ବିଦ୍ୟୁତ ଚୋରଙ୍କ ଠାରୁ ଜୋରିମାନା ଆଦାୟ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ଼ ଗ୍ରାମ୍ୟ ବଜାର ସହିତ ଆଖପାଖ ଅଞ୍ଚଳରେ ଆଜି ବିଦ୍ୟୁତ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ ହୋଇଥିବା ଜଣାପଡିଛି। ବଜାର ଠାରେ ଥିବା ବିଭିନ୍ନ ବ୍ୟବସାୟ କେନ୍ଦ୍ରର ମାଲିକ ମାନେ ଦୀର୍ଘ ବର୍ଷ ହେବ ବେଆଇନ ଭାବେ ବିଦ୍ୟୁତ ବ୍ୟବହାର କରି ଆସୁଥିଲେ। ଆଜି ଚଢ଼ାଉ ବେଳେ ୫୦ରୁ ୬୦ଗୋଟି ବ୍ୟବସାୟ କେନ୍ଦ୍ରର ବିଦ୍ୟୁତ ତାର କଟା ଯାଇଥିବା ବେଳେ ପ୍ରାୟ ୪ଲକ୍ଷରୁ ଉର୍ଦ୍ଧ୍ବ ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ଚଢ଼ାଉରେ ବିଦ୍ୟୁତ ବିଭାଗ ଦୁର୍ନୀତି ନିବାରଣ ନିର୍ବାହୀ ଯନ୍ତ୍ରୀ ଅନନ୍ତ ସେନାପତି, ବାଣିଜ୍ୟ ବିଭାଗ ଉପସହକାରୀ ପରିଚାଳକ ନିହାରକାନ୍ତ ଜେନା, କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହୁରିଆ, ଲାଇନମ୍ୟାନ ସତ୍ୟବ୍ରତ ପଣ୍ଡା, ରଞ୍ଜନ ବେହେରା, ଅକ୍ଷୟ ଦଳେଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ। ବିଭାଗର ଏଭଳି ଦୁର୍ନୀତି ବିରୋଧୀ ପଦକ୍ଷେପକୁ ସ୍ଥାନୀୟ ଅଂଚଳର ବୃଦ୍ଧିଜୀବୀ ମାନେ ସାଧୁବାଦ ଜଣାଇଥିବା ବେଳେ ବିଦ୍ୟୁତ ଚୋରଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।


