ସଚିବ ବୁଝେଇ ବୁଝେଇ ଝାଳନାଳ, ଅଧ୍ୟାପକ ନିଜ ଜିଦ୍‌ରେ ଅଟଳ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆପଣମାନଙ୍କ ପାଇଁ ସପ୍ତମ ବେତନ କମିଶନ ସର୍ତ୍ତାବଳୀ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ବିଚାର କରାଯିବ । ୨୦୧୭ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ପୂର୍ଣ୍ଣ ଅନୁଦାନ ଓ ଅନ୍ୟାନ୍ୟ ଚାକିରୀ ସର୍ତ୍ତାବଳୀ ଲାଗୁ ହୋଇପାରିବ ନାହିଁ ବୋଲି ସଚିବ ଯେତେ ବୁଝାଇଲେ ବି ଅଧ୍ୟାପକମାନେ ବୁଝିବାକୁ ନାରାଜ । ଏଠାରେ ଉଲ୍ଲେଖନୀୟ ଯେ, ୪୮୮ ବର୍ଗର ଶିକ୍ଷକ ଓ କର୍ମଚାରୀମାନେ ଗତ ୧୪ ତାରିଖରେ ନିଜର ଦାବିପୂରଣ ଓ ସମସ୍ୟା ସମାଧାନ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ଶୋଭାଯାତ୍ରା, ରାଲି ଓ ବିକ୍ଷୋଭ କଲା ପରେ ଶାସନ ସଚିବଙ୍କ ଡ଼ାକରା ପାଇ ଆଲୋଚନା କରିବାକୁ ଯାଇଥିଲେ । ଆଲୋଚନା ସମୟରେ ୪୮୮ବର୍ଗର ଶିକ୍ଷକ କର୍ମଚାରୀ ମହାସଂଘ ତରଫରୁ ରାଜ୍ୟ ସଭାପତି ବନମାଳୀ ବାରିକ, କାର୍ଯ୍ୟକାରୀ ସଭାପତି ମାନସ ପୁରୋହିତ, ସାଧାରଣ ସମ୍ପାଦକ ପ୍ରିୟରଞ୍ଜନ ରଥ, ଆବାହକ ଆଦିଦ୍ୟ ପ୍ରସାଦ ରଥ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ. ସୁବିଜ୍ଞ ଗଡ଼ତ୍ୟା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ମହାସଂଘ ତରଫରୁ ମୁଖ୍ୟତଃ ଦୁଇଟି ଦାବିଉପରେ ଜୋର ଦିଆଯାଇଥଲା । ପ୍ରଥମଟି ହେଉଛି ସମାନ ପଦବୀରେ ଥାଇ ୨୫ବର୍ଷର କନିଷ୍ଠ ଅଧ୍ୟାପକମାନଙ୍କୁ ଆଗାମୀ ୨/୩ ବର୍ଷ ମଧ୍ୟରେ ଯଦି ଅଧ୍ୟକ୍ଷ ପଦ ଦିଆଯାଏ, ତେବେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଘୋର ବ୍ୟାହତ ହେବାକୁ ଦିଆନଯିବା ଏବଂ ଦ୍ୱିତୀୟଟି ହେଲା ଦେଶର ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ କରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ସମ୍ମାନ ରକ୍ଷା କରାଯିବା ଦରକାର । ସଚିବ କିନ୍ତୁ ବୁଝାଇଥିଲେ ଯେ, ପ୍ରଚଳିତ ବେତନରେ କିଛି ବୃଦ୍ଧି କରିବା ସହ ପେନସନ ବଦଳରେ ସ୍ଥିରୀକୃତ ପରିମାଣର ଅର୍ଥ ପ୍ରଦାନ ବ୍ୟବସ୍ଥା କରାଯିବ । ସଚିବଙ୍କ ଏଭଳି ପ୍ରସ୍ତାବକୁ ମହାସଂଘ ବିରୋଧ କରିଥିବା ବେଳେ ଖୁବ୍ ଶୀଘ୍ର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ନେଇ ମହାସଂଘର ଏକ ଜରୁରୀକାଳୀନ ବୈଠକ ଡ଼କାଯାଇ ସେଥିରେ, ଆଗାମୀ ଦିନର ନିଷ୍ପତ୍ତି ଏବଂ ରଣନୀତି ବିଷୟରେ ଘୋଷଣା କରାଯିବ ବୋଲି ଏକ ପ୍ରେସ୍ ବିବୃତ୍ତିରେ ମହାସଂଘ ତରଫରୁ ଜଣାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ