ବୋଲଗଡ଼ରେ “ନନ୍ଦିଘୋଷ’ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଡିସେମ୍ବର ୯ରୁ ତିନି ଦିନିଆ ଗାନ୍ଧୀ ମହୋତ୍ସବ

ଭୁବନେଶ୍ୱର: ସାଂସ୍କତିକ ତଥା ସାମାଜିକ ଅନୁଷ୍ଠାନ “ନନ୍ଦିଘୋଷ’ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠାନର ସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଖାରବେଳ ନଗରସ୍ଥିତ ଚିଲିକା ବିଧାୟକ ତଥା କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀଙ୍କ ବୋଲଗଡ଼ ସ୍ମୃତିକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ ମହାତ୍ମା ଗାନ୍ଧୀ ୧୯୨୭ ମସିହାରେ ଓଡ଼ିଶା ଗସ୍ତ ଅବସରରେ ଡିସେମ୍ବର ୯,୧୦ ଓ ୧୧ ତାରିଖ ତିନି ଦିନ ଧରି ବୋଲଗଡ଼ରେ ଅବସ୍ଥାନ କରିଥିଲେ । ସେହି ଐତିହାସିକ ସ୍ମୃତିକୁ ମନେପକାଇ “ନନ୍ଦିଘୋଷ’ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଆସନ୍ତା ଡ଼ିସେମ୍ବର ୯,୧୦ ଓ ୧୧ ତାରିଖ ତିନିଦିନ ଧରି ବୋଲଗଡ଼ଠାରେ ଗାନ୍ଧୀ ମହୋତ୍ସବ ପାଳନ କରାଯିବ । ଏହି ଅବସରରେ ପ୍ରଭାତଫେରୀ, ସମୂହ ସଫେଇ,ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା, ନିଶା ନିବାରଣ ଶପଥ ପାଠ ଓ ନିଶା ବିରୋଧୀ ମହିଳା ସମ୍ମିଳନୀ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ଗାନ୍ଧୀ ସର୍କିଟରେ ବୋଲଗଡ଼ର ନାମ ନଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ କରାଯିବା ସହିତ ତୁରନ୍ତ ବୋଲଗଡ଼କୁ ଗାନ୍ଧୀ ସକଟ୍‌ରେ ସାମିଲ କରିବା ସହ ଏହି ଐତିହାସିକ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ସମସ୍ତ ସହଯୋଗ ପ୍ରଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହାଛଡ଼ା ଏହି ଉତ୍ସବକୁ ସଫଳ କରିବା ପାଇଁ ସମସ୍ତ ଗାନ୍ଧୀବାଦୀ, ଖଦୀ ପ୍ରେମୀ ତଥା ବୋଲଗଡ଼ର ସ୍ଥାନୀୟ ଜନସାଧାରଣ ଆନ୍ତରିକ ସହଯୋଗ କାମନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ରବୀନ୍ଦ୍ର କୁମାର ପରିଡ଼ା, ହରିବନ୍ଧୁ ସାହୁ, ଗୁଣନିଧି ହୋତା, ପ୍ରାଣକୃଷ୍ଣ ବେହେରା, ସନାତନ ପାଟ୍ଟଶାଣୀ ଓ ବାସୁଦେବ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ