ମହାପୁରୁଷଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୟୁନିଟ୍-୮ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ କେନ୍ଦ୍ର ସରକାରଙ୍କ ହୋର୍ଡ଼ିଂ ଦେଖିବାକୁ ମିଳିଛି । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଏହା ବିରୋଧରେ ଘୋର ବିଷୋଦ୍ଗାର କରି ମତବ୍ୟକ୍ତ କରିଛନ୍ତି ଯେ, ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥଳ କ’ଣ ବିଜ୍ଞାପନ ପ୍ରଦର୍ଶନ କେନ୍ଦ୍ର? ପୂଜ୍ୟପୂଜା ହେଉଛି ଉତ୍କଳର ପାତାଳଭେଦୀ ସଂସ୍କୃତି । କୌଣସି ସମୟରେ ମହାପୁରୁଷ ଓ ମହାନ୍ ବ୍ୟକ୍ତିମାନଙ୍କ ପ୍ରତି ଅସମ୍ମାନ ବରଦାସ୍ତ କରାଯିବ ନାହିଁ । ପ୍ରଶାସନକୁ ସେ କହିଛନ୍ତି ଯେ, ଅତି ଶୀଘ୍ର ଯଦି ଉକ୍ତ ହୋର୍ଡ଼ିଂକୁ ଉଠା ନ ଯାଏ ତେବେ ଅଭିଯାନ ତରଫରୁ ଏହାକୁ ଭାଙ୍ଗି ଫିଙ୍ଗି ଦିଆଯିବ । ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ପୂଜ୍ୟପୂଜା ପ୍ରାଣ ନାରାୟଣ ଖୁଣ୍ଟିଆ, ବିଜୟ ପରିଡ଼ା ପ୍ରମୁଖ ଏପରି ଅସମ୍ମାନ ଗ୍ରହଣୀୟ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ ।


