ପୌରନିର୍ବାଚନ ସଂରକ୍ଷଣ ପରିବର୍ତ୍ତନ ପାଇଁ ୫୯ ଆପତ୍ତି ଅଭିଯୋଗ ଦାଖଲ
ଛତ୍ରପୁର, (ଦେବଦତ୍ତ ମହାରଣା) : ଆଗାମୀ ପୌରନିର୍ବାଚନ ଲାଗି ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସମେତ ୧୬ ଏନ୍ଏସି ସମୁଦାୟ ୧୭ଟି ସହରାଞ୍ଚଳର କାଉନସିଲର ପଦ ପାଇଁ ସଂରକ୍ଷଣ ଚିଠା ତାଲିକା ପାଇଁ ଆପତ୍ତି ଅଭିଯୋଗ କରିବା ବି ସମୟ ଶେଷ ହୋଇଛି । ୧୭ଟି ସହରାଞ୍ଚଳ ମଧ୍ୟରୁ ୮ଟି ସହରାଞ୍ଚଳରୁ ୫୯ଟି ଆପତ୍ତି ଅଭିଯୋଗ ପ୍ରଶାସନ ନିକଟରେ ଦାଖଲ ହୋଇଥିବା ଜଣାପଡିଛି । କବିସୂର୍ଯ୍ୟନଗର ଏନ୍ଏସିର ସର୍ବାଧିକ ୪୦ଟି ଆପତ୍ତି ଅଭିଯୋଗ ପଡିଥିବା ବେଳେ ଛତ୍ରପୁର ଏନ୍ଏସିର ୩, ଭଞ୍ଜନଗରରୁ ୪, ଆସିକାରୁ ୪, ପୋଲସରାରୁ ୨, ଦିଗପହଣ୍ଡିରୁ ୧, ରମ୍ଭାରୁ ୩ ଏବଂ ବେଲଗୁଣ୍ଠାରୁ ୨ଟି ଆପତ୍ତି ଅଭିଯୋଗ ରହିଛି । ୧୭ଟି ସହରାଞ୍ଚଳର ୨୪୦ ଗୋଟି ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ କାଉନ୍ସିଲର ମାନଙ୍କ ସଂରକ୍ଷଣ ଚିଠା ତାଲିକା ଗତ ୯ ତାରିଖରେ ପ୍ରକାଶ ପାଇଥିଲା । ଏହା ଉପରେ ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ନିକଟରେ ଆପତ୍ତି ଅଭିଯୋଗ ଦାଖଲ କରିବା ପାଇଁ ଧାର୍ଯ୍ୟ ରହିଥିଲା । ଜିଲ୍ଲାପାଳ ଏହାର ଶୁଣାଣି କରି ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଧାର୍ଯ୍ୟ ରହିଛି ।