ମହିଳାଙ୍କୁ ଅଧିକ ସଂଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଉଥିବାରୁ କୃତଜ୍ଞତା ଜଣାଇଲେ

ଛତ୍ରପୁର, (ଦେବଦତ୍ତ ମହାରଣା) : ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରୀ ଶକ୍ତି ଶାଳୀ କରିବା ପାଇଁ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା କରିବା ସହିତ ସୁଧ ରିହାତି ପ୍ରଦାନ, ଅନଲାଇନ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ, ଫେଡେରେସନ ଇସି ମେମ୍ବର ମାନଙ୍କ ବୈଠକ ବାବଦ ଦେୟ ଓ ଗସ୍ତ ପାଇଁ ଭତ୍ତା ଘୋଷଣା ସମେତ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ତୃଣମୁଣ ସ୍ତରରେ ମିଶନ ଶକ୍ତି ଆନ୍ଦୋଳନ ଆହୁରି ଜୋରଦାର ହେବା ସହ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । କୋଭିଡ ଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ ସମୟରେ ମିଶନ ଶକ୍ତିର ମା ମାନେ ଭଲ କାମ କରିଛନ୍ତି । ମିଶନ ଶକ୍ତିର ମା ମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେମାନେ ମିଶନ ଶକ୍ତିର ଗୌରବ ବୃଦ୍ଧି କରିଛନ୍ତି । କୌଣସି ପରିବାର ହେଉ ବା ସମାଜ କିମ୍ବା ରାଜ୍ୟ ହେଉ କିମ୍ବା ରାଷ୍ଟ୍ର ମହିଳା ସଶକ୍ତିକରଣ ବିନା କେବେବି ଅଗ୍ରଗତି ହାସଲ କରିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ହଲ ଠାରେ ଭିଡିଓ କନଫେରେନ୍ସିଂ ହଲ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲା ପକ୍ଷରୁ ଛତ୍ରପୁର ବିଏଲଏଫର ସଂପାଦିକା ଶୈଳବାଳା ରଥ ଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । କୋଭିଡ୍ ମହାମାରୀ ସମୟରେ ମିଶନ ଶକ୍ତି ର ମା ମାନଙ୍କ ପକ୍ଷରୁ ପ୍ରବାସୀ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ସହ ମାସ୍କ ବଣ୍ଟନ, ବନ୍ୟା ଓ ବାତ୍ୟା ସମୟରେ ଜିଲ୍ଲାରେ ଗଠନ ହୋଇଥିବା ସ୍ୱୟଂ ସିଦ୍ଧା ଜରିଆରେ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ମିଶନ ଶକ୍ତିର ମା ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ଶୈଳବାଳା କହିଥିଲେ । ଏହା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆନୂକୁଲ୍ୟରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିବା ନୂଆ ସ୍ମାର୍ଟ କାର୍ଡର ଉପକାରିତା ସଂପର୍କରେ ମିଶନ ଶକ୍ତିର ମା ମାନେ ଘରକୁ ଘର ଯାଇ ଲୋକଙ୍କୁ ସଚେତନତା କରୁଛନ୍ତି ବୋଲି ମଧ୍ୟ ସେ କହିଥିଲେ । ଏପରିକି ମହିଳା ମାନେ ଛତୁ ଚାଷ, ମାଛ ଚାଷ, ବ୍ୟାଙ୍କ ମିତ୍ର ଜରିଆରେ ନିଜକୁ ଆତ୍ମ ନିର୍ଭରଶୀଳ କରିପାରିଛନ୍ତି ସେଥି ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ଭୂମିକା ରହିଥିବା ସେ କହିଥିଲେ । ଜିଲ୍ଲାରେ ୨୪ଟି ବିଏଲଏଫ, ୨୮୫ଟି ଜିଏଲଏଫ ରହିବା ସହ ୪୩ ହଜାର ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟ ରହିଛନ୍ତି । ଚାରି ଲକ୍ଷ ୩୫ ହଜାର ମହିଳା ଏଥିରେ ସାମିଲ ଅଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ୧୦୫ ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଧାନ କିଣାରେ ସାମିଲ ହେବା ସହ ୯୫ ଟି ସ୍ୱୟଂ ସହାୟକା ଗୋଷ୍ଠୀ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା ମାନଙ୍କ ଉପାଦ୍ରିତ ଦ୍ରବ୍ୟ ବିକ୍ରୟ ପାଇଁ ଏକ ଅନଲାଇନ ମାର୍କେଟିଂ ର ଇ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି । ବିପର୍ଯ୍ୟୟ ସମୟରେ ଘରୁ ବାହାରି କାମ କରୁଛନ୍ତି ମିଶନ ଶକ୍ତିର ମା ମାନେ । ଏଥିପାଇଁ ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଅର୍ଥ ବିନା ମା ମାନେ ସଶକ୍ତ ହୋଇପାରିବେ ନାହିଁ । ଏଣୁ ସେମାନଙ୍କୁ ଅର୍ଥ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମିଶନଶକ୍ତିର ମା ମାନେ କୃତଜ୍ଞତା ଜଣାଇଛନ୍ତି । ଛତ୍ରପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସାଶ୍ୱତ ସାହୁ, ଓଡିଶା ଜିବିକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନବୀନ ଚନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ