ପାରା ଓ ଡାକ କାହାଣୀ

ବିପିନ ବିହାରୀ ମହାନ୍ତି
ପାରାମାନେ ଯେତେ ବାଟ ଉଡ଼ି ଯାଆନ୍ତୁ ନା’ କାହିଁକି, ସେମାନଙ୍କର ଏକ ଜନ୍ମଗତ ଅଭ୍ୟାସ ଏହି ଯେ ସେମାନେ ତାଙ୍କ ପୂର୍ବ ସ୍ଥାନକୁ ନିର୍ଭୂଲ ଭାବରେ ଫେରି ଆସିପାରନ୍ତି । ଏହି କାରଣରୁ ପାରାମାନଙ୍କୁ ବାର୍ତ୍ତାବହ ରୂପେ କାହିଁ କେତେ ଦୂର ଅତୀତରୁ ବ୍ୟବହାର କରାଯାଇଆସୁଛି । ଯେତେଦୂର ଜଣାଯାଏ ପାରାମାନଙ୍କୁ ବାର୍ତ୍ତାବହ ରୂପେ ବ୍ୟବହାର କରିବା ବୋଧହୁଏ ଏଇ ଭାରତରୁ ଆରମ୍ଭ ହୋଇଛି । ଭାରତର ଅତୀତ ଇତିହାସରୁ ଜଣାଯାଏ ଯେ ମୌର୍ଯ୍ୟ ବଂଶର ସମ୍ରାଟ ଓ ଅଶୋକଙ୍କ ବେଳେ ପାରା ଦ୍ୱାରା ଡାକ ପ୍ରେରଣ ଖୁବ୍ ଉନ୍ନତ ଧରଣର ଥିଲା ।
ମୋଗଲମାନେ ତାଙ୍କ ବିଶାଳ ସାମ୍ରାଜ୍ୟ ମଧ୍ୟରେ ବାର୍ତ୍ତା ପ୍ରେରଣ ମାଧ୍ୟମରେ ଯୋଗାଯୋଗ ରକ୍ଷା ନିମନ୍ତେ ପାରାଡାକ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଭାରତ ବ୍ୟତୀତ ବାଗ୍‌ଦାଦ୍‌ର କାଲିଫ୍ ଏବଂ ସୁଲତାନ ନା’ରଦିନ ସେମାନଙ୍କର ସାମ୍ରାଜ୍ୟରେ ସର୍ବତ୍ର ପାରା ଦ୍ୱାରା ଡାକ ସେବା ଚାଲୁ ରଖିଥିଲେ ।
‘ପାରା ଡାକ ସେବା’ ବହୁ କୌତୁହଳଜନିତ ଘଟଣାମାନଙ୍କରେ ବ୍ୟବହାର କରାଯାଉଥିଲା । ଓ୍ୟାଟରଲୁ ଯୁଦ୍ଧର ବିଜୟ ଗାଥା ପାରା ମାଧ୍ୟମରେ ବେଲଜିୟମର ଓ୍ୟାଟରଲୁ ଯୁଦ୍ଧକ୍ଷେତ୍ରରୁ ଇଂଲଣ୍ଡର ଲଣ୍ଡନକୁ ୧୮୧୫ ଖ୍ରୀଷ୍ଟାବ୍ଦରେ ପଠାଯିବା ଏକ ଉଲ୍ଲେଖନୀୟ ଘଟଣା । ପ୍ରଥମ ବିଶ୍ୱଯୁଦ୍ଧ ବେଳେ ଗୋଟିଏ ଆମେରିକୀୟ ତାଲିମପ୍ରାପ୍ତ ସୈନ୍ୟବିଭାଗର ପାରା ଯାହାର ନାଁ ଥିଲା ଚିୟର-ଆମ-ଏକ ଜର୍ମାନୀ କବଳରୁ ଜଣେ ଆମେରିକୀୟ ଯୋଦ୍ଧାଙ୍କ ବନ୍ଦୀ ହେବା ପୂର୍ବରୁ ରକ୍ଷା କରିପାରିଥିଲା ।
ଓଡ଼ିଶା ପୋଲିସ ଭାରତର ଏକମାତ୍ର ରାଜ୍ୟ ଯିଏକି ଦୁଇ ସହସ୍ରାବ୍ଦ ବର୍ଷ ପରେ ବି ପାରା ଦ୍ୱାରା ଡାକସେବା ଚାଲୁରଖିଥିଲା । ୧୯୪୬ ରେ ୪୦ ଟି ପାରାକୁ ନେଇ ଏ ଡାକସେବା ଆରମ୍ଭ ହୋଇଥିଲା । ଯାହାର ସଂଖ୍ୟା ବଢ଼ି ବଢ଼ି ୨୦୦୨ ବେଳକୁ ୯୨୬ରେ ପହଞ୍ôଚଥିଲା ଏବଂ ଏମାନେ ପୋଲିସ ବିଭାଗର ୧୭ଟି ମଣ୍ଡଳରେ କାର୍ଯ୍ୟ କରୁଥିଲେ ।
ପାରାମାନେ ତିନୋଟି କଥାରେ ତାଲିମ ନେଉଥିଲେ : ସ୍ଥିତିଶୀଳ, ଗତିଶୀଳ ଏବଂ ପ୍ରତ୍ୟାବର୍ତ୍ତନଶୀଳ ବାବୁମେରାଙ୍ଗ । ସ୍ଥିତିଶୀଳରେ ସେମାନେ ତାଙ୍କର ମୁଖ୍ୟନିବାସ ପରିତ୍ୟାଗ କରି ଅଗମ୍ୟ ଅଞ୍ଚଳରୁ ଗତି କରନ୍ତି । ଅନ୍ୟଥା ସେମାନେ ମୁଖ୍ୟ ନିବାସରେ ସେବା ପାଇଁ ମହଯୁଦ୍ ଥାଆନ୍ତି ଏବଂ ଆବଶ୍ୟକ ମତେ ପଠାଯାଆନ୍ତି । ଗତିଶୀଳ ଅର୍ଥରେ ସେମାନେ ପୋଲିସ ସହ ନିର୍ଦ୍ଦିଷ୍ଟ କାର୍ଯ୍ୟକାରୀ ସ୍ଥାନକୁ ଯାଆନ୍ତି । ଏମାନେ ପୋଲିସ ସହ ଏକ ଭ୍ରାମ୍ୟମାଣ ଡାକ ପରି କାର୍ଯ୍ୟ କରନ୍ତି । ତୃତୀୟ ଶ୍ରେଣୀ ବା ବୁମେରାଂ ଦଳ ବାର୍ତ୍ତା ନେଇ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଆନ୍ତି ଏବଂ ସେଠୁ ବାର୍ତ୍ତା ନେଇ ପୁଣି ପୂର୍ବ ସ୍ଥାନକୁ ଫେରି ଆସନ୍ତି । ଆମେ ଜାଣିଛେ ଯେ ବୁମେରାଂ ଅଷ୍ଟ୍ରେଲିଆରେ ବ୍ୟବହୃତ ଏକ ଅସ୍ତ୍ର ଯାହା ଫିଙ୍ଗାଯାଏ ଏବଂ ନବାଜିଲେ ପୁନଶ୍ଚ ବ୍ୟବହାରକାରୀ ହାତକୁ ଫେରିଆସେ । ତେବେ ପାରା ପାଇଁ ଏକ ନିର୍ଦ୍ଦିଷ୍ଟ ଦୂରତ୍ୱ ଭିତରେ ଏ କାରବାର କରିବାକୁ ପଡ଼େ । ବିଶେଷକରି ଯିବା ଆସିବାକୁ ୮୦ କି.ମି ଥିବା ଉଚିତ୍ ।
ଯେଉଁ ବାର୍ତ୍ତାଟି ପଠାଯିବା କଥା ତାହା ପ୍ରଥମେ ଗୋଟେ ଟୁକୁରା କାଗଜରେ ଲେଖାଯାଏ ଏବଂ ଏହାକୁ ପାରାର ଗୋଡ଼ରେ ବାନ୍ଧି ଦିଆଯାଏ । ପ୍ରାୟତଃ ଏକା ପ୍ରକାର ସଂବାଦ ନେଇ ଏକ ସମୟରେ ଦୁଇଟି ପାରା ଏକା ଯାଗାକୁ ପଠାଯାଆନ୍ତି । ଏହା କରିବାର କାରଣ ଏହି ଯେ ଯଦି ଗୋଟିଏ ପାରା କୁଆଡେ ଉଡ଼ିଯାଏ ଅଥବା କୌଣସି କାରଣରୁ ମରିଯାଏ ବା ଚିଲ କି ଛଞ୍ଚାଣ ଖାଇଯାଏ, ତା’ହେଲେ ଆରଟି ସେ ବାର୍ତ୍ତା ଦେଇ ଓ ନେଇ ଫେରିପାରେ ।
ଏହି ତାଲିମପ୍ରାପ୍ତ ପାରାଙ୍କ ବୟସ ମାତ୍ର ୧୫ରୁ ୨୦ ବର୍ଷ ଯେଉଁଥିରୁ କାର୍ଯ୍ୟକ୍ଷମ ବା ଚଳଚଞ୍ଚଳ ସମୟ ହେଉଛି ୭ରୁ ୧୦ବର୍ଷ । ଗୋଟିଏ ସୁସ୍ଥ କାର୍ଯ୍ୟକ୍ଷମ ପାରା ଏକାଦିକ୍ରମେ ୧୦୦ରୁ ୨୦୦ ମିଟର ଉଚ୍ଚରେ ଏକାଦିକ୍ରମେ ୧୦୦୦ କି.ମି ଉଡ଼ିପାରେ ।
ଓଡ଼ିଶା ପୋଲିସ ସଂକଟକାଳୀନ ଅବସ୍ଥାରେ ପାରାଙ୍କ ସାହାଯ୍ୟରେ ବାର୍ତ୍ତା ଯୋଗାଯୋଗରେ ବହୁତ କୃତକାର୍ଯ୍ୟ ହାସଲ କରିଛି । ପ୍ରାକୃତିକ ଦୁର୍ବିପାକ ଏବଂ କୌଣସି ଗଣ୍ଡଗୋଳ ବା ହଟ୍ଟଗୋଳ ସମୟରେ ସେମାନଙ୍କ ଭୂମିକାରେ ଅତ୍ୟନ୍ତ ଗୁରୁତ୍ୱ ଅଛି । ଯେତେବେଳେ ୧୩ ଏପ୍ରିଲ ୧୯୪୮ରେ ଏସିଆର ବୃହତ୍ତମ ନଦୀବନ୍ଧ ହୀରାକୁଦ ଡ୍ୟାମ୍‌ର ଭିତ୍ତିପ୍ରସ୍ତର ପଡ଼ିବାର ଥିଲା ଏବଂ ସେଥିପାଇଁ ପଣ୍ଡିତ ନେହୁରୁ ଆସିଥାନ୍ତି, ସେ କଟକରେ ହେବାକୁ ଥିବା ଏକ ସାଧାରଣ ସଭାରେ କିଛି ପରିବର୍ତ୍ତନ କରିବାକୁ ଆଶା କରିଥିଲେ । ସଂବାଦ ଦେବାକୁ ଚାହିଁଲେ, ସେତେବେଳେ ଓଡ଼ିଶା ପୋଲିସ ବିଭାଗର ଗୋଟେ ତାଲିମପ୍ରାପ୍ତ ପାରାକୁ ସମ୍ବଲପୁରରୁ ୪୦୦ କି.ମି ଦୂରରେ ଥିବା କଟକ ପଠାଗଲା । ଏହା ଏତେ ଦୂରତ୍ୱକୁ ମାତ୍ର ୫ ଘଣ୍ଟାରେ ଅତିକ୍ରମ କରିଥିଲା ଯାହାକି ନେହୁରୁଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।
ଦୁଃଖ ଯେ ଆଜିର ମୋବାଇଲ, ଇଣ୍ଟରନେଟ୍‌, ଇ-ମେଲ୍ ଅନ୍ୟାନ୍ୟ ବୈଦ୍ୟୁତିକ ଗଣମାଧ୍ୟମ କାରଣରୁ ଏବେ ପାରା ମାଧ୍ୟମରେ ଡାକସେବା ଓଡ଼ିଶାରେ ବନ୍ଦ ହୋଇଯାଇଛି । ଏହା କେବଳ ଏବେ ଭବିଷ୍ୟତ ପାଇଁ ଏକ କାହାଣୀ ହୋଇ ରହିଗଲା ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର, ବିକାଶନଗର
ଜଟଣୀ, ଖୋର୍ଦ୍ଧା, ଫୋନ୍‌-୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ