ପଣ୍ଡିତ ନୀଳକଣ୍ଠ ଥିଲେ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୫୪ତମ ଶ୍ରାଦ୍ଧ ଦିବସ ତାଙ୍କ ପ୍ରତିମୂର୍ତିସ୍ଥଳ ପିଏମ୍ଜି ଛକଠାରେ ମାଲ୍ୟାର୍ପଣ ଓ ପାଖରେ ଥିବା ସମସ୍ତ ମହାପୁରୁଷମାନଙ୍କୁ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କର ଅନୁସଚିବ ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ମତବ୍ୟକ୍ତ କରିଥିଲେ ଯେ, ପଣ୍ଡିତ ନୀଳକଣ୍ଠ ଥିଲେ ଏକାଧାରାରେ ସ୍ୱାଧୀନତା ସଂଗ୍ରାମୀ, ଲେଖକ, ସଂପାଦକ, ଶିକ୍ଷାବିତ୍, ପ୍ରାକ୍ତନ ବାଚସ୍ପତି ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ । ଓଡ଼ିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରିବା ସହିତ ଦେଶମାତୃକା ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା । ଏହି ଅବସରରେ ତାଙ୍କ ନାତୀ ବିଶିଷ୍ଟ ଭାଷାବିତ୍ ପୂର୍ଣ୍ଣେନ୍ଦୁ କୁମାର ଦାସ, କରୁଣାକର ବାଗ୍ ଓ ଟଙ୍କଧର ସାହୁଙ୍କୁ ସାରସ୍ୱତ ପ୍ରତିଭା ପାଇଁ ପଣ୍ଡିତ ନୀଳକଣ୍ଠ ଦାସ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବ୍ରଜବନ୍ଧୁ ପରିଡ଼ା, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଲାସିଂହ, ପ୍ରବୀର ମହାନ୍ତି, ନରେନ୍ ସାହୁ, ଶିବ ସୁଆର, କବି ନାରାୟଣ ମୁଦୁଲିଙ୍କ ସହିତ ସତ୍ୟ ଜେନା ଉପସ୍ଥିତ ରହି ତାଙ୍କ ସ୍ମୃତିଚାରଣ କରିଥିଲେ । ତାଙ୍କ ରଚୀତ ଖାରବେଳ ଓଡ଼ିଆ ଭାଷା ଓ ସାହିତ୍ୟ, ପିଲାଙ୍କ ରାମାୟଣ, ମହାଭାରତ ପ୍ରମୁଖ ତାଙ୍କୁ ଚିର ଅମର କରି ରଖିଚି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଦେବଯାନୀ ଦାସ, ସବିତା ମୁଦୁଲି ପ୍ରମୁଖ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରମୁଖ ପରିଚାଳନା କରିଥିଲେ ବାବା ପଂଚଦେବ, ଉପେନ୍ଦ୍ର ବାରିକ ପ୍ରମୁଖ ବୋଲି ମୁଖପାତ୍ର ଅରବି୍ନ୍ଦ ତ୍ରିପାଠୀ ଜଣାଇଛନ୍ତି ।


