ବାଲିଆପାଳରେ ୧୭୨ କୋଟି ଟଙ୍କାର

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲାର ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ବାଲେଶ୍ୱରବାସୀଙ୍କ ପାଇଁ ଆଉ ଗୋଟିଏ ବଡ଼ ପ୍ରକଳ୍ପର ଭେଟି ଦେଇଛନ୍ତି । ବାଲିଆପାଳରେ ୧୭୨ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ କରି ବାଲେଶ୍ୱରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି । ଏନେଇ ବିଜେଡି ଜିଲା ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ଓ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱରବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏନେଇ ଜିଲା ସଭାପତି ଶ୍ରୀ ଜେନା କହିଥିଲେ ଯେ ସମସ୍ତେ ଜାଣି ଖୁସି ହେବ ଯେ ବାଲେଶ୍ୱରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ୨୦୧୭ରେ ବାଲିଆପାଳ ଅଞ୍ଚଳରେ ଘୋର ପାନୀୟ ଜଳ ସମସ୍ୟା ଦେଖା ଦେଇଥିଲା । ବାଲିଆପାଳ ଅଞ୍ଚଳରୁ ୧୦ ଖଣ୍ଡ ବସରେ ମହିଳାମାନେ ଜଳ ସମସ୍ୟା ସମ୍ପର୍କରେ ଅବଗତ କରାଇବା ପାଇଁ ତତକାଳୀନ ସାଂସଦ ଇଂ. ଶ୍ରୀ ଜେନାଙ୍କୁ ଦାବି ଜଣାଇଥିଲେ । ଏନେଇ ଶ୍ରୀ ଜେନା ଓ ଅନ୍ୟମାନେ ଜଳ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଏହି ପ୍ରକଳ୍ପର ସର୍ଭେ କାମ ସରିବା ପରେ ଡିପିଆର ପ୍ରସ୍ତୁତ ହୋଇଥିଲା । ମଙ୍ଗଳବାର କ୍ୟାବିନେଟରେ ଏହି ପ୍ରକଳ୍ପକୁ ଆର୍ଥିକ ଅନୁମୋଦନ ମିଳିଛି । ଓଡ଼ିଶା ସରକାର ୧୭୨ କୋଟି ଟଙ୍କା ପ୍ରକଳ୍ପ ପାଇଁ ମଞ୍ଜୁର କରିଛନ୍ତି । ପ୍ରକଳ୍ପ ହେବା ଦ୍ୱାରା ୨୧ଟି ପଞ୍ଚାୟତର ୧୪୪ଟି ଗାଁର ଓ ୩୭ ହଜାର ପରବାର ସିଧାସଳଖ ଭାବେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଣି ପାଇ ପାରିବେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଦ୍ୟମକୁ ବାଲେଶ୍ୱରବାସୀଙ୍କ ପକ୍ଷରୁ ଧନ୍ୟବାଦ ଦିଆଯାଉଛି । ପଞ୍ଚାୟତି ରାଜ ବିଭାଗ ଓ ଜଳ ସମ୍ପଦ ମନ୍ତ୍ରୀ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଉଛି । ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଆସିଲେ ସେତେବେଳେ ମଧ୍ୟ ଏଥିପାଇଁ ତାଙ୍କୁ ଧନ୍ୟବାଦ ଦିଆଯିବ ବୋଲି ଶ୍ରୀ ଜେନା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ