୨୦୦୫ ମସିହା ପୂର୍ବପ୍ରଚଳିତ ପେନ୍ସନ୍ ବ୍ୟବସ୍ଥା ଲାଗୁକର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିକ୍ଷା ହେଉଛି ମାନବ ସମ୍ବଳ ବିକାଶର ମୂଳମନ୍ତ୍ର ଅଟେ । ଯେଉଁ ଦେଶ ଓ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ ସେ ଦେଶ ସେତିକି ବିକଶିତ । କିନ୍ତୁ ଆମ ଦେଶରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଓଲଟା । ଆମ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶିକ୍ଷାକୁ ଆଦୌ ଗୁରୁତ୍ୱ ଦେଉନାହାଁନ୍ତି । ଶିକ୍ଷା ଅଧିକାର ଆଇନକୁ କଡ଼ାକଡ଼ି କାର୍ଯ୍ୟ ନକରି ଏବେ ଆଉ ଗୋଟିଏ ଶିକ୍ଷା ନୀତି ଆଣିଛନ୍ତି । ଯାହାକି ଛାତ୍ର ଓ ଶିକ୍ଷକମାନଙ୍କ ବିରୋଧି । ରାଜ୍ୟରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାର ଜାଣିଶୁଣି ଶିକ୍ଷକ ନିଯୁକ୍ତି କରୁନାହର୍ଶନ୍ତି । ଠିକା ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଶୋଷଣ କରୁଛନ୍ତି । ଅବସର ପରେ ସେମାନଙ୍କୁ ଅବସରକାଳୀନ ସୁବିଧା ସୁଯୋଗ ସହ ପେନସ୍ନ ବ୍ୟବସ୍ଥା ଲାଗୁ କରୁନଥିବାରୁ ସେମାନଙ୍କ ଅବଶିଷ୍ଟ ଜୀବନ ଦୁଃଖମୟ ହେଉଛି । ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ସରକାର ୨୦୧୯ ମସିହାରେ ଯେଉଁ କ୍ୟାଡର ସଂଶୋଧନ କଲେ ସେଥିରେ ଶିକ୍ଷକମାନଙ୍କୁ ବହୁ ଭାଗରେ ବିଭକ୍ତ କରି ଆର୍ଥିକ ସୁବିଧା ସୁଯୋଗ ନ ଦେଇ ଶିକ୍ଷକମାନଙ୍କର ପଦମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି । ମାଧ୍ୟମିକ ଶିକ୍ଷକମାନଙ୍କୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ବି.ଏଡ୍ ଯୋଗ୍ୟତାଧାରୀ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ମାଧ୍ୟମିକ ବିଦ୍ୟାଳୟକୁ ପଦୋନ୍ନତିର କୌଣସି ବ୍ୟବସ୍ଥା କରିନାହାଁନ୍ତି । କିନ୍ତୁ ବି.ଏଡ୍ ଯୋଗ୍ୟତାଧାରୀ ପ୍ରାଥମିକ ଶିକ୍ଷକମାନଙ୍କୁ ମାଧ୍ୟମିକ ବିଦ୍ୟାଳୟରେ ପଢ଼ାଇବା ପାଇଁ ବାଧ୍ୟ କରୁଛନ୍ତି । ଯାହାକି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି । ଭାରତ ବର୍ଷର ସମସ୍ତ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେଉଥିବା ବେଳେ ଆମ ରାଜ୍ୟ ସରକାର ୨୨୦୦ ଗ୍ରେଡ୍ ପେ ଦେଇ ସପ୍ତମ ବେତନ କମିଶନ ସଂଶୋଧନ କରିଥିବାରୁ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକମାନେ ସମସ୍ତ ରାଜ୍ୟର ପ୍ରାଥମିକ ଶିକ୍ଷକଠାରୁ କମ୍ ଦରମା ପାଆନ୍ତି । ଗୋଟିଏ ପଟେ ସରକାର ଶିକ୍ଷକମାନଙ୍କୁ ଶୋଷଣ କରୁଥିବା ବେଳେ ଅନ୍ୟପଟେ ଛାତ୍ରଛାତ୍ରୀମାନଙ୍କୁ ଶୋଷଣ କରୁଛନ୍ତି । କରୋନା ଆଳ ଦେଖାଇ ପ୍ରାଥମିକ ବିଦ୍ୟାଳୟକୁ ଖୋଲୁନାହାଁନ୍ତି । ୧୯ ମାସ ଧରି ବିଦ୍ୟାଳୟଗୁଡ଼ିକ ଖୋଲା ହୋଇ ନଥିବାରୁ ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ସେରୋ ସର୍ଭେ ରିପୋର୍ଟରେ ଛୋଟ ପିଲାଙ୍କ ରୋଗ ପ୍ରତିଷେଧକ ଶକ୍ତି ଅଧିକ ଥିବାବେଳେ ସରକାର ସେମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଶିକ୍ଷାଦାନରୁ ବଞ୍ôଚତ କରୁଛନ୍ତି । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଦାବି ଦିବସ ଅବସରରେ ଏକ ଆଲୋଚନାଚକ୍ର ଶୀର୍ଷକ : “ପ୍ରାଥମିକ ଶିକ୍ଷା : ଆମ ସଂଗଠନ ଆମ ଦାୟିତ୍ୱ” ଭୁବନେଶ୍ୱରସ୍ଥିତ ଖାରବେଳନଗରସ୍ଥିତ ସାମ୍ବାଦିକ ଭବନଠାରେ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ପ୍ରଫେସର ସୁରେନ୍ଦ୍ର କୁମାର ଜେନା, ଓଲୋଷ୍ଟା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା ଯୋଗଦେଇ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଓ ନୂତନ ପେନ୍ସନ୍ ବ୍ୟବସ୍ଥା ବାତିଲ୍ କରି ପୁରୁଣା ପେନ୍ସନ୍ ଓ ଅବସରକାଳୀନ ସୁବିଧା ସୁଯୋଗ ଦେବାପାଇଁ କହିଥିଲେ । ସଂଘର ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ ସରକାର ପୁରଣ ପେନ୍ସନ୍ ସହ ଅବସରକାଳୀନ ସୁବିଧା ସୁଯୋଗ ସରକାର ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି । ଏହି ଆଲୋଚନା ଚକ୍ରରେ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ୍, ପ୍ରସନ୍ନ କୁମାର ଜେନା, ଟୁଲୁ ଦେଈ, କେଶବ କର, ସୁରେନ୍ଦ୍ର ନାଥ ରାଉତ, ସୁଦାମ ଦଳବର, ସୁଧାଂଶୁ ମଣ୍ଡଳ, ଜିତେନ୍ଦ୍ର କୁମାର ନାୟକ, ନରେଶ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।


