ସୋସିଆଲ ମିଡ଼ିଆର କରାମତି

ସୁବାସ କୁମାର ତାରଣିଆଁ
ମୋ : ୮୩୨୮୮୪୦୨୧୪

ବର୍ତ୍ତମାନ ସୋସିଆଲ ମିଡ଼ିଆର ଯୁଗ । ମୋବାଇଲ୍‌ର ବହୁଳ ବ୍ୟବହାର ଫଳରେ ଆମ ସମାଜରେ କିଛି ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ । ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଅପରାଧିକ କାର୍ଯ୍ୟରେ ଲିପ୍ତ ରହି ସୋସିଆଲ ମିଡ଼ିଆରେ ନିନ୍ଦିତ ଓ ଲଜିତ ହେଉଥିବା ବେଳେ ଆଉ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ନିଜର କରିସ୍ମା ବଳରେ ରାତାରାତି ସୋସିଆଲ ମିଡ଼ିଆରେ ଲୋକଲୋଚନକୁ ଆସିଥାନ୍ତି ଓ ନିଜେ ଆତ୍ମନିର୍ଭରଶୀଳ ମଧ୍ୟ ହୋଇଥାନ୍ତି । କିଛିଦିନ ତଳେ ପ୍ରିୟା ପ୍ରକାଶ ନାମକ ଜଣେ ଯୁବତୀ ଆଖି ମାରି ରାତାରାତି ସାରା ଦେଶରେ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କ ଆଖିମରା ସମଗ୍ର ଯୁବପିଢିଙ୍କୁ ଆକୃଷ୍ଟ କରିପାରିଥିଲା । ଏହା ପରେ ତାଙ୍କ ପାଖକୁ ହିନ୍ଦି ଓ ମାଲାୟଲାମ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଅଫର ପରେ ଅଫର ଆସିଥିଲା । ରାତାରାତି ସେ ହୋଇଯାଇଥିଲେ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ।
ସରକାରୀ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ସଂଖ୍ୟା ଦିନକୁ ଦିନ କମୁଥିବାରୁ ରାଜ୍ୟ ସରକାର ନିକଟରେ ସରକାରୀ ବିଦ୍ୟାଳୟଗୁଡ଼ିକ ମିଶ୍ରଣ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ । ବାଲିପାଟଣା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଆମେଣାକୁଦ ସରକାରୀ ପ୍ରାଥମିକ ସ୍କୁଲ୍ ଅନ୍ୟ ଏକ ମାଇନର ସ୍କୁଲ୍‌ରେ ମିଶିଯିବା ପରେ ସେହି ସ୍କୁଲ୍‌ର ପ୍ରଥମ ଶ୍ରେଣୀର ୫ ବର୍ଷର ଛାତ୍ର ତ୍ରୈଲୋକ୍ୟ ରାୟ, ନିଜର ଅତି ପ୍ରିୟ ସ୍କୁଲ୍ ମିଶ୍ରଣକୁ ନେଇ ଗଣମାଧ୍ୟମ ଆଗରେ ‘ମୁଁ ଇସ୍କୁଲ୍‌ରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢୁଛି, ମୁଁ ଶୁଣିଲି ଯେ ଇସ୍କୁଲ୍ କ’ଣ ଉଠି ଯାଉଛି’ କେଇପଦ କଥା ପ୍ରକାଶ କରିଥିଲେ ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା । ୟୁଟୁବ୍‌ରେ ଏହାକୁ ଲକ୍ଷାଧିକ ଲୋକ ଦେଖିସାରିଛନ୍ତି । ତ୍ରୈଲୋକ୍ୟଙ୍କ ଏହି କଥାକୁ ନେଇ ଏକ ରାପ୍ ସଙ୍ଗ ଗାଇଥିଲେ ଓଡ଼ିଶାର ଜଣାଶୁଣା ଗାୟକ ହ୍ୟୁମାନ ସାଗର । ଏହି ଗୀତଟି ବେଶ ସଫଳତା ସାଉଁଟିଥିଲା । ଉକ୍ତ ଗୀତରେ ତ୍ରୈଲୋକ୍ୟଙ୍କ କଣ୍ଠସ୍ୱରକୁ ବ୍ୟବହାର କରାଯାଇଥିଲେ ମଧ୍ୟ ତାଙ୍କୁ ଭିଡ଼ିଓରେ ସ୍ଥାନ ନଦେବା ଅତି ଦୁଃଖ ଓ ପରିତାପର ବିଷୟ । ଏହାପରେ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ସହ ଗୀତ ଗାଇ ତ୍ରୈଲୋକ୍ୟ ବେଶ ଚର୍ଚ୍ଚାକୁ ଆସିଥିଲେ । ତ୍ରୈଲୋକ୍ୟଙ୍କ ଏହି ଗୀତକୁ ଶ୍ରୋତାମାନେ ବେଶ୍ ପସନ୍ଦ କରିଥିଲେ ଏବଂ ତ୍ରୈଲୋକ୍ୟ ରାତାରାତି ଜିରୋରୁ ହିରୋ ବନିଯାଇଥିଲେ ଓ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଥିଲା ।
ସେହିପରି ୬ ବର୍ଷର ବାଳକ ବୁଦ୍ଧିଆ ସିଂ । ଭୁବନେଶ୍ୱରର ବସ୍ତିଅଞ୍ଚଳରେ ଏକ ଗରିବ ପରିବାରରେ ତାର ଜନ୍ମ । ମା’ ସୁକାନ୍ତି ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ଅର୍ଥାଭାବରୁ ବୁଦ୍ଧିଆର ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଥିଲା । ଦିନେ ବୁଦ୍ଧିଆ ବସ୍ତିରେ ଦୌଡୁଥିବାର ଦେଖି ଜଣାଶୁଣା ଜୁଡ଼ୋ କୋଚ୍ ବିରଞ୍ôଚ ଦାସ ବୁଦ୍ଧିଆ ନିକଟରେ ଏକ ଲୁକ୍କାୟିତ ପ୍ରତିଭା ଥିବାର ଉପଲବ୍ଧି କରିଥିଲେ । ମା’ ସୁକାନ୍ତିଙ୍କ ସହିତ ଆଲୋଚନା କରି ବୁଦ୍ଧିଆକୁ ସାଙ୍ଗରେ ନେଇ ଆସିଥିଲେ ବିରଞ୍ôଚ ଦାସ । ବିରଞ୍ôଚ ବୁଦ୍ଧିଆକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇ ଛୋଟ ବୟସରୁ ବୁଦ୍ଧିଆକୁ ଦୌଡ଼ାଦୌଡ଼ିରେ ଏତେ ପାରଙ୍ଗମ କରାଇଥିଲେ ଯେ, ମାତ୍ର ୬ ବର୍ଷ ବୟସରେ ସେ ଭୁବନେଶ୍ୱରରୁ ପୁରୀ ଦୀର୍ଘ ୩୫ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ି ଭାରତର ସର୍ବକନିଷ୍ଠ ଧାବକ ଭାବେ ଗିନିଜ ବୁକ୍‌ରେ ନାମ ଲେଖାଇଥିଲେ । ଏହାପରେ ବୁଦ୍ଧିଆର ପ୍ରତିଭା ଲୋକଲୋଚନକୁ ଆସିଥିଲା ଏବଂ ସେ ରାତିରାତି ଜିରୋରୁ ହିରୋ ବନି ଯାଇଥିଲେ । ତାଙ୍କ ନିକଟକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା । ତୁହାକୁ ତୁହା ଗଣମାଧ୍ୟମରେ ଖବର ପରିବେଷଣ ଫଳରେ ବୁଦ୍ଧିଆ ପ୍ରତିଭା ରାଜ୍ୟ ସରକାରଙ୍କ ଦୃଷ୍ଟିଗୋଚର ହୋଇଥିଲା ଏବଂ ରାଜ୍ୟ ସରକାର ବୁଦ୍ଧିଆର ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ବୁଦ୍ଧିଆର ଭାଗ୍ୟ ସବୁଦିନ ପାଇଁ ବଦଳି ଯାଇଥିଲା ।
ଗତ କିଛିବର୍ଷ ତଳେ ରାନାଘାଟ ରେଳ ଷ୍ଟେସନରେ ଭିକ୍ଷାବୃତ୍ତି କରି ଗୁଜୁରାଣ ମେଣ୍ଟାଉଥିଲେ ରାନୁ ମଣ୍ଡଳ । ପୁରା ନାମ ରାନୁ ମାରିଆ ମଣ୍ଡଳ । ସ୍ୱାମୀ ପରିତ୍ୟକ୍ତା ଏବଂ ଠିକଣା ଜଣା ନଥିବା ଏହି ମହିଳା ଜଣକ ଭୁଲି ସାରିଥିଲେ ନିଜର ଅତୀତକୁ । ତାଙ୍କର ଦୈନନ୍ଦିନ କାମ ଥିଲା ରାନାଘାଟ ରେଳ ଷ୍ଟେସନରେ ଭିକ୍ଷା ବୃତ୍ତି କରିବା । କିନ୍ତୁ ରାନୁଙ୍କ ନିକଟରେ ଥିଲା ଏକ ଲୁକ୍କାୟିତ ପ୍ରତିଭା, ଏକଥା କେହି ହୁଏତ ବିଶ୍ୱାସ କରୁନଥିଲେ । ଦିନେ ଷ୍ଟେସନରେ ଭିକ୍ଷାବୃତ୍ତି ସମୟରେ ରାନୁ ଲତା ମଙ୍ଗେସକରଙ୍କ ‘ଇନ୍ ପ୍ୟାର୍‌କା ନଗମା ହେ’ ଗୀତଟି ଗାଉଥିବା ସମୟରେ ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ଇଞ୍ଜିନିୟରିଂ ଛାତ୍ର ଏହାକୁ ରେକର୍ଡ଼ିଂ କରି ନିଜ ସୋସିଆଲ ମିଡ଼ିଆରେ ଅପ୍‌ଲୋଡ଼ କରିଦେଇଥିଲେ । ଠିକ୍ ତା’ପରେ ସୋସିଆଲ ମିଡ଼ିଆ ଦେଖାଇଥିଲା ଏହାର ଅସଲ କରାମତି । ଏହି ଭିଡ଼ିଓଟି ଖୁବ୍ କମ୍ ସମୟରେ ବିଜୁଳି ବେଗରେ ଭାଇରାଲ ହେବାକୁ ଲାଗିଥିଲା । ଏହା ପରେ ସାରା ଦେଶର ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ରାନୁଙ୍କୁ ନେଇ ସବୁଠି ଚର୍ଚ୍ଚା ଚାଲିଥିଲା । ସଙ୍ଗୀତ ବିଦ୍ୟା ଶିକ୍ଷା କରିନଥିବା ଓ ବିନା ସଙ୍ଗୀତ ଗୁରୁରେ ରାନୁ ଏତେ ସୁନ୍ଦର ଗୀତ ଗାଉଥିଲେ ଯେ, ସତେ ଯେପରି ତାଙ୍କ କଣ୍ଠରେ ସରସ୍ୱତୀ ବିଜେ କରିଛନ୍ତି । ରାନୁଙ୍କ ଦକ୍ଷତା ଜଣାପଡ଼ିବା ପରେ ଏକ ଟିଭି ଚ୍ୟାନେଲ୍ ପକ୍ଷରୁ ସେମାନଙ୍କର ରିଅଲିଟି ଶୋ ସୁପର ସିଙ୍ଗରରେ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା ରାନଙ୍କୁ । ଏହିଠାରେ ହିଁ ନିଜର ଅଭିଜ୍ଞତା ବଖାଣିଥିଲେ ରାନୁ । ଏହାପରେ ବଲିଉଡ଼୍‌ର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା ତାଙ୍କ ଚଳଚ୍ଚିତ୍ର ହ୍ୟାପି ହାର୍ଡି ଆଣ୍ଡ ହିର୍ ପାଇଁ ରାନୁ ଗାଇଥିଲେ ‘ତେରି ମେରି କାହାନୀ’ ଗୀତଟି ସାରା ଭାରତର ସଙ୍ଗୀତ ପ୍ରେମୀଙ୍କ ମନଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା ଏବଂ ଏହି ଗୀତ ରେକର୍ଡ଼ିଂକୁ ହିମେଶ ନିଜେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ । ଏହାପରେ ରାନୁ ଆଉ ପଛକୁ ଫେରି ନଥିଲେ, ରାତାରାତି ସେ କଣ୍ଠଶିଳ୍ପୀ ପାଲଟି ଯାଇଥିଲେ । କେବଳ ଏହି ଗୀତ ପାଇଁ ରାନୁଙ୍କ ଭାଗ୍ୟ ସବୁଦିନ ପାଇ ବଦଳି ଯାଇଥିଲା । ସାରା ଦେଶର କୋଣ ଅନୁକୋଣରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛଟିଥିଲା ।
ଇସଲାମବାଦର ଜଣେ ଯୁବକ ଅରସାଦ ଖାନ । ୧୮ ବର୍ଷୀୟ ଏହି ଯୁବକ କେବେ ବି ଭାବିନଥିଲେ ଯେ ତାଙ୍କ ଭାଗ୍ୟ ସବୁଦିନ ପାଇଁ ବଦଳିଯିବ ବୋଲି । ସେଦିନ ଥିଲା ରବିବାର, ସକାଳେ ନମାଜ ପଢିସାରି ଅରସାଦ ବାହରି ଯାଇଥିଲେ ସେହି ଚା ଦୋକାନକୁ ଯେଉଁଠି ସେ ନିଜେ ହିଁ କାମ କରୁଥିଲେ । ପାଠ ଶାଠ ବେଶି ପଢିନଥିବା ତଥା ପିଲାଟି ଦିନରୁ ଦାରିଦ୍ର‌୍ୟର କଷାଘାତରେ ବଢିଆସିଥିବା ଏହି ଯୁବକ ଜଣକ ଦୀର୍ଘ ୪ ବର୍ଷ ଧରି ସେହି ଚା ଦୋକାନରେ କାମ କରି ଆସୁଥିଲେ । ସେହି ଦିନ ହିଁ ତାଙ୍କ ଭାଗ୍ୟ ବଦଳିଯିବ ବୋଲି ସେ କଳ୍ପନା ସୁଦ୍ଧା କରିନଥିଲେ । ରାତି ପ୍ରାୟ ୮/୯ ଘଟିକା ହେବ । ବଜାରରୁ ଭିଡ଼ ଆସ୍ତେ ଆସ୍ତେ କମି ଆସୁଥିବା ବେଳେ ହଠାତ୍ ତାଙ୍କ ଉପରେ ଫୋକସ କରିଥିଲା କ୍ୟାମେରା । ସେ କିଛି ଜାଣିବା ପୂର୍ବରୁ ତାଙ୍କର ନୀଳ ଆଖି ଲିପିବଦ୍ଧ ହୋଇଯାଇଥିଲା ସେ କ୍ୟାମେରା ଲେନ୍ସ ଭିତରେ । ସେହି ଗୋଟିଏ କ୍ଲିକ ହିଁ ଥିଲା ଯଥେଷ୍ଟ । ଅରସାଦ ଚାହିଁ ନଥିଲେ ତାଙ୍କ ଫଟୋ ଉଠାଇବାର କାରଣ । ଏହାର କିଛିଦିନ ପରେ ସେ ଭୁଲିଯାଇଥିଲେ ଏହି ଘଟଣାକୁ । ମାସେ ଦେଢମାସ ପରେ ଫଟୋ ଉଠାଇଥିବା ଉକ୍ତ ଯୁବକ ଜଣକ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଅରସାଦଙ୍କ ସେହି ଫଟୋଟିକୁ ଏବଂ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ସବୁ ଦିଗରୁ ପ୍ରଶଂସାର ଛୁଅ ଛୁଟିଥିଲା ଅରସାଦଙ୍କ ଷ୍ଟାଇଲସ୍ ଚେହେରା ଓ ନୀଳ ଆଖିକୁ ଦେଖି ଏବଂ ସବୁଠି ଚର୍ଚ୍ଚା ଚାଲିଥିଲା ଏହି ଘଟଣାକୁ ନେଇ । ଏଥିରେ କ’ଣ ରହସ୍ୟ ଅଛି ବୋଲି ପ୍ରଶ୍ନ କରିଥିଲେ ଅରସାଦ । ଏହାପରେ ତାଙ୍କ ଚା ଦୋକାନ ଆଗରେ ଗହଳି ଲାଗି ରହୁଥିଲା ସବୁ ସମୟରେ ଏବଂ ଲୋକମାନେ ତାଙ୍କ ଫଟୋ ଉଠାଇବାକୁ ଚାହିଁବାରୁ ଅରସାଦ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଥିଲେ ଓ ଭାବିଥିଲେ ତାଙ୍କର ଚାକିରୀ ଚାଲିଯିବ ନିଶ୍ଚିତ । କିନ୍ତୁ ତାଙ୍କର ସବୁ ଭାବନା ଭୁଲ୍ ପ୍ରମାଣିତ ହୋଇଥିଲା ଏବଂ ତାଙ୍କ ପାଖକୁ ମଡ଼େଲିଂ କରିବା ପାଇଁ ଅଫରର ସୁଅ ଛୁଟିଥିଲା । ତାଙ୍କ ପରିବାର ପ୍ରଥମେ ରାଜି ହେଉନଥିଲେ କିନ୍ତୁ ବହୁ ବୁଝାଶୁଝା ପରେ ଶେଷରେ ଅରସାଦଙ୍କ ପିତାମାତା ରାଜି ହୋଇଥିଲେ । ତା’ପରେ ଅରସାଦ ଭାଗ୍ୟ ବଦଳି ଯାଇଥିଲା ଏବଂ ସେ ହୋଇଗଲେ ମଡ଼େଲିଂ ଦୁନିଆର ଜଣେ ସଫଳ ମଡ଼େଲର ।
୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅନ୍ତର୍ଗତ ମେଲଘର ଗାଁର ଦାନ ମାଝୀ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହି ଚାଲି ଚାଲି ଯିବା ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ଶବ ବୋହିବା ଫଟୋଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଦାନ ମାଝୀଙ୍କୁ ନେଇ ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ ହୋଇଥିଲା ଏବଂ ରାତାରାତି ଦାନ ମାଝୀ ଜିରୋରୁ ହିରୋ ବନି ଯାଇଥିଲେ । ସାରା ରାଜ୍ୟରୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଥିଲା । ଦାନ ମାଝୀଙ୍କ ଏହି କାର୍ଯ୍ୟପାଇଁ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିଥିଲେ । ଅନେକ ସଂସ୍ଥା ତରଫରୁ ତାଙ୍କୁ ଆର୍ଥିକ ସହାୟତା ମିଳିଥିଲା ଏବଂ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା । କିଛିଦିନର ବ୍ୟବଧାନ ପରେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଦାନ ମାଝୀ । ସେତେବେଳେ ଏହି ଘଟଣା କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ, ସେ ଦାନ ମାଝୀଙ୍କ ତନିଝିଅଙ୍କୁ କିସ୍‌ରେ ରଖି ପାଠ ପଢାଇବାର ବ୍ୟବସ୍ଥା କରିଥିଲେ । ଚଳିତବର୍ଷର ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଦାନଙ୍କ ଝିଅ ମାଟିି୍ରକ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଯାହା କଳାହାଣ୍ଡି ଜିଲ୍ଲା ଜନଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହିପରି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ସୋସିଆଲ ମିଡ଼ିଆରେ ରାତାରାତି ସଫଳତାର ଶିଖରରେ ପହଞ୍ôଚଥାନ୍ତି ।
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ