” ଜୱାଦ” : ଭୁଶୁଡିଲା ଦୁଇ ଘର କାନ୍ଥ : ୭ ଟି ଟିମ କରିବେ ଧାନ କ୍ଷୟକ୍ଷତି ଆକଳନ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ବାତ୍ୟା “ଜୱାଦ” ପ୍ରଭାବରେ ଅଧିକ ପବନ ନହେବା ଯୋଗୁଁ କ୍ଷତି ହୋଇଛି ମାତ୍ର ଦୁଇ ପରିବାରର ଦୁଇଟି କାନ୍ଥ , ହେଲେ ବ୍ୟାପକ କ୍ଷତି ଘଟାଇଲା ଧାନ ଫସଲ । ଦୁଇ ପରିବାରର କାନ୍ଥ ଭୁଶିଡ଼ି ଥିବା ବେଳେ ଉଭୟ ପ୍ରଶାସକ ଓ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି । ବୁଗୁଡା ବ୍ଲକ ଅରଖପୁର ପଞ୍ଚାୟତର ଖରିଡା ଗ୍ରାମର ପ୍ରେମାଲତା ବିଷୋୟୀ ଓ ରେଣୁକା ବିଷୋୟୀଙ୍କ କାନ୍ଥ ଭୁଶୁଡି ପଡିଥିବା ଯୋଗୁଁ ଜରୁରୀ ସେବାପାଇଁ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଦୁଇ ପରିବାରକୁ ପାଲ ଯୋଗାଇଦେଇଥିବା ବେଳେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ୨୫ କିଲୋ ଚାଉଳ, ଚୁଡା, ଚିନି ଓ ବିସ୍କୁଟ ଯୋଗାଇ ଦେଇଥିଲେ । ଦୁଇ କ୍ଷତିଗ୍ରସ୍ତଙ୍କ ନାମ ତାଲିକା ଭୁକ୍ତ ଥିବାବେଳେ ତୁରନ୍ତ ପକ୍କା ଗୃହ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଥିଲେ। ଚାଷୀମାନଙ୍କ ଧାନ ଓ ଫସଲର କ୍ଷୟକ୍ଷତି ଆକାଳନ ପାଇଁ ସୋମବାର ଦିନ ରାଜସ୍ୱ ବିଭାଗ ଓ କୃଷି ବିଭାଗକୁ ନେଇ ଏକ ମିଳିତ ବୈଠକ ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ସାତଟି ଟିମ ଗଠନ କରାଯାଇଥିବା ବେଳେ ତୁରନ୍ତ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ପରାମର୍ଶ ଦିଆଯାଇଥିଲା । ତହସିଲଦାର ଶ୍ରୀ ଜେନା ଓ ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ଉଭୟେ ବିଭିନ୍ନ ଅଞ୍ଚଳରେ ଧାନ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ପରିଦର୍ଶନ କରିଥିଲେ । କ୍ଷୟକ୍ଷତି ଆକଳନ ପରେ ସରକାରୀ ନିର୍ଦ୍ଦେଶ ପ୍ରକାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଥିଲେ ।


