ମୋ ସରକାର ପ୍ରଭାବ ୫୦ ଅଫିସରଙ୍କ ବଦଳି, ୨୦ ନିଲମ୍ବିତ, ୧୫ ପୁରସ୍କୃତ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ମୋ ସରକାରର ପ୍ରଭାବ ପଡିଛି । ରାଜ୍ୟ କଲ ସେଣ୍ଟରରୁ ବିଭିନ୍ନ ଅଭିଯୋଗକାରୀଙ୍କୁ ପାଖକୁ ଯାଇଥିବା ଫୋନ୍ କଲର ଉତ୍ତରକୁ ଆଧାର କରି କାର୍ଯାନୁଷ୍ଠାନ ଗ୍ରହଣ କରିଛି ଓଡ଼ିଶା ପୁଲିସ । ୭୦ ଜଣ ଅଫିସରଙ୍କ ବିରୋଧରେ ନକରାତ୍ମକ ମନ୍ତ୍ୟବ ପ୍ରଦାନ କରିଥିଲେ ଅଭିଯୋଗକାରୀ, ଆଉ ୧୫ ଜଣ ଅଫିସରଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ । ଅର୍ଥାତ ସେମାନଙ୍କ ସମ୍ପର୍କରେ ଉତ୍ତର ଥିଲା ଅତ୍ୟନ୍ତ ସନ୍ତୋଷଜନକ । ଯେଉଁ ପୁଲିସ ଅଫିସରଙ୍କ ବିରୋଧରେ ନକରାତ୍ମକ ମନ୍ତବ୍ୟ ମିଳିଛି ସେମାନଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇ ଥିବାବେଳେ ସନ୍ତୋଷ ଜନକ ଉତ୍ତର ମିଳିଥିବା ୧୫ ଅଫିସରଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି । ଏହି ୧୫ ଜଣ ଅଫିସରଙ୍କ ଏଭଳି କାର୍ଯ୍ୟଜାରୀ ରହିଲେ ସେମାନଙ୍କୁ ଖୁବ ଶୀଘ୍ର ପଦୋନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖା ଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।
ବିଶେଷ ସୂତ୍ରରୁ ଯାହା ସୂଚନା ମିଳିଛି, ମାସକ ମଧ୍ୟରେ ରାଜ୍ୟ କଲ ସେଣ୍ଟରରୁ ପାଖାପାଖି ୨୬ ହଜାର ୫ଶହ ଫୋନ୍ କଲ ଯାଇଛି ବିଭିନ୍ନ ଅଭିଯୋଗକାରୀଙ୍କ ନିକଟକୁ । ସେମାନଙ୍କୁ ଥାନା, ସେମାନେ ଥାନାରେ ଦେଇଥିବା ଅଭିଯୋଗ, ତାର ତଦନ୍ତ, ଥାନା କର୍ମଚାରୀଙ୍କ ବ୍ୟବହାର, ତଦନ୍ତକାରୀ ଅଫିସରଙ୍କ ନମ୍ବର ପାଇଛି କିମ୍ବା ନାହିଁ ? ଥାନାରେ କେହି ଟଙ୍କା ମାଗିଥିଲେ କି? ଆଦି ୮ଟି ପ୍ରଶ୍ନ ପଚରା ଯାଇଥିଲା । ଅଭିଯୋଗକାରୀଙ୍କ ଉତ୍ତରକୁ ଆଧାର କରି ଥାନା, ଥାନା ଇନ୍ସପେକ୍ଟର ଓ ତଦନ୍ତକାରୀ ଅଫିସରଙ୍କୁ ୧ରୁ ୫ ମାର୍କ ଦିଆଯାଇଥିଲା । ଯେଉଁମାନେ ୧ରୁ ୨ନମ୍ବର ପାଇଁଛନ୍ତି ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଯେଉଁମାନେ ୨ରୁ ୩.୫ ନମ୍ବର ପାଇଛନ୍ତି ସେମାନଙ୍କୁ କାର୍ଯ୍ୟସ୍ଥଳୀରୁ ଅନ୍ୟତ୍ର ବଦଳି କରାଯାଇଛି । ଯେଉଁମାନେ ୪ରୁ ୫ ମାର୍କ ରଖିଛନ୍ତି, ସେମାନଙ୍କୁ ପୁରସ୍କୃତ କରାଯାଇଛି । ଅଭିଯୋଗକାରୀମାନେ ଦେଇଥିବା ଉତ୍ତର ଆଧାରରେ ୫୦ ଜଣ ପୁଲିସ ଅଫିସରଙ୍କୁ ବଦଳି କରାଯାଇଥିବାବେଳେ ୨୦ ଜଣଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ୧୫ ଜଣଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି । ନିଲମ୍ବିତ ହୋଇଥିବା ପୁଲିସ ଅଫିସରମାନଙ୍କ ମଧ୍ୟରେ ଅଧିକାଂଶ ଏଏସଆଇ, ବଦଳି ହୋଇଥିବା ଅଫିସରମାନଙ୍କ ମଧ୍ୟରେ ଏସଆଇ ଓ ଇନ୍ସପେକ୍ଟରମାନେ ମଧ୍ୟ ଅଛନ୍ତି । ଏ ସମ୍ପର୍କରେ ଆଇଜି ରାଜେଶ କୁମାର କହିଛନ୍ତି, ସିସିଟିଏନଏସ ମାଧ୍ୟମରେ
ଅଭିଯୋଗକାରୀମାନଙ୍କ ନମ୍ବର ସଂଗ୍ରହ କରାଯାଇ ରାଜ୍ୟ କଲ ସେଣ୍ଟରରୁ ବିଭିନ୍ନ ଅଭିଯୋଗକାରୀମାନଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ସେମାନଙ୍କଠାରୁ ମିଳିଥିବା ଫିଡ ବ୍ୟାକକୁ ରେଞ୍ଜ ଆଇଜି, ଡିଆଇଜି ଓ ଏସପିମାନଙ୍କୁ ପଠାଇ ଦିଆଯାଉଛି । ଯେଉଁ ପୁଲିସ ଅଫିସରଙ୍କ ବିରୋଧରେ ନକରାତ୍ମକ ଉତ୍ତର ମିଳୁଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଏସପିମାନଙ୍କୁ ନିର୍ଦେଶ ହୋଇଛି । ଏହା ପରେ ବରିଷ୍ଠ ପୁଲିସ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେବା ପରେ ସଂପୃକ୍ତ ପୁଲିସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ଫାଇଭ ଟି ଲାଗୁ ହେବା ପରେ ଓଡ଼ିଶା ପୁଲିସର ଆଚାର ବ୍ୟବହାରରେ ଅନେକ ପରିବର୍ତନ ଆସିଛି ବୋଲି ଆଇଜି ରାଜେଶ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ