ପ୍ରଶାସନର ଅବହେଳା ଅଭିଯୋଗ: ପୋତି ହେବାରେ ଲାଗିଛି ବାଗରିଝୋଲା ଗ୍ରାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ

ରାୟଗଡ଼ା( ଯୋଗେଶ୍ୱର ଦାସ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ହାଡ଼ିଗୁଡ଼ା ପଞ୍ଚାୟତ ବାଗରିଝୋଲା ଗ୍ରାମରେ ଥିବା ବୃହତ୍‌ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେବାରେ ଲାଗିଛି। ଏହି ପ୍ରକଳ୍ପ ଯୋଗେ ଧାର୍ଯ୍ୟ ପରିମାଣଠାରୁ ଅଳ୍ପ ଜମିକୁ ଜଳସେଚନ କରାଯାଉଛି। କିନ୍ତୁ ସମସ୍ତ ଚାଷୀ ମାନେ ଜଳକର ଦେଉଥିବା ପାଣି ପଞ୍ଚାୟତ କାର୍ଯ୍ୟକର୍ତ୍ତା ଓ ଚାଷୀମାନେ କହିଛନ୍ତି। ୧୯୮୨ ମସିହାରେ ବାଗରିଝୋଲା ଏବଂ ଦୋରାଗୁଡ଼ା ମୌଜାର ୩ ହଜାର ଏକର ଜମିରେ ଜଳସେଚନ ନିମନ୍ତେ ବୃହତ୍‌ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହି ଜଳସେଚନ ପ୍ରକଳ୍ପ ନିମନ୍ତେ ଘରୋଇ ଜମି ଅଧିଗ୍ରହଣ କରାଯିବା ସହିତ କିଛି ପରିବାର ବାସଚ୍ୟୁତ ହୋଇଥିଲେ। ସାମୂହିକ ସ୍ୱାର୍ଥ ଦୃଷ୍ଟିକୁ ଦେଖି ଜଳସେଚନ ପ୍ରକଳ୍ପ ପାଇଁ ବିନା ଦ୍ବିଧାରେ ଜମି ଛାଡ଼ି ଥିଲେ ବାଗରିଝୋଲା ଗ୍ରାମବାସୀ। ପରବର୍ତ୍ତୀ ସମୟରେ ବାଗରିଝୋଲା ଏବଂ ଆଖପାଖ ଗ୍ରାମର ପ୍ରାୟ ଶତାଧିକ ଏକର ଜଳସେଚିତ ଜମିକୁ ଆଲୁମିନା କମ୍ପାନି ପ୍ରତିଷ୍ଠାରେ ଅଧିଗ୍ରହଣ କରାଯାଇଥିଲା।କିନ୍ତୁ କେନାଲ ଗୁଡ଼ିକର ଆବଶ୍ୟକ ମରାମତି କରାଯାଉ ନଥିବା ଅଭିଯୋଗ ହୋଇଛି। ଗତ ଦିନରେ ବାଗରିଝୋଲା ଜଳଭଣ୍ଡାରରେ ମାଛ ଚାଷ କରାଯାଉଥିଲା। ବାଗରିଝୋଲା ଗ୍ରାମବାସୀ ଗତ କିଛି ବର୍ଷ ହେଲା ମାଛ ଚାଷ କରିବା ପରେ ୨୦୦୦ ମସିହାର ମାଈକଞ୍ଚ ଗୁଳିକାଣ୍ଡ ପରଠାରୁ ମାଛ ଚାଷ ବନ୍ଦ କରି ଦେଇଥିବା ଗ୍ରାମବାସୀ କହିଛନ୍ତି। କମ୍ପାନି ପ୍ରତିଷ୍ଠାକୁ ବିରୋଧ କରି ଗ୍ରାମବାସୀ ଆନ୍ଦୋଳନ ଚଳାଇୟଥିବା ବେଳେ ପୁଲିସ ଗୁଳିରେ ୨ଜଣ ମୃତ୍ୟୁବରଣ କରିଥି‌ଲେ। ମୃତକଙ୍କ ମଧ୍ୟରେ ଜଣେ ମାଛ ଚାଷୀ କମିଟିର କାର୍ଯ୍ୟକର୍ତ୍ତା ରହିଥିଲେ। ଏହି ଘଟଣା ପରଠାରୁ ପ୍ରଶାସନ ପକ୍ଷରୁ ଏଠାରେ ମାଛ ଚାଷ ପାଇଁ ଉଦ୍ୟମ କରାଯାଉନି। ଅନ୍ୟପଟେ ଆବଶ୍ୟକ ମରାମତି ଅଭାବରୁ ବିଭାଗୀୟ କର୍ମଚାରୀ ରହିବା ପାଇଁ ନିର୍ମିତ ଗୃହ ଏବଂ ମାଛ ଉତ୍ପାଦନ କେନ୍ଦ୍ର ମଧ୍ୟ ଭାଙ୍ଗିରୁଜି ନଷ୍ଟ ହୋଇ ଗଲାଣି। ବ୍ଲକର ବାଗରିଝୋଲା, ପହୁଣ୍ଡି, କଞ୍ଜଙ୍ଗମାଣ୍ଡି, ମାଈକଞ୍ଚ ଭଳି ସ୍ଥାନରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି। କିନ୍ତୁ ବ୍ଲକ ସଦର ବିଭାଗୀୟ ସରକାରୀ କାର୍ଯ୍ୟାଳୟରେ କୌଣସି ଅଧିକାରୀ ରହୁ ନଥିବାରୁ ସର୍ବଦା ତାଲା ଝୁଲୁଥିବା ଦେଖିବାକୁ ମିଳୁଛି।।ସମସ୍ୟା ନେଇ ବିଭାଗୀୟ ଯନ୍ତ୍ରୀଙ୍କ ଯୋଗାଯୋଗ ହୋଇନଥିବାରୁ ପ୍ରତିକ୍ରିୟା ମିଳିପାରିନି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ