ସଂକୀର୍ତନରେ ହିଞ୍ଜିଳିକାଟୁ କମ୍ପୁଛି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ପବିତ୍ର କାର୍ତିକ ମାସରେ ଏବେ ଚାଲିଛି ପଂଚୁକ । ଗାଁ ଠୁ ସହର ପର୍ଯନ୍ତ ସବୁଠି ଚାଲିଛି ପଂଚୁକ ଝୁଙ୍କ୍ । ନାମ ସଂକୀର୍ତନରେ ଅଂଚଳ ଫାଟି ପଡ଼ୁଛି । ପ୍ରାତଃ କାଳରୁ ନଗର ସଂକୀର୍ତନ ଦଳର ଭ୍ରମଣ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି କରୁଛି । ହିଞ୍ଜିଳିକାଟୁ ପୌରାଂଚଳର ବଡ଼ ରଙ୍ଗଣି ସାହି, ଥାନା ସାହି, ଥାନାତୋଟା ସାହି, ରଜାତୋଟା ସାହି, ରେଗିଡ଼ି ସାହି, ସୋମପୁର, ବଇଁଚବଣିଆ ସମେତ ପୌରାଂଚଳର ବିଭିନ୍ନ ସାହି ବସ୍ତି ଓ ସ୍ଥାନୀୟ ବ୍ଳକର ପୋଚିଲିମା, ସାରୁ, କଂଚୁରୁ, ସମରଝୋଳ, ସାପୁଆପଲ୍ଲୀ, ଦୁର୍ବନ୍ଧ, ପୁଟିଆପଦର, ବ।।ଳକୃଷ୍ଣପୁର, ନନ୍ଦିକ, ଭାବନ୍ଦ, ଶିଖରପୁର, ସିକିରି, ରାଳବ, ଶାସନଆମ୍ବଗାଁ, ଖରିଡ଼ା, ଆଲପୁର , ଖଣ୍ଡରା, ଚାନ୍ଦୁଲି, ବୁରୁପୋଡ଼ା ସମେତ ବିଭିନ୍ନ ଗ୍ରାମାଂଚଳ ଗୁଡ଼ିକରେ ଏହି ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ ଆଦି ଆୟୋଜନ କରାଯାଇଛି । ଅଷ୍ଟପ୍ରହରୀ ନାମଯଜ୍ଞ ପୂର୍ବରୁ ପ୍ରତ୍ୟେକ ସାହି ବସ୍ତିର ବହୁ ମହିଳା , ପୁରୁଷ ଘୋଡ଼ାହାଡ଼ ଓ ଋଷିକୂଲ୍ୟା ନଦୀରୁ ପବିତ୍ର ଜଳ ଆଣି କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମବାସୀ ପୁଜାର୍ଚ୍ଚନା କରିବା ପରେ ହରେ କୃଷ୍ଣ ହରେ ରାମ ନାମ ନେଇ ଗ୍ରାମ ପରିକ୍ରମା କରୁଛନ୍ତି । ମଙ୍ଗଳବାର କାର୍ତିକ ପୂର୍ଣ୍ଣିମାକୁ ଆଖି ଆଗରେ ରଖି ବର୍ତମାନ ଠାରୁ ଶୌବପୀଠ ଗୁଡ଼ିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।


