ବେଆଇନ କବାଡ଼ିଆ ଦୋକାନୀ ଉପରେ ଚଢ଼ାଉ:ଚୋରା ସାମଗ୍ରୀ ସହ ଦୋକାନୀ ଗିରଫ
ଧାମନଗର(ଓ୍ବାଇଏନଏସ): ଧାମନଗର ଏନ ଏ ସି ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି ଘଟଣାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଞ୍ଚଳରେ ଚାଲିଥିବା ୪୦ ରୁ ଉର୍ଦ୍ଧ୍ୱ ବେଆଇନ କବାଡ଼ିଆ ଦୋକାନ ଯୋଗୁଁ ଚୋରି ବଢ଼ୁଥିବା ଓ ଚୋରା ଗାଡ଼ି କାଟି ବିକ୍ରି କରାଯାଉଥିବା ନେଇ ଦୀର୍ଘ ଦିନ ହେବ ଅଭିଯୋଗ ହୋଇଆସୁଥିଲା। ଏପରିକି ଧାମନଗର ଥାନାର କିଛି ଅସାଧୁ କର୍ମଚାରୀଙ୍କ ସହ ମିଶି ଏହି ଦୋକାନୀମାନେ ନିର୍ଭୟରେ ନିଜର ଚୋରା କାରବାର ଚଳାଇଥିବା ଚର୍ଚ୍ଚା ହେଉଛି। ଏହି ସମ୍ବେଦନଶୀଳ ଘଟଣା ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାଶଙ୍କ ନଜରକୁ ଆସିବା ପରେ ସେ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୂଚନା ମୁତାବକ ଧାମନଗର ରାସ୍ତା କଡ଼ ହବିବିନଗର ମୋହି ଛକରେ ଠାରେ ଥିବା ମୀର ଅକତର ଅଲୀ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ବେଆଇନ କବାଡ଼ିଆ ଦୋକାନ ଚଳାଇ ଆସୁଥିଲେ। ଗତକାଲି ସେ ଏକ ଟ୍ରକ (ନମ୍ବର OR-11K-6036)ରେ ଚୋରା ସାମଗ୍ରୀ ଲୋଡ୍ କରୁଥିବା ବେଳେ ଥାନା ଅଧିକାରୀ ଶ୍ରୀ ଦାଶ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ଦୋକାନୀ ଉପରେ ଚଢ଼ାଉ କରିଥିଲେ। ପୋଲିସ ତୁରନ୍ତ ଟ୍ରକଟିକୁ ଜବତ କରିବା ସହ ଦୋକାନୀ ମୀର ଅକତର ଅଲୀଙ୍କୁ ଗିରଫ କରିଛି। ଏ ନେଇ ଥାନାରେ କେସ ନମ୍ବର ୨୯୩/୨୬ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା (BNS)ର ଦଫା ୩୦୩(୨) ଓ ୩(୫) ଧାରାରେ ମାମଲା ରୁଜୁ କରାଯାଇଛି। ଏନେଇ ତଦନ୍ତକାରି ଅଧିକାରି ଏଏସଆଇ ନରେନ୍ଦ୍ର କୁମାର ରାଉତ ସୂଚନା ଦେଇଛନ୍ତି। ଧାମନଗର ଅଞ୍ଚଳରେ ୪୦ରୁ ଅଧିକ ବେଆଇନ କବାଡ଼ିଆ ଦୋକାନ ଚୋରଙ୍କ ପାଇଁ ଏକ ସୁରକ୍ଷିତ ଆଡ୍ଡା ସ୍ଥଳୀ ପାଲଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ପ୍ରଶାସନ ଏହି ସବୁ ଦୋକାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସହରକୁ ଚୋରି ମୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଥାନା ଅଧିକାରୀ ଶ୍ରୀ ଦାଶଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଜନତା ସ୍ବାଗତ କରିଛନ୍ତି। ସୂଚନା ଥାଉକି କିଛି ଚୋରା ବାଲି ମାଫିଆ ଓ କବାଡିଆ ଦୋକାନୀ ମାନେ ରୀତି ମତ ଥାନା ପାଖରେ ରହି କିଛି ପୋଲିସକୁ ହାତକରି ଏପରି ବେଆଇନି କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି। ଏପରି କିଛି କବାଡିଆ ଦୋକାନୀ ମାନେ ମାସିକିଆ ଚାନ୍ଦା ଦେଇ ଖୋଲମ ଖୋଲା ବେପାର କରୁଛନ୍ତି। ତେବେ ଚୋରା କବାଡିଆ ଙ୍କ ଉପରେ ଚଢଉ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


