଠୁ ସେ ପାଟଣା ଗଲେ ।
୨୧ ମେ’ ୧୯୩୪ରେ ପାଟଣାରୁ ଫେରି ବୈରୀରେ ଓହ୍ଲାଇଲେ । ସେଠି ଚମ୍ପାପୁର ଆଶ୍ରମରେ ରହି ପ୍ରଥମେ ପରବର୍ତ୍ତୀ ଯାତ୍ରାର ନକ୍ସା ହେଲା । ଦିନକୁ ୮/୯ କିଲୋମିଟର ହିସାବରେ ଯିବାକୁ ହେବ । ସେହି ଅନୁସାରେ ରହଣୀସ୍ଥାନ ଠିକ୍ ହେଲା । ଚମ୍ପାପୁର ଆଶ୍ରମରେ ସେ ଚାଳକଙ୍କର କିଛି ତ୍ରୁଟି ଦେଖିଥିଲେ । ତାଙ୍କୁ ସାବଧାନ କରାଇ ୩୧/୦୮/୩୪ରେ ସେ ‘ହରିଜନ’ରେ ପ୍ରକାଶ କରିଥିଲେ, ‘ଗ୍ରାମସେବକ ନିଜେ ଡ଼ାକ୍ତର ହେବାକୁ ଚେଷ୍ଟାକରିବ ନାହିଁ ବା ଗାଁରେ ଡ଼ାକ୍ତରଖାନାଟିଏ ବସାଇବାର ଉଦ୍ୟମ କରିବ ନାହିଁ । ଏହା ଏକ ମୋହ । ଏ ଫାଶରୁ ସେ ମୁକ୍ତ ରହୁ …. ।”
ଚମ୍ପାପୁରରୁ ଯାଇ ସେ ଭେଳାଠାରେ ରାତିରେ ରହି ସକାଳୁ ଲେଖନପୁର ପହଞ୍ôଚଲେ । ସେଠି ସେ ହରିଜନ ବସ୍ତିର ଘରେ ଘରେ ପଶି ବୁଲିଲେ ଏବଂ କର୍ମୀମାନଙ୍କର ଅନୁମତି ନେଇ କେଇଜଣ ହରିଚନଙ୍କୁ ସେଦିନ ତାଙ୍କ ସହିତ ଭୋଜନକୁ ନିମନ୍ତ୍ରଣ କରିଥିଲେ । ଯେହେତୁ ଭୋଜନଟା ଗାଁ ବାଲାଙ୍କ ଦ୍ୱାରା ଦିଆଯାଉଥିଲା, ସେଥିପାଇଁ ସେ ଅନୁମତି ନେଇଥିଲେ । ସେଦିନ ତାଙ୍କ ଭୋଜନକରିବା ଶୈଳୀକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ ଯେ, ଏତେ ଅଭାବ ଓ ଅତ୍ୟାଚାର ସତ୍ତ୍ୱେ ସେମାନେ ଆପଣାର ସଂସ୍କୃତି, ସ୍ୱଚ୍ଛତା ବୋଧ କେମିତି ଠିକ୍ ରଖିଥିଲେ । ଏଇଠି ତାଙ୍କ ପଦଯାତ୍ରା ଦେଖିବାକୁ ଆସିଥିଲେ କିଛି ଇଂରେଜ ସାହେବ ଓ ମେମ୍ । ତାଙ୍କ ଭିତରେ ଥିଲେ ପିଅର ସେରିସୋଲ, ଜଣେ ସୁଇଜରଲ୍ୟାଣ୍ଡ୍ ପ୍ରଖ୍ୟାତ ସମାଜ ସେବୀ ।
ଲେଖନୀପୁରରୁ ପରଦିନ ଯାଇ ସତ୍ୟଭାମାପୁରରେ ମଧୁବାବୁଙ୍କ ଘରେ ରହିଥିଲେ । ପରଦିନ ସେଠୁ ବହୁକୁଦଚଟୀ ଯାଇଥିଲେ । ବାଟରେ ନଈ ଓ ମଇଳା ପାର ହୋଇ ଡ଼େଇଁ ଡ଼େଇଁ ଯିବାକୁ ପଡ଼ିଥିଲା । ସେଦିନ ସଭାରେ ତାଙ୍କର ପ୍ରଥମ ବକ୍ତବ୍ୟଥିଲା, “ଆଜିମୋର ଅସ୍ପୃଶ୍ୟତାର ଦର୍ଶନ ମିଳିଛି … ।” ସେ ଏକଥା ତା୦୮.୦୨.୧୯୩୫ରେ ଖବର କାଗଜରେ ପ୍ରକାଶ କରିଛନ୍ତି । ଏହାର ଅର୍ଥ ପରିବେଶ ପରିମଳ ଓ ସଫା ସୁତୁରା ରଖ । ସେବକମାନେ ମେହେନ୍ତର କାମ କରନ୍ତୁ ।
ବହୁକୁଦାଚଟୀରେ ଏକ ବିଚିତ୍ର ଘଟଣା ଘଟିଲା । ଗାନ୍ଧୀଙ୍କୁ ଖିଅର କରିବାକୁ ଗୋଟେ ବାରିକାଣୀ ମୁଠିଧରି ପହଞ୍ôଚଲା ଏବଂ ଚଟାପଟ ତା’ କାମ ଆରମ୍ଭ କରିଦେଲା । ଖିଅର କଲାବେଳେ ଗାନ୍ଧୀ ତା’ହାତରେ ଶଙ୍ଖାମୁଠାକ ଛଡ଼ା ଯୋଡ଼ାଏ ରୂପାଖଡ଼ୁ ଓ ନାକରେ ସୁନାଫୁଲ ଗହଣା ପିନ୍ଧିଥିବାର ଦେଖିଲେ । ଗାନ୍ଧୀପଚାରିଲେ, ‘ଏ ସବୁ କଦର୍ଯ୍ୟ ଜିନିଷ ଗୁଡ଼ିକ କ’ଣ ? ସେଗୁଡ଼ିକ ପିନ୍ଧି ତୁମେତ ଅଧିକ ସୁନ୍ଦର ଦିଶୁନାହିଁ ? ସେଗୁଡ଼ିକ ପ୍ରକୃତରେ କଦର୍ଯ୍ୟ ଓ ସେଥିରେ ମଳି ଜମିରହେ । ଏହା ରୋଗର ଗୋଡ଼ । ଏଥିରେ ସେ ଲଜ୍ଜିତ ହୋଇ କୌଫୟତି ଦେଲା, “ମୁଁ ତ ଆପଣଙ୍କ ପରି ଲୋକଟିଏକୁ ଖିଅର କରି ଶୁଭକାମ କରିବାପାଇଁ ଏସବୁ ଉଦ୍ଧାର ଆଣିଛି । ମୁଁ ଦିଖଣ୍ଡ ଭଲ ଗହଣା ନଲଗାଇ ଆପଣଙ୍କ ପାଖକୁ ଆସନ୍ତି କେମିତି ?”
ଗାନ୍ଧୀ ତାକୁ ତା’ ଭ୍ରମ ଧାରଣା ବୁଝାଇଦେଲେ । ଏହାପରେ ସେ ଆଉ ଦୁଇଜଣଙ୍କୁ ଖିଅର କରି ସେପଇସା ହରିଜନ ପାଣ୍ଠିକୁ ଗାନ୍ଧୀଙ୍କୁ ଦେଇ ଖୁସିରେ ଗଲା ।
ବହୁକୁଦ ଛାଡ଼ି ପରବର୍ତ୍ତୀ ରହଣୀ ଶିଶୁଆ ଡ଼ାକ ବଙ୍ଗଳା ଛାତ ଉପରେ ରାତ୍ରି ଯାପନ ହେଲା । ସେଦିନ ସେ ସଭାରେ କହିଥିଲେ, “ଯଦିଆମେ ଭଗବାନଙ୍କୁ ସର୍ବନିୟନ୍ତା ବୋଲି ଭାବିଲୁ, ତେବେ ନିଜକୁ ଅସ୍ପୃଶ୍ୟ ବିଚାରିବୁ, କାରଣ ଭକ୍ତର ଲକ୍ଷଣ ସେ ନିଜକୁ ସମସ୍ତଙ୍କ ଠାରୁ ନୀଚ ମନେକରିଥାଏ , ସେ ଜାଣେ ଯେ, ଏମନରେ ବହୁତ ରାଗ ଦ୍ୱେଷ ଜନ୍ମେ ଏବଂ ତାହା ଭଗବାନଙ୍କ ସହାଯ୍ୟରେ ସଫା ହୁଏ । ଏଥିପାଇଁ ଆପଣଙ୍କୁ ମୋର ଅନୁରୋଧ ଆପଣ ଏ ଅଛୁଆଁ ଭୂତକୁ ପାଶୋରି ପକାନ୍ତୁ ଓ କାହାରିକୁ ନୀଚ ମନେକରୁନାହିଁ ।”
ଲୋକମାନଙ୍କୁ କର୍ମକୁଢ଼ିଆଦେଖି ସଲାରଠାରେ ତାଙ୍କୁ ସଚେତନ କରାଇ କହିଥିଲେ, “ଅଳସ୍ୟ ଛାଡ଼ି ପ୍ରତି ମୁହୂର୍ତ୍ତରେ ହିିସାବ ଭଗବାନଙ୍କ ପାଖରେ ଦେବାକୁ ହେଲେ, ସବୁପ୍ରକାର ବିଳାସ, ବ୍ୟସନ ଓ ମାଦକ ଦ୍ରବ୍ୟ ଛାଡ଼ିବାକୁ ହେବ ।” ସେମିତି ସେ ବେକାରୀ ଦୂରୀକରଣ ପାଇଁ ତାଙ୍କ ସଭାରେ ଅରଟ ଉପରେ ଗୁରୁତ୍ୱ ଦେଇ କହିଥାଆନ୍ତି ।
ଏହାପରେ କେନ୍ଦ୍ରାପଡ଼ା । ସେଠି ତାଙ୍କର ମୌନ ଦିବସ ଥିଲା ଅଥଚ ସେଠାରେ ଦୁଇଟି ସଭା ହୋଇଥିଲା । ଗୋଟିଏ ସଭାରେ ଏ ଅସ୍ପୃଶ୍ୟତା ନେଇ ସେ କହିଥିଲେ, “ସଂସାରେ ଦଶ, କୋଡ଼ିଏ, ପଚିଶ ବା ହଜାରେ ଈଶ୍ୱର ନାହାନ୍ତି, ଈଶ୍ୱର ଏକ ମାତ୍ର, ଏକା ଈଶ୍ୱର, ସେ ଏ ସଂସାର ଚକ୍ରକୁ ଚଳାଇଥାନ୍ତି । ଈଶ୍ୱରଙ୍କ ଇଛାବିନା ଗଛର ପତ୍ର ସୁଦ୍ଧା ହଲିବ ନାହିଁ । ତାଙ୍କର ସୃଷ୍ଟିରେ ଉଚ୍ଚନୀଚ ସବର୍ଣ୍ଣ ଅସବର୍ଣ୍ଣ ଏପରି ଭେଦ କଥା ଆସିବ କେଉଁଠୁ ?” ସେଠାକାର ମହିଳା ସଭାରେ ସେ କହିଥିଲେ, “ଭଉଣୀମାନଙ୍କଠାରେ ମୋର ପ୍ରାର୍ଥନା, ସେମାନେ ଆପଣା ପୁଅଝିଅଙ୍କୁୁ ପାଠ ପଢ଼ାନ୍ତୁ, ସଫାସୁତୁରା ରଖାନ୍ତୁ ଓ ଗହଣା ପିନ୍ଧାନ୍ତୁ ନାହିଁ । ବଡ଼ ବଡ଼ ଭଉଣୀମାନଙ୍କୁ ମୋର ପ୍ରାର୍ଥନା ସେମାନେ ଗହଣା ପିନ୍ଧିବା ଛାଡ଼ନ୍ତୁ । ଭଉଣୀମାନଙ୍କଠାରୁ ବହୁତ କାମ ଆଦାୟ କରିବାର ଅଛି । ସେମାନେ ଯେଉଁ ବଡ଼ ଭଡ଼ ଭାରି ଗହଣା ପିନ୍ଧୁଛନ୍ତି, ସେଥିରେ କ’ଣ କାମ ଦାମ କରିପାରିବେ ?” (୨୯.୦୫.୧୯୩୪)
କେନ୍ଦ୍ରାପଡ଼ାଠାରୁ ବାରିମୂଳ ଓ ଇନ୍ଦ୍ରପୁରଠାରେ ରହି ଏବଂ ସେଠି ବିରୂପା-ବ୍ରାହ୍ମଣୀର ମିଳନସ୍ଥଳ ପାରିହୋଇ ଧୋୟାଅଞ୍ଚଳ ବୁଲି ଅନ୍ୟାସପୁରରେ ରହଣୀ କରିଥିଲେ । ଏହିଠାରେ ସେ ଧୋୟା ଅଞ୍ଚଳରେ ଅନୁଭୂତି ନେଇଥିଲେ । ବରୀ ରହଣୀବେଳେ ଜଣେ ସହଯାତ୍ରୀ ଗୋଦାବରୀ ଦେବୀ, ନାରୀ କର୍ମୀ, ତାଙ୍କୁ ଓଡ଼ିଆ ବର୍ଣ୍ଣମାଳା ଶିଖାଇଥିଲେ । ଏହାପରେ ସାହସ ପୁରରେ ରାତିରେ ରହି ବରୁଆଁ ଡ଼େଇଁ ପୁରୁଷୋତ୍ତମ ପୁରରେ ପହଞ୍ôଚଥିଲେ । ଏଇଠି ଆଚାର୍ଯ୍ୟ ହରିହର ଜେଲରୁ ଫେରି ତାଙ୍କ ସହିତ ମିଶିଥିଲେ । ବରୁଆାଁ ଛାଡ଼ି ଯାଜପୁର ଗଲାବେଳେ ରାତିରେ ବୁଢ଼ା ନଈକୂଳେ ରହିଥିଲେ । ଯାଜପୁରଠାରେ ତାଙ୍କୁ ଏକ ଅଭିନନ୍ଦନ ପତ୍ରସହ ଗୋଟିଏ ଚନ୍ଦନବାକ୍ସ ଯାହାକୁ ସ୍ଥାନୀୟ ଧନେଶ୍ୱର ମହାରଣା ତିଆରି ଥିଲେ, ଉପହାର ଦେଇଥିଲେ । ଏଇଟି ସେଇଠି ଗାନ୍ଧୀ ନିଲାମ କରିଥିଲେ ଏବଂ ଏହାକୁ କଲିକତାର ବିରଳା ପରିବାର ସେତେବେଳେ ୫ ହଜାର ଟଙ୍କାରେ ନିଲାମ ଧରିଥିଲେ ।
୨.୬.୩୪ରେ ଯାଜପୁର ସଭାରେ ଗାନ୍ଧୀ କହିଥିଲେ, ‘ମୁଁ ବହୁତ ଥର କହିଛି । ଯେଉଁ ମନ୍ଦିରେ ହରିଜନମାନଙ୍କର ଦର୍ଶନ କରିବାର ଅଧିକାର ନାହିଁ, ସେ ମନ୍ଦିରରେ ମୂର୍ତ୍ତି ଥିଲେ ମଧ୍ୟ ସେଥିରେ ଭଗବାନଙ୍କର ପ୍ରତିଷ୍ଠା ହୋଇ ନାହିଁ । ଆମେ ତାଙ୍କୁ ପତିତପାବନ କହିଥାଉଁ, ଦରିଦ୍ରନାରାୟଣ କହିଥାଉଁ । ଏମିତି ହଜାର ହଜାର ବିଶେଷଣ ଅଛି ଯେଉଁଥିରୁ ଆମେ ଶିକ୍ଷା ପାଇବୁ ଯେ, ଭଗବାନ ଗୋଟିଏ ଲୋକ ବା ଗୋଟିଏ ଜାତିର ନୁହନ୍ତି, ସେ ସମସ୍ତଙ୍କର ଭଗବାନ ଅଟନ୍ତି ।”
ଏହାପରେ ଭଣ୍ଡାରୀ ପୋଖରୀ ଅବସ୍ଥାନ । ଏହିଠାରେ ହରିଜନ ସେବକ ସଂଘର ସଭାପତି ଭାରତର ଜଣେ ଲୋଟିପତି ଶ୍ରୀ ଘନଶ୍ୟାମ ଦାସ ବିରଳା ଗାନ୍ଧୀଙ୍କ ପଦଯାତ୍ରା ଦେଖିବାକୁ ଆସିଥିଲେ । ଏହାପୂର୍ବରୁ ଏହି ପଦଯାତ୍ରା ଦେଖିବାପାଇଁ ଭାରତର ଗଣମାନ୍ୟ ବ୍ୟକ୍ତିମାନେ ମଧ୍ୟ ଅସିଯାଇଛନ୍ତି ।
ଏହାପରେ ଓଡ଼ଙ୍ଗ । ଏଇଠୁ ଆରମ୍ଭହେଲା ପ୍ରବଳ ବର୍ଷା । ଗାନ୍ଧୀ ନିଷ୍ପତ୍ତିନେଲେ, ଏବେ ପଦଯାତ୍ରା ବନ୍ଦ ସମୟ ଉପଗତ । ବାଲେଶ୍ୱର ଜିଲ୍ଲାଗସ୍ତବନ୍ଦ । ସେଇଠୁ ୧୨ ମାଇଲ୍ ଭଦ୍ରଖ ଜୀବରାମଭାଇ ଆଶ୍ରମ । ସେଠିକୁ ଏକାଦମରେ ଗାନ୍ଧୀଙ୍କର ପଦଯାତ୍ରା ହେଲା । ଏଠାରେ ସେ ତିନିଦିନ ମାତ୍ର ଦୁଇଯାଗାରେ ରହିଲେ : ଜୀବନ ରାମଆଶ୍ରମ ଓ ନୂଆ ବଜାରରେ ମହତାବଙ୍କ କୋଠାରେ । ଫଳରେ ସେଇଠି ବାଲେଶ୍ୱର ଲୋକଙ୍କ ସହିତ ସଂପର୍କ ରଖିବାକୁ ସୁବିଧା ହେଲା । ଭଦ୍ରଖରେ ରହଣୀବେଳେ ସେ ହରିଜନକର୍ମୀଙ୍କୁ ତାଙ୍କ ଶେଷ ଉପଦେଶ ଦେଇଥିଲେ, ‘ଯେଉଁମାନେ ଏ ତୀର୍ଥ ଯାତ୍ରାରେ ପ୍ରତ୍ୟକ୍ଷରେ ଯୋଗ ଦେଇଛନ୍ତି, ସେମାନେ ଲକ୍ଷ୍ୟ କରି ସାରିଥିବେ ଯେ, ପ୍ରକୃତ କାମ ଗାଁ ଗଣ୍ଡାରେ ଅଛି । ସେହି ଗାଁ ଗଣ୍ଡାରେ ଅଧିକାଂଶ ହରିଜନ ବାସ କରନ୍ତି । ସେହିଠାରେ ଦରିଦ୍ର ପ୍ରବଳ । … ସେଇଠି ସେମାନେ କାମ କରନ୍ତୁ । ଯେଉଁମାନଙ୍କ ଚରିତ୍ର ନିଷ୍କଳଙ୍କ ନୁହେଁ, ଯେଉଁମାନେ ଲୋଭ ପ୍ରଲୋଭନ ଏଡ଼ି ଟାଣରଖିପାରିବେନାହିଁ, ସେମାନେ ହରିଜନ ସେବା, ବିଶେଷକରି ଗାଁ ଗଣ୍ଡାରେ ନକରନ୍ତୁ ।”
ଭଦ୍ରଖଠାରେ ପଦଯାତ୍ରା ସରିଲା । ଗାନ୍ଧୀଙ୍କୁ ଛାଡ଼ିବାକୁ ଖଡ଼ଗପୁର ଯାଏଁ କେତେଜଣ ଓଡ଼ିଆ କର୍ମୀ ତାଙ୍କ ସାଙ୍ଗରେ ଯାଇଥିଲେ । ଏତେଦିନ ଗାନ୍ଧୀଙ୍କ ସହିତ ଏକାଠି ରହିବାର ଏକ ଅପୂର୍ବ ସୁଯୋଗ ପାଇ ଏକ ପ୍ରକାର ଆତ୍ମୀୟତା ଜନ୍ମିଯାଇଥିଲା । ତାହାର ସମାପ୍ତି ହେଲା ଏଇଠି । ଖଡ଼ଗପୁରଠାରେ ଏ କର୍ମୀମାନଙ୍କୁ କନ୍ଦାଇ ଗାନ୍ଧୀ ବିଦାୟ ନେଇଥିଲେ ।
ଗାନ୍ଧୀଙ୍କର ଓଡ଼ିଶାରେ ଏ ପଦଯାତ୍ରା କାଳ କାଳକୁ ସ୍ମରଣୀୟ ସ୍ମୃତିଟିଏ ହୋଇ ରହିଗଲା । ଧନ୍ୟତୁମେ ମହାତ୍ମା ! ଧନ୍ୟତୁମ ବିଶାଳ ହୃଦୟ !!
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ