ସ୍ପଷ୍ଟ କଲେ ପାୱାର ଶିବସେନା ସହ ମେଣ୍ଟ ହେବନାହିଁ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ଲାଗି ରହିଥିବା ବିବାଦ ଛିଡ଼ୁନଥିବା ବେଳେ ଶିବସେନା ଏନ୍ସିପି ଓ କଂଗ୍ରେସ ସମର୍ଥନରେ ସରକାର ଗଠନ କରିବ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । କିନ୍ତୁ ଏନସିପି ସୁପ୍ରିମୋ ଶରଦ ପାୱାର ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଶିବସନା ନେତା ସଂଜୟ ରାଉତଙ୍କୁ ସାକ୍ଷାତ କରିବାର କିଛି ଘଣ୍ଟା ପରେ ପାୱାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏନସିପି ମହାରାଷ୍ଟ୍ରରେ ବିରୋଧୀ ଦଳରେ ହିଁ ରହିବ । ପାୱାର କହିଛନ୍ତି, ସରକାର ଗଠନରେ ଏନ୍ସିପିର କୌଣସି ଭୂମିକା ନାହିଁ । ତେଣୁ ଶିବସେନା-ଏନ୍ସିପି ସରକାର ଗଠନର ପ୍ରଶ୍ନ ଉଠିଲା କେଉଁଠୁ ? ଶିବସେନା ଏବଂ ବିଜେପି ଦୀର୍ଘ ୨୫ ବର୍ଷରୁ ଅଧିକ ଦିନ ଧରି ମେଣ୍ଟରେ ଅଛନ୍ତି । ଆଜି ନହେଲେ କାଲି ସେମାନେ ପୁଣି ଥରେ ଏକାଠି ହୋଇଯିବେ । ତେଣୁ ଏନସିପି ବିରୋଧୀ ଦଳରେ ହିଁ ରହିବ । ପାୱାର ମଧ୍ୟ ବିଜେପି ଏବଂ ଶିବସେନାକୁ ଅନୁରୋଧ କରି ଲୋକମତକୁ ସମ୍ମାନ ଦେବାପାଇଁ କହିଛନ୍ତି । ଶିବସେନା ସହ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟ କରିବାପରେ ପାୱାର ବିଜେପିକୁ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଚ୍ୟାଲେଞ୍ଜ କରିଛନ୍ତି । ପାୱାର କହିଛନ୍ତି, ସେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ରାଜନୈତିକ ପାଣ୍ଡିତ୍ୟର ପରୀକ୍ଷା କରିବାକୁ ଚାହାନ୍ତି । ନିର୍ବାଚନ ଫଳାଫଳ ଆସିବାର ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ମହାରାଷ୍ଟ୍ର ସରକାର ଗଠନ ହୋଇପାରୁ ନଥିବାରୁ ପାୱାର ଏହି ମର୍ମରେ କହିଛନ୍ତି, ସେ ମହାରାଷ୍ଟ୍ର ରାଜନୀତି ସଂକ୍ରାନ୍ତରେ ଶାହଙ୍କ ଦକ୍ଷତା ଦେଖିବାକୁ ଚାହାନ୍ତି । ମହାରାଷ୍ଟ୍ରରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବା ଉଚିତ୍ ନୁହେଁ । ଉଭୟ ବିଜେପି ଏବଂ ଶିବସେନା ଲୋକମାନଙ୍କର ମତକୁ ସମ୍ମାନ ଦେଇ ସରକାର ଗଠନ କରିବା ଉଚିତ ।
ସଂଜୟ ରାଉତଙ୍କ ସହ ବୈଠକ ସଂକ୍ରାନ୍ତରେ ସୂଚନା ଦେଇ ପାୱାର କହିଛନ୍ତି, ସମାନ ଆଭିମୁଖ୍ୟ ରହୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ଏବଂ ଆଗାମୀ ବିଧାନସଭା ଅଧିବେସନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଛି । ଅନ୍ୟପକ୍ଷେ ପାୱାର କହିଛନ୍ତି, ସେ ୪ ଥର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ଆଉଥରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ