ସୁପ୍ରିମକୋର୍ଟଙ୍କ ରାୟ: ବିବାଦୀୟ ସ୍ଥଳ ହିନ୍ଦୁଙ୍କୁ ମିଳିବ, ମୁସଲମାନଙ୍କୁ ଅନ୍ୟତ୍ର ବିକଳ୍ପ ଜାଗା ଦିଆଯିବ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ନିର୍ଦ୍ଦେଶ । ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁନ୍ନି ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେବା ସହିତ ଜମିର ମାଲିକାନା ସତ୍ତ୍ୱ ଟ୍ରଷ୍ଟକୁ ଦେବାକୁ କହିଛନ୍ତି । ଏହାସହିତ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଟ୍ରଷ୍ଟ ତିଆରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଦେଇ କହିଛନ୍ତି, ବାବ୍ରି ମସଜିଦ୍ ଖାଲି ଜମିରେ ତିଆରି ହୋଇନାହିଁ । ପ୍ରତ୍ନତତ୍ତ୍ୱର ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା । ଏହାପରେ ଦ୍ୱାଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ କୌଣସି ତଥ୍ୟ ମିଳିନାହିଁ । ଏଏସ୍‌ଆଇ ରିପୋର୍ଟ ଅନୁସାରେ ନିର୍ମାଣ ତଳେ ମନ୍ଦିରର ଢାଞ୍ଚା ରହିଛି । ତେବେ ମନ୍ଦିର ଭଙ୍ଗାଯାଇ ମସଜିଦ୍ କରାଯାଇଥିବାର ସ୍ପଷ୍ଟ ପ୍ରମାଣ ମିଳୁନାହିଁ । ହିନ୍ଦୁୁ ମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇ ପାରିବ ନାହିଁ । ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମଭୂମି ବୋଲି ହିନ୍ଦୁ ମାନଙ୍କର ଦୃଢ଼ ବିଶ୍ୱାସ ରହିଛି । ତେବେ କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ରାୟ ଦେବେ ନାହିଁ । ଆଇନ ଅନୁଯାୟୀ ଜମି ବିବାଦର ମାଲିକାନା ବିଚାର କରାଯିବ । ମୁସଲିମ୍‌ମାନେ ଜମି ଉପରେ ଏକାକୀ ମାଲିକାନା ଜାହିର କରିପାରିବେନି । ଇଂରେଜ ଅମଳ ପର୍ଯ୍ୟନ୍ତ ସେଠାରେ ନମାଜ ପାଠ କରାଯାଉଥିବାର ପ୍ରମାଣ ନାହିଁ । ଇଂରେଜ ଆସିବା ପୂର୍ବରୁ ସେଠାରେ ହିନ୍ଦୁମାନେ ପୂଜା କରୁଥିଲେ । ରାମ ଚଉତରା ଓ ସୀତା ରୋଷେଇ ସ୍ଥଳରେ ହିନ୍ଦୁମାନେ ପୂଜା କରୁଥିଲେ । ରାମ ଜନ୍ମଭୂମି ମସଜିଦ୍ ଭିତରେ ରହିଥିବା ହିନ୍ଦୁ ବିଶ୍ୱାସ କରୁଛନ୍ତି । ୱାକଫ ବୋର୍ଡର ଆବେଦନ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସର୍ବସମ୍ମତି କ୍ରମେ ଶିଆ ୱାକଫ ବୋର୍ଡର ଆବେଦନ ଖାରଜ ହୋଇଛି । ବାବରଙ୍କ ସମୟରେ ମୀର ବାକି ଏହି ମସଜିଦ୍ ତିଆରି କରିଥିଲେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେହିପରି ନିର୍ମୋହି ଆଖଡ଼ାର ଆବେଦନ ମଧ୍ୟ ଖାରଜ ହୋଇଛି । ନିର୍ମୋହି ଆଖଡ଼ା ନିଜକୁ ମନ୍ଦିର ସେବାୟତ ବୋଲି ଦାବି କରୁଥିଲା । ତେବେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ମୋହି ଆଖଡ଼ା ସେବାୟତ ନୁହନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଅଲ ଇଣ୍ଡିଆ ମୁସଲିମ୍ ପର୍ସନଲ ଲ ବୋଡ୍‌ର୍ ସନ୍ତୁଷ୍ଟ ହୋଇନାହିଁ । ତେବେ କୋର୍ଟଙ୍କ ରାୟକୁ ସମ୍ମାନ ଦେବ ବୋଲି କହିଛି ।
ସୂଚନାଯାଗ୍ୟ, ୬ ଅଗଷ୍ଟରୁ ସୁପ୍ରିମକୋର୍ଟ ଏହି ମାମଲାରେ ଲଗାତାର ୪୦ ଦିନ ଧରି ଶୁଣାଣି କରିଥିଲେ । ଅକ୍ଟୋବର ୧୬ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଆଉ ଏବେ ୯୬ ଦିନ ପରେ ସୁପ୍ରିମକୋର୍ଟ ରାୟ ଶୁଣାଣି କରୁଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍ ଏସ୍‌ଏ ବୋବ୍‌ଡେ (ଆଗାମୀ ପ୍ରଧାନ ବିଚାରପତି), ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍ ଅବଦୁଲ ନାଜୀର ଏହି ମାମଲାର ଶୁଣାଣି କରିଥିଲେ । ଏହା ପୂର୍ବରୁ ଆଲାହାବାଦ ହାଇକୋର୍ଟ ଅଯୋଧ୍ୟା ମାମଲାରେ ୨୦୧୦ରେ ଏକ ରାୟ ଦେଇଥିଲେ । ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଥିଲେ । ବିବାଦୀୟ ୨.୭୭ ଏକର ଜମିକୁ କୋର୍ଟ ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଜନ୍ମଭୂମି ନ୍ୟାସ କମିଟି ବା ରାମ ଲଲ୍ଲାଙ୍କ ମଧ୍ୟରେ ସମାନ ୩ ଭାଗରେ ବାଣ୍ଟିଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସୁପ୍ରିମକୋର୍ଟରେ ଆଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏହାପରେ ସୁପ୍ରିମକୋର୍ଟ ୨୦୧୧ରେ ଆଲାହାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ ।
ସଂକ୍ଷେପରେ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ରାୟ…
-ବିବାଦୀୟ ଜମି ହିନ୍ଦୁମାନଙ୍କୁ ଦେବାକୁ ନିଷ୍ପତ୍ତି ।
-୩-୪ ମାସ ଭିତରେ ଟ୍ରଷ୍ଟ ତିଆରି କରିବେ କେନ୍ଦ୍ର ସରକାର ।
-ଟ୍ରଷ୍ଟ ମନ୍ଦିର ଓ ମସଜିଦ ନିର୍ମାଣ କାମର ତଦାରଖ କରିବ ।
-ମୁସଲିମ୍ ପକ୍ଷଙ୍କୁ ବିକଳ୍ପ ଜାଗା ଅଯୋଧ୍ୟାରେ ଦେବାକୁ ନିର୍ଦ୍ଦେଶ ।
-ସୁନ୍ନି ୱାକଫ ବାର୍ଡକୁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ।
-ଶିଆ ବୋର୍ଡର ଆବେଦନ ଖାରଜ ।
-ନିର୍ମୋହୀ ଆଖଡ଼ାର ଦାବି ଖାରଜ, ଆଖଡା ସେବା କରି ପାରିବ ନାହିଁ । କେବଳ ପରିଚାଳନା କରିବ ।
-ମସଜିଦ୍ ତଳେ ଅନେକ ଢାଞ୍ଚା ରହିଥିଲା, ହେଲେ ଏହା ଇସଲାମିକ ଢାଞ୍ଚା ନଥିଲା । ଖାଲି ଜମିରେ ତିଆରି ହୋଇନି ମସଜିଦ ।
-ହିନ୍ଦୁଙ୍କ ବିଶ୍ୱାସ ରହିଛି, ଅଯୋଧ୍ୟାରେ ରାମ ଜନ୍ମଗ୍ରହଣ କରିଥିଲେ । ଅଦାଲତ ଏହି ମାମଲାରେ କୌଣସି ମତ ରଖିବେ ନାହିଁ । ମାଲିକାନା ଆସ୍ଥା ଓ ବିଶ୍ୱାସ ଆଧାରରେ ଦେଇ ହେବ ନାହିଁ ।
-ପ୍ରତ୍ନତାତ୍ତ୍ୱିକ ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା । ଏହାପରେ ଦ୍ୱାଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ କୌଣସି ତଥ୍ୟ ମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ