ଶାରଦୀୟ ଦୁର୍ଗାପୂଜାର ସୁପରିଚାଳନା ପାଇଁ ଶାନ୍ତି କମିଟି ବୈଠକ
ବାଲେଶ୍ବର(ସରେଜା ପଣ୍ଡା): ଆରମ୍ଭ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜାକୁ ବାଲେଶ୍ୱରରେ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ଉଦ୍ଦେଶ୍ୟରେ ଆଜି ଅପରାହ୍ନ ୪.୩୦ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଓଡ଼ିଶା ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ସଦର ବିଧାୟକ ମାନସ କୁମାର ଦତ୍ତ, ମାନ୍ୟବର ପୌରଧ୍ୟକ୍ଷା, ବାଲେଶ୍ୱର ଶ୍ରୀମତୀ ସବିତା ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ବାଲେଶ୍ୱର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ଦାଶ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପରେଶ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥି ମାନେ ଦୁର୍ଗାପୂଜା ଅବସରରେ ଆଇନଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା, ଶୋଭାଯାତ୍ରାର ସୁପରିଚାଳନା ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପୂଜା କମିଟିଗୁଡ଼ିକୁ ନିର୍ଦ୍ଧାରିତ ନିୟମ ଓ ପ୍ରଶାସନିକ ନିର୍ଦ୍ଦେଶାବଳୀ ପାଳନ କରିବା ସହିତ ଶାନ୍ତି ଓ ଶୃଙ୍ଖଳା ରକ୍ଷାରେ ପ୍ରଶାସନକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା। ବୈଠକରେ ଡିଜେ ଓ ଉଚ୍ଚ ଶବ୍ଦଯୁକ୍ତ ମାଇକର ବ୍ୟବହାର ସମ୍ପର୍କିତ ନିୟମ ପାଳନ, ମେଢ଼ର ଉଚ୍ଚତା ସମ୍ପର୍କିତ ନିୟମ ପାଳନ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଧ୍ୱନି ପରିବେଷଣ, ଉଚ୍ଚ ଶବ୍ଦଯୁକ୍ତ ବାଣର ବାରଣ, ଶୋଭାଯାତ୍ରା ସମୟରେ ଯାତାୟାତ ବ୍ୟବସ୍ଥାକୁ ବାଧା ନଦେବା ଏବଂ ମଦ୍ୟପାନ ଠାରୁ ଦୂରେଇ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ପୂଜା ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଉପରେ ପୋଲିସର ତୀକ୍ଷ୍ଣ ନଜର ରହିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ବୈଠକରେ ପୂଜା ପାଇଁ ଆବଶ୍ୟକ ଅନୁମତି ଓ ଆପତ୍ତିବିହୀନ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ୧୦ ରୁ ୧୨ ଅକ୍ଟୋବର ପର୍ଯ୍ୟନ୍ତ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ଶୋଭାଯାତ୍ରା ପାଇଁ ମଧ୍ୟ ଆବଶ୍ୟକ ଅନୁମତି ନେବାକୁ ପୂଜା କମିଟିଗୁଡ଼ିକୁ କୁହାଯାଇଛି। ଆସନ୍ତା ୨୨ ଅକ୍ଟୋବରରେ ଭସାଣି ଉତ୍ସବ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଦୁର୍ଗାପୂଜା ହେଉଛି ଭାଇଚାରା, ସାମାଜିକ ଏକତା ଓ ସୌହାର୍ଦ୍ଦ୍ୟର ପର୍ବ। ତେଣୁ ସମସ୍ତେ ପରସ୍ପରର ଧାର୍ମିକ ଭାବନାକୁ ସମ୍ମାନ ଦେଇ ଶାନ୍ତିପୂର୍ଣ୍ଣ ଭାବେ ପୂଜା ପାଳନ କରିବାକୁ ବୈଠକରେ ଆହ୍ୱାନ କରାଯାଇଥିଲା। ପୂଜା କମିଟି, ପୋଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରହିଲେ ଦୁର୍ଗା ପୂଜା ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ ଅଧିକାରୀ, ଶାନ୍ତି କମିଟିର ସଦସ୍ୟ, ଦୁର୍ଗାପୂଜା କମିଟିର କର୍ମକର୍ତ୍ତା, ଜନପ୍ରତିନିଧି, ସାମ୍ବାଦିକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଯୋଗଦେଇ ଦୁର୍ଗା ପୂଜାର ସୁପରିଚାଳନା ନେଇ ଆଲୋଚନା କରିଥିଲେ।


