ଚକୁଳିଆ ପଣ୍ଡା ଗୀତ

ବିପିନ ବିହାରୀ ମହାନ୍ତି
କ’ଣ କରଣୀୟ, କ’ଣ କରଣୀୟ ନୁହେଁ (?), କ’ଣ କର୍ତ୍ତବ୍ୟ କର୍ମ, କ’ଣ ଅକର୍ମ (?); କିଏ ସତ୍ୟ, କିଏ ଅସତ୍ୟ (?); କିଏ ଧର୍ମ, କିଏ ଅଧର୍ମ (?) ଏହିପରି ନୀତିଶାସ୍ତ୍ର ଶୁଣାଇ ଆସୁଥିବା ଏକ ପାରମ୍ପରିକ ଗୋଷ୍ଠୀଙ୍କୁ ଚକୁଳିଆ ପଣ୍ଡା କୁହନ୍ତି । ସେମାନଙ୍କର ପୋଷାକ / ପରିପାଟୀ ସ୍ୱତନ୍ତ୍ର । ମୁଣ୍ଡ ଉପରେ ତାଳପତ୍ର ଛତା; ହାତରେ ତମ୍ବାପାତ୍ର ସାଂଗକୁ ବାଡ଼ି; କାନ୍ଧରେ ପଇତା; ମଥାରେ ଚିତା; କପାଳ ଓ ବାହୁରେ ଚନ୍ଦନର ଆଙ୍ଗୁଷ୍ଟି ଚିହ୍ନ; ପରିଧାନକୁ ଗେରୁଆବସ୍ତ୍ର; ଅଣ୍ଟାରେ ଗାମୁଛାବନ୍ଧା, ଏବଂ ପାଦରେ କଠଉ; ତାଙ୍କରି ତୁଣ୍ଡରେ ତାଙ୍କ ସଂପର୍କରେ :
ହାତରେ ତମ୍ବାପାତ୍ର କାନ୍ଧରେ ଛତା ମଥାରେ କାଟି ଅଛୁ ତିଳକ ଚିତା ।ା
ମୁଖରେ ନୀତିଶାସ୍ତ୍ର କରୁଛୁ ବଖାଣ । ଧରମ ଦାଣ୍ଡେ ଚାଲୁଛୁ ଶ୍ରୀକ୍ଷେତ୍ର ବ୍ରାହ୍ମଣ ।ା
ଏମାନେ ଭିକ୍ଷୁକ ଗୋଷ୍ଠୀ ଅନ୍ତର୍ଗତ ନୁହଁନ୍ତି । ନୀତିଶୁଣାଇ ଶାସ୍ତ୍ର ବଖାଣି କିଛି ପାରିଶ୍ରମିକ ଦାବୀ କରନ୍ତି । ଏମାନେ ଧର୍ମମାସ କାର୍ତ୍ତିକ, ମାଘ ଓ ବୈଶାଖରେ ହିଁ କେବଳ ଏବୃତ୍ତି ଉଦ୍ଦେଶ୍ୟରେ ଗାଁ ଗାଁ ବୁଲି ଥାଆନ୍ତି । ଏଣୁ ସାଧାରଣ ଭିକ୍ଷୁକ ଶ୍ରେଣୀଭୁକ୍ତ ନୁହଁନ୍ତି । ତଥାପି ଭିକ୍ଷାବୃତ୍ତି କରନ୍ତି । ଗାଁ ଦାଣ୍ଡରେ ଭିକ୍ଷା ମାଗିଲା ବେଳେ ସ୍ତ୍ରୀ ଲୋକମାନେ ଭିକ୍ଷା ଦେଇଥାନ୍ତି । ସେମାନେ ଦେଲାବାଲାକୁ ଆଶୀର୍ବାଦ, ନଦେଲା ବାଲାକୁ ଭିକ୍ଷା ନଦେବାର ‘ଳ ଏବଂ ଦେବା ପାଇଁ ନାନା ବ୍ୟଙ୍ଗ ଗୀତ ଦ୍ୱାରା ପ୍ରବର୍ତ୍ତାଇ ଥା’ନ୍ତି ।
କଥାରେ କହିଛି ଭାଇ ଦେଇଥିଲେ ପାଇ, ନଦେଲେ ପାଟ ହୋଡ଼ାରେ ଗୋଧନ ଚୋରାଇ ।ା
* * *
ଦାତାଘର ଝିଅ ଏବେ କରିଦେଲା ଡେରି । ମାଗିମାଗି ପଣ୍ଡାପୁଅ ଯାଉଅଛି େ‘ରି ।ା
ଶାଶୁକାଣୀ ବୋହୂ କାଣୀ, ନଣନ୍ଦ ଆଖି‘ୁଲା । ଖୋଜି ଖୋଜି ନପାଇଲେ ଚାଉଳର କୁଲା ।ା
* * *
ଦେଖ ହେ ଭାଇନା ଦେଖ କେତେ ବଡ଼ କୋଠା । ମାଗିମାଗି ଦେଲାନାହିଁ ଚାଉଳ ଦି’ମୁଠା ।
ଧିକ ତା’ର ବଡ଼ପଣ ଧିକ ଧନଥାଇ । ତା’ ଦେହରେ ପଡ଼େ ନାହିଁ କୁକୁରର ଛାଇ ।ା ଇତ୍ୟାଦି ।
ସାଧାରଣତଃ ବୁଢ଼ାବୁଢ଼ୀମାନେ ଦାନ ଧର୍ମ କରିବା କଥା । କାରଣ ଏଇଟା ଯିବାବେଳ । ବାଟକୁ ନେବା ନ୍ୟାୟରେ କିଛି କର । ତଥାପି ମଣିଷ ବୁଝୁନି । ଏହିକଥାକୁ ବଡ଼ ଚମତ୍‌କାର ଭାବରେ ସେମାନେ କୁହନ୍ତି :
ନାତିକି ତା ଖେଳିବୁଢ଼ୀ ଗୀତ ଶୁଣାଉଛି । କାନିରେ ବାନ୍ଧି ପଇସା ମୁହଁ ଶୁଖାଉଛି ।ା
* * *
ପିଢ଼ାରେ ଶୁଖୁଛି ବାଡ଼ି କାଉ ବହିନିଏ । ନନାକୁ ଦବାପାଇଁ ଛାତି‘ାଟିଯାଏ ।
ଭିକ୍ଷାବୃତ୍ତିରେ ଗାମୁଛାରେ ଗଣ୍ଠିପକାଇ ଥାଳ । ବେଳେବେଳେ ଯୁଗ୍ମଭାବରେ ଭିକ୍ଷା ମାଗନ୍ତି । ଜଣକର ପଦକୁ ଆଉଜଣଙ୍କର ପଦେ ଗୀତ । ସେ ଗୀତରେ ଥାଏ ଭିକ୍ଷାର ପରିମାଣ ଏବଂ କୋଉ ଦାନକୁ କୋଉ ପୂଣ୍ୟ :
ଆଞ୍ଜୁଳାରେ ଚାଉଳ ହୋ ଧରିଣ ଆଣିବ । ବାସନରେ ଆଣି ନନା ଗୋସାଇଁଙ୍କୁ ଦେବ ।ା
ଅନ୍ନଦାନେ ମହାପୁଣ୍ୟ ଦେଇଥିଲେ ତହି । ଅନ୍ତକାଳେ ବସିବୁତୁ ବୈକୁଣ୍ଠେ ଯାଇ ।ା
ବସ୍ତ୍ରଦାନେ କରିଥିଲେ ଲଜ୍ଜ୍ୟା ନିବାରଣ । କୃପା ରଖିଥିବେ ସଦା ଦେବ ନାରାୟଣ ।ା
ଏହିକ୍ରମରେ ଗୋଦାନକୁ ଯଜ୍ଞ‘ଳ, ଭୂମିଦାନେ ଗଙ୍ଗାସ୍ନାନ‘ଳ, ଗୃହଦାନେ ଜନ୍ମ ଜନ୍ମାନ୍ତର ସୁଖ, ଜୀବ ଦୟାରେ ତ୍ରିତାପ ହରଣ, କୁଣ୍ଡିପାକେ ମହାଦୁଃଖ ଏବଂ ନାସ୍ତିକକୁ ଯମଯନ୍ତ୍ରଣା । ଏଗୁଡାକ ଜାଣି ଜଣେ ତା’ ଜୀବନ ନୌକା ବାହିବା କଥା । ମାନବ ଈଶ୍ୱରଙ୍କ ଶ୍ରେଷ୍ଠ ସୃଷ୍ଟି :
କେତେ ଜନ୍ମପରେ ମାଲୋ ନର ଜନ୍ମପାଇ । ଦାନ ଧରମରେ ମନ ଉଣାକର ନାହିଁ ।ା
କେତେ ଦିନକୁ ମନ କରୁଛୁ ଆଣ୍ଟ, । କି ଘେନି ଯିବୁ ତୋର ପୁରିଲେ ଘଟରେ ।ା
‘ଯୁଗ ଧର୍ମ ଅନୁଯାୟୀ ସବୁକିଛି ନିୟନ୍ତ୍ରିତ ହୁଏ । ଏ ନେଇ ଚକୁଳିଆ ପଣ୍ଡାମାନେ କୁହନ୍ତି :
* ଦେଖ ହେ ଭାଇନା ଭଲା କଳିକାଳ ହେଲା । ଧର୍ମକର୍ମ ସବୁ ଯେତେ ଲୋପ ପାଇଗଲା ।ା
* ଏକଳି କାଳରେ ଗୁରୁ ଗୁରୁଜନ ନାହିଁ । ବୋହୂ ଗୋଡ଼ ବସି ନିତି ଶାଶୁ ମୋଡ଼ୁଥାଇ ।ା
* ଏକ ଆଚମ୍ବିତ ଲାଗେ ଦେଖି ଏହିକଥା । ରୋଷେଇ କରୁଛିି ବୋହୂ ପାଦେ ପିନ୍ଧି ଜୋତା ।ା
* ଦେଖ ଭାଗବତ ଟୁଙ୍ଗି ସବୁ ଗାଁରୁ ଉଠିଲା । ତାସ ଖେଳରେ ବସି ଦିନ ସେଠି ଗଲା ।ା
* ଏବେ ଗ୍ରାମେ ଗ୍ରାମେ ମଦଭାଟି ସଞ୍ଜ ହେଲେ ଭିଡ଼ ।ବାଟେଘାଟେ ପଡ଼ିଅଛି ମାଛ ମାଂସ ହାଡ଼ ।ା
ଏଗୁଡାକ ଯେ ସାଂପ୍ରତିକ ସମାଜର ବିପଥଗାମୀ ଚିତ୍ର, ଏଥିରେ ସନ୍ଦେହ କରିବାର କିଛି ନାହିଁ । ସେମିତି କୃପଣମାନଙ୍କୁ ଆକ୍ଷେପ କରି କୁହାଯାଇଛି :
ଓହୋ ଏଡ଼ିକି କୃପଣ ଗଣ୍ଡେ ଭଲ ଖାଏ ନାହିଁ । ମୁଣ୍ଡ ତଳେ ଟଙ୍କାରଖି ମାରୁ ଥାଇ ହାଇ ।ା
ଏହା ମୁହଁ ଚାହିଁ ଦେଲେ ତା’ର ମିଳେନାହିଁ ଯଶ । ଦିନସାରା ବିତିିଯାଏ ରହି ଉପବାସ ।ା
ଭିକାରୀଟିଏ ବି ଆମର ଜଣେ ଅତିଥି । ଅତିଥି ଦେବତାତୁଲ୍ୟ । ତାଙ୍କ କଳପନାରେ ଆମର କ୍ଷତି ହୁଏ । ଏଣୁ ତାଙ୍କୁ ସନ୍ତୋଷ କରିବା ଉଚିତ୍ । ଅଥଚ ଆମେ କରୁଛେ କ’ଣ?
* ଏହେ ଦେଖମ ଭାଇନା ଝିଅ ଆଣିଦେଲା ଦାନ
ମୂଷାଖିଆ ଆଳୁ ସଙ୍ଗେ ପୋକା ବାଇଗଣ ।ା
* ଏହେ ମୁଗ ବିରି ଡାଲି କରି ଘରେ ଖାଉଅଛି ।
ନନା ଗୋସାଇଁକୁ ଖାଲି ଚାଉଳ ଦେଉଛି,
ଖାଲି ଭଣ୍ଡେଇ ଦେଉଛି ।ା
ନାରୀହିଁ ଈଶ୍ୱରୀ, ସ୍ନେହମୟୀ, ଜନନୀ, ଭଗିନୀ, ସେ ପୁଣି ଦୁର୍ଗା । ତା’ କୋପରେ ସବୁଧ୍ୱଂସ । ଏଣୁ ନାରୀ ନମସ୍ୟା, ପୂଜନୀୟା, ଜଗତଜନନୀ ମା’, ଏହି କଥାକୁ ଯାଇ ସେମାନେ କୁହନ୍ତି :
*ସ୍ନେହମୟୀ ନାରୀ ସେହି ଜନନୀ ଭଗିନୀ । ସିଏ କୋପକଲେ ନାଶ ଯିବଏ ମେଦିନୀ ।ା
ଆଜିକାର ଯୁବଗୋଷ୍ଠୀ ବିଭ୍ରାନ୍ତ; ଚିରତ୍ରହୀନ ଏବଂ ପଥଚ୍ୟୁତ । ତାଙ୍କୁ ସଚେତନ କରାଇ କୁହନ୍ତି :
* ଧରମ କରମେ ବାବୁ ଦିଅ ଏବେମନ । ବେଳକାଳ ଥାଉ ପୁଅ ହୁଅ ସାବଧାନ ।ା
* ଏମାୟା ସଂସାରେ କେହି ନୁହଇ କାହାର । ମିଛରେ ଭାଇ ହୋଇତୁ ବୋଲୁ ମୋର ମୋର ।ା
ସେହିପରି ନାରୀମାନେ କ’ଣ କରିବା ନକରିବା ନେଇ କୁହନ୍ତି: ରାତିରେ ମୁଣ୍ଡକୁଣ୍ଡାମନା, ସଂ୍ମାରେ ଶୟନ, ଗୁରୁବାରେ ଛୁଆଙ୍କୁ ନମାରିବା, ଗୋବର ପାଣିରେ ସବୁଦିନ ଘର ଲିପିବା, ଦାଣ୍ଡ ଦୁଆରେ ବସି ତେଲ ନମାରିବା, ଗୁରୁଜନ ସଙ୍ଗେ ଗେଲ ନହେବା । ପୁନଶ୍ଚ ସ୍ୱାମୀ ସମ୍ପର୍କ ନେଇ କୁହନ୍ତି :
*ସ୍ୱାମୀ ଦୁଃଖେ ଯେଉଁ ନାରୀ ଦୁଃଖୀ ନହୁଅଇ । ସାତ ଜନମ ଯାଏଁ ସିଏ ଯମଦଣ୍ଡ ପାଅଇ ।ା
ଏହିପରି ଅନେକ ଉପଦେଶ ବି ବାଢ଼ନ୍ତି ଏମାନେ । କିଛି ମୁଖ୍ୟ ପଙକ୍ତି ଏଠାରେ ଉପସ୍ଥାପନା କଲୁ;
* ଅମାବାସ୍ୟା ସଂକ୍ରାନ୍ତିରେ ଯେ ବୁଲାଏ ହଳ । ପେଟ ତା’ର ପୁରେ ନାହିଁ ଦୁଃଖେ କାଟେ କାଳ ।
* ଆହେ ନାରୀଜାତି ପ୍ରତି ଦିଏ ନଦିଏ ସମ୍ମାନ । ମହିଷା ଅସୁର ପରି ହୁଏ ସେ ନିଧନା ।ା
* ଆହେ ଧର୍ମ ଏକାସିନା ଅଟେ ମହତ ପଣିଆ । ଆଉସବୁ କଥା ଯେତେ ଅଢ଼େଇ ଦିନିଆ ।
* ନୀଳାଞ୍ଚଳେ ଥାଉ ଥାଉ ଜଗତର ନାଥ । କାହିଁ କରୁଅଛୁ କ୍ରିୟା ବାରତୀର୍ଥବ୍ରତ ।
* ଶରଧାବାଲିରୁ ତାର ଝରୁଛି ଶରଧା । ମହାପ୍ରସାଦରେ ଅଛି ମୁକତିର ସୁଧା ।
* ଦେହରେ ମାଖେି ନାହିଁ ସୋରିଷର ତେଲ । ଯାଦୁ କାଛୁ କୁଣ୍ଡିଆରେ ହୁଏ କଲବଲ ।
* ଆ’ ହରିନାମ ଗୋଟେ କେବେ ନ ଧରେ ତୁଣ୍ଡରେ
ଦୀପଟିଏ ଦାନ କେବେ କରିନିି ମନ୍ଦିରେ
ସବାଖିଆ କରିନି ଧର୍ମ ଟିକିଏ କାରେ
ଅନ୍ୟାୟ ଅତ୍ୟାଚାର ବଢ଼ିଲେ ପ୍ରକୃତି କି ସହିି ପାରେନା; ଏନେଇ ଭବିଷ୍ୟବାଣୀରେ କୁହନ୍ତି :-
* ଆହେ ବନିଆ ବାତିଆ ଯେତେ ମାଡ଼ିଟି ଆସିବ । ବାଟେଘାଟେ ପଡ଼ିବାରୁ ପ୍ରାଣ ଚାଲିଯିବ ।ା
* ଉଠେଇ ଆସିବ ବର୍ଷା ବରଷିବ ନାହିଁ । କାନ୍ଦୁଥିବ ଚଷାପୁଅ ମୁଣ୍ଡେ ହାତ ଦେଇ ।ା
ଶେଷରେ ଉପଦେଶ : ସା୍ମମତେ ଦାନଧର୍ମ କର । ପିତୃପୁରୁଷ, ଅତିଥି, ଗୋ-ବ୍ରାହ୍ମଣ ଇତ୍ୟାଦି ପ୍ରତି ସଶ୍ରଦ୍ଧା ଭକ୍ତି ପ୍ରଦର୍ଶନ କର; ସମସ୍ତଙ୍କ ପ୍ରତି ଯଥା ସମ୍ଭବ ଶୁଦ୍ଧ ଆଚରଣ ପ୍ରଦର୍ଶନ କର ଏବଂ ସର୍ବୋପରି ହରିନାମ ଗୋଟି ସଦା ସର୍ବଦା ତୁଣ୍ଡରେ ଥାଉ ଏବଂ ତାଙ୍କର ଶରଣାପନ୍ନ ହୁଅ ଏବଂ ମନେରଖ :
* ଉପରେ ଧର୍ମ ଦେବତା ତଳେ ବସୁମାତା । କଲାକର୍ମ ତୋର ଯେତେ ଦେଖନ୍ତି ବିଧାତା ।
* ଏହେ ସତକର୍ମ ସତ୍‌ଚିନ୍ତା ଦୟା କ୍ଷମା ଧରି । ସୁପଥେ ଚାଲ ହେ ପ୍ରାଣୀ ଧର୍ମ ଅନୁସରି ।ା
* ଦେଖ, ଧରମ ନିକିତି ଧରି ଦଇବ ବସିଛି । କରମ ପେଡ଼ିକୁ ଖୋଲି ବିଚାର କରୁଛି ।ା
* ଆହା ପାପ କେତେ ପୁଣ୍ୟ କେତେ ଅରଜିଛୁ ବାବୁ, । ଗୋଟି ଗୋଟି କରି ସବୁ ହିସାବତୁ ଦେବୁ ।
* ମଳୟ ଛୁଇର୍ଲେ କିଏ ହୁଅଇ ଚନ୍ଦନ । ସତସଙ୍ଗ କଲେ ପାଇବୁ ତୁ’ ଦିବ୍ୟ କର୍ମ ।
* ଆହା ସେରକ ପୁରିଲା ବାବୁ ମାଣକ ପୁରିଲା । ଆଉ ବା କେତେ ତୋହର ଜୀବନ ରହିଲା ।
* ବେଳ ଥାଉ ଥାଉ ସାବଧାନ ହୋଇଥାରେ ବାବୁ, । ଏଘୋର କଳିକାଳରୁ ଯେବେ ମୁକତି ଲଭିବୁ ।ା
* ଆହା ହରିନାମ ଗୋଟି ବାବୁ ଭଜୁଥାରେ ତୁହି । ସୁଖେ ରହିବୁରେ ପ୍ରଭୁ ଦେବେ ଭୁଜଛାଇ ।ା
ଚକୁଳିଆ ପଣ୍ଡା ଶଙ୍କରା ଚାର୍ଯ୍ୟଙ୍କ ସମର୍ଥକ ବୋଲି ଶୁଣାଯାଏ ଅଥଚ ସେମାନେ ତାଙ୍କ ଧର୍ମ ପ୍ରଚାରକ ନୁହଁନ୍ତି; କିନ୍ତୁ ସମ୍ମାନ ପାଆନ୍ତି । ସେମାନେ ଭିକ୍ଷା କରନ୍ତି ଅଥଚ ଭିକାରୀ ନୁହଁନ୍ତି ।
ଚକୁଳିଆ ପଣ୍ଡାମାନଙ୍କର ଗୀତଗୁଡ଼ିକୁ କେହି ନିର୍ଦ୍ଦିଷ୍ଟ ଭାବେ ଲେଖିଥିବାର ପ୍ରମାଣ ନାହିଁ । ସେମାନେ ଆଶୁକବି, ଅଥଚ ଏପ୍ରଥା କୋଉ ଦୂର ଅତୀତରୁ ଚଳି ଆସୁଛି । ଏମାନେ ଯୁଗକୁ ଚାହିଁ ତୁରନ୍ତ କବିତାମାନ ସୃଷ୍ଟି କରି ବୋଲି ଥାଆନ୍ତି ଅଥଚ ଏଗୁଡ଼ିକ ନିରର୍ଥକ ନୁହେଁ । ଏମାନେ ସାହିତ୍ୟରେ କୋଉ ବିଶ୍ୱ ବିଦ୍ୟାଳୟ ଡକ୍ଟରେଟ୍ ଲାଭ କରିନଥାନ୍ତି ଅଥଚ ତାଙ୍କଠୁ ଅଧିକ ଗବେଷଣାତ୍ମ ଯଥାର୍ଥତା ପ୍ରତିପାଦନ କରନ୍ତି । ଏମାନେ ଯୋଗ୍ୟତାରେ ଗୋବର ଗଣେଶ ଅଥଚ ଜ୍ଞାନରେ ସମୃଦ୍ଧ ଗଣେଶ ।
ସେମାନଙ୍କ ଗୀତରେ ଅଛି : ଯୁଗଧର୍ମ, ନୀତିଶାସ୍ତ୍ର, ଜୀବେଦୟା, କର୍ତ୍ତବ୍ୟକର୍ମ, ପରିବେଶ ସନ୍ତୁଳନ କଥା ; ଭବିଷ୍ୟକଥା, ସତର୍କବାଣୀ, ଉପଦେଶ, ଶୃଙ୍ଖଳିତ ମାନବଧର୍ମ; ସୁଖୀ ପରିବାର ଗଠନର ଗୁଣାବଳୀ, ସ୍ତ୍ରୀ ଧର୍ମ, ସ୍ୱାମୀ କର୍ମ, ନାରୀ ଜାତିପ୍ରତି ସମ୍ମାନ, ସ୍ୱାସ୍ଥ୍ୟ ସଚେତନ, ବିଭୁପ୍ରେମ, ସାଂପ୍ରତିକ ସମାଜର ନଷ୍ଟ-ଭ୍ରଷ୍ଟର ଚିତ୍ର… କ’ଣ ନାହିଁ । ଇଂରାଜିରେ ଏହାକୁ ଦୃଢ଼ୀଭୂତ କଲେ, ‘ହ୍ୱାଟ ନଟ୍‌’ ।
ସ୍ୱରରେ ଛନ୍ଦ ଓ ଲାଳିତ୍ୟ, ସମ୍ବନ୍ଧରେ : ନନା, ଗୋସାଇଁ ହେ, ଏ, ଏହେ, ଦେଖ, ଓହୋ, ଏରେ, ଆହା, ଆହେ ଇତ୍ୟାଦିର ପ୍ରୟୋଗ, ଭାଷାରେ ବୋଧଗମ୍ୟତା ଓ ସରଳତା, ସେମାନଙ୍କ ଗୀତକୁ ମଧୁର ଏବଂ ରସସିକ୍ତ କରିଦିଏ ଚମତ୍‌କାରଭାବେ । ଏବେତ ସେମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ ଅଥଚ ତାଙ୍କ କଥା ଭାବିଲା ବେଳେ ଗାଁ ଦାଣ୍ଡରେ ଏମାନଙ୍କର ପହଣ୍ଡର ଦୃଶ୍ୟ ଆଖି ସାମ୍‌ନାରେ ଛିଡ଼ାହୁଏ । ପରିବର୍ତ୍ତିତ ସମୟରେ ସବୁ ଯେମିତି ହଜିହଜି ଯାଉଛି । ଏହାହିଁ ଦୁଃଖ ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ :
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ