ରାଜ୍ୟପାଳଙ୍କୁ ସମାଜବାଦୀ ପାର୍ଟିର ସ୍ମାରକପତ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏସ୍‌.ଆଇ.ଟି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଘଟଣାରେ ଚାଷୀଙ୍କ ଉପରକୁ ଗୁଳି ଚାଳନା ଆକସ୍ମିକ ନଥିଲା ବୋଲି ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଭାରତ ସରକାରଙ୍କ ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ଓ ତାଙ୍କ ସାଥୀମାନେ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରରେ ଲିପ୍ତ ରହି ଏହି ଘଟଣା ପାଇଁ ଦାୟୀ ବୋଲି ଏସ୍‌.ଆଇ.ଟି ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀର ସଂସଦରୁ ସଡ଼କ ପର୍ଯ୍ୟନ୍ତ ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ ଅବ୍ୟାହତ ରହିଛି । ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏକ ତିନିଜଣିଆ ପ୍ରତିନିଧି ଦଳ ଆଜି ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନଠାରେ ସାକ୍ଷାତ୍ କରି ଏକ ତିନିଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ରରେ ଦଳ ପକ୍ଷରୁ ଲକ୍ଷ୍ମୀପୁର ଖେରି ଗୁଳିକାଣ୍ଡ ପାଇଁ ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି ପାର୍ଟି ପକ୍ଷରୁ ଦର୍ଶାଯାଇଛି । ଯଦି ସେ ଇସ୍ତଫା ନ ଦିଅନ୍ତି, ତାହେଲେ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କୁ କ୍ୟାବିନେଟରୁ ବରଖାସ୍ତ କରିବା ପାଇଁ ଏହି ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ସ୍ମାରକ ପତ୍ରରେ ଦାବି କରିଛନ୍ତି ।
ସେହିଭଳି ବାତ୍ୟା ‘ଜୱାଦ’ ଯୋଗୁଁ ଲଗାଣ ବର୍ଷାରେ ନିଜର ପାଚିଲା ଧାନ ଓ ପନିପରିବା ଫସଲ ହରାଇ ସର୍ବଶ୍ୱାନ୍ତ ହୋଇଯାଇଥିବା ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାର ଅଗ୍ରୀମ ୧ ହଜାର କୋଟି ଟଙ୍କାର ରିଲିଫ ସହାୟତା ପ୍ରଦାନ କରିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି । ଦୀର୍ଘଦିନ ଧରି ପାଣିରେ ବୁଡ଼ି ରହିଥିବା ଧାନର ରଙ୍ଗ ଛାଡ଼ିଯିବ ଓ ତାର ମାନ ଠିକ୍ ରହିବ ନାହିଁ କହି ଏଫ୍‌.ସି.ଆଇ ପକ୍ଷରୁ ଚାଷୀଙ୍କ ଠାରୁ ଧାନକିଣାରେ ଆଗାମୀ ଦିନରେ ଟାଳଟୁଳ କରାଯିବାର ଆଶଙ୍କାକୁ ଏଡ଼ାଯାଇ ପାରିବ ନାହିଁ । ତେଣୁ ଚାଷୀ ମଣ୍ଡିକୁ ଆଣୁଥିବା ସମସ୍ତ ଧାନକୁ ଏଫ୍‌.ସି.ଆଇ କିଣିବା ପାଇଁ କେନ୍ଦ୍ର ଖାଦ୍ୟମନ୍ତ୍ରୀ / ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ଏହି ସ୍ମାରପତ୍ରରେ ସମାଜବାଦୀ ପାର୍ଟି ପକ୍ଷରୁ ଦାବି କରାଯାଇଛି । ମାନ୍ୟବର ରାଜ୍ୟପାଳ ସ୍ମାରକପତ୍ରଟିକୁ ଗ୍ରହଣ କରି ଏହାକୁ ପ୍ରଧାନମନ୍ତ୍ରୀ / ଖାଦ୍ୟମନ୍ତ୍ରୀଙ୍କ ଗୋଚରାର୍ଥେ ଅବିଳମ୍ବେ ପ୍ରେରଣ କରିବେ ବୋଲି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ସଭାପତି ଶ୍ରୀ ବେହେରାଙ୍କ ସମେତ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ କୋଷାଧ୍ୟକ୍ଷ ସଞ୍ଜୟ ନାୟକ ପ୍ରମୁଖ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ